ଭୁବନେଶ୍ବର: ଓଡ଼ିଶାରେ ବାଘ ବଂଶ ବୃଦ୍ଧି କରିବାକୁ ରାଜ୍ୟ ସରକାର ପୁଣିଥରେ ଅଣ୍ଟା ଭିଡ଼ିଛନ୍ତି। ଅକ୍ଟୋବର ସୁଦ୍ଧା ଦେବ୍ରିଗଡ଼ ଅଭୟାରଣ୍ୟ ଓ ଶିମିଳିପାଳ ଅଭୟାରଣ୍ୟରେ ୫ଟି ବାଘ ଛାଡ଼ିବାକୁ ନିଷ୍ପତ୍ତି ହୋଇଛି। ୪ଟି ବାଘୁଣୀ ସମେତ ଗୋଟିଏ ମହାବଳ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ଆଣି ଓଡ଼ିଶାରେ ଏହି ଦୁଇଟି ଅଭୟାରଣ୍ୟରେ ଛଡ଼ାଯିବ। ଅଗଷ୍ଟ ଭିତରେ ଦେବ୍ରିଗଡ ଅଭୟାରଣ୍ୟକୁ ଦୁଇଟି ବାଘୁଣୀ ସହ ଗୋଟିଏ ମହାବଳ ଓ ଅକ୍ଟୋବର ସୁଦ୍ଧା ଶିମିଳିପାଳକୁ ଦୁଇଟି ବାଘୁଣୀ ଆସିବେ।

Advertisment

ସୂଚନା ଅନୁଯାୟୀ ଜୁଲାଇ ୩୧ ସୁଦ୍ଧା ଦେବ୍ରିଗଡ ଅଭୟାରଣ୍ୟରୁ ୨୦ଟି ଗୟଳ ଅଣାଯାଇ ଚନ୍ଦକା ଅଭୟାରଣ୍ୟ, ସମ୍ବଲପୁର ଚିଡ଼ିଆଖାନାରୁ ୧୧୫ଟି ଚିତ୍ରା ହରିଣଙ୍କୁ ଦେବ୍ରିଗଡ଼ ଅଭୟାରଣ୍ୟ, ତପ୍ତପାଣି ହରିଣ ପାର୍କରୁ ୩୨ଟି ସମ୍ବରକୁ ଚନ୍ଦକା ଅଭୟାରଣ୍ୟରେ ସେହିପରି ଅନୁଗୁଳ ହରିଣ ପାର୍କରୁ ୫୫ଟି ଚିତ୍ରା ହରିଣକୁ ଖଣ୍ଡାଧାର ସଂରକ୍ଷିତ ଜଙ୍ଗଲ, ଜୁଲାଇ ୨୦ ସୁଦ୍ଧା ତପ୍ତପାଣି ହରିଣ ପାର୍କରୁ ୪୦ଟି ଚିତ୍ରା ହରିଣଙ୍କୁ ଲଖରିଭାଲ୍ଲି ଅଭୟାରଣ୍ୟ, ଗଞ୍ଜାମର ଭେଟନଈରୁ ୮ଟି କୃଷ୍ଣସାର ମୃଗଙ୍କୁ ବାଲୁଖଣ୍ଡ ଅଭୟାରଣ୍ୟକୁ ସ୍ଥାନାନ୍ତର କରାଯିବ। ଆସନ୍ତା ୧୦ ତାରିଖ ସୁଦ୍ଧା ନନ୍ଦନକାନନରୁ ୨୫ଟି କୁଟୁରା, ୧୦୦ ଚିତ୍ରା ହରିଣ ଓ ୫ଟି ଶାଳିଆପତନିଙ୍କୁ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଛଡ଼ାଯିବ। ନନ୍ଦନକାନନରୁ ୧୦୦ ଚିତ୍ରା ହରିଣଙ୍କୁ ଅଗଷ୍ଟ ୨୦ ସୁଦ୍ଧା ଖଣ୍ଡାଧାର ସଂରକ୍ଷିତ ଜଙ୍ଗଲ, ୨୦୦ ଚିତ୍ରା ହରିଣଙ୍କୁ ଜୁଲାଇ ୩୧ ସୁଦ୍ଧା ସାତକୋଶିଆ ଅଭୟାରଣ୍ୟ, ୨୦୦ ଚିତ୍ରା ହରିଣଙ୍କୁ ଅଗଷ୍ଟ ୨୦ ସୁଦ୍ଧା କୁଲଡିହା ଅଭୟାରଣ୍ୟ, ୩୦ଟି ମଗରଙ୍କୁ ନଭେମ୍ବର ୧୫ ସୁଦ୍ଧା ଶିମିଳିପାଳ ଅଭୟାରଣ୍ୟରେ ଛଡ଼ାଯିବ। ଧାର୍ଯ୍ୟ ସମୟ ମଧ୍ୟରେ ବନ୍ୟପ୍ରାଣୀଗୁଡ଼ିକୁ ସ୍ଥାନାନ୍ତର କରିବା ଦିଗରେ ପଦକ୍ଷେପ ନେବାକୁ ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ କୁମାର ନନ୍ଦ ଆଜି ରାଜ୍ୟର ବିଭିନ୍ନ ଅଭୟାରଣ୍ୟ ଓ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।