ଭୁବନେଶ୍ୱର: ରାଜଧାନୀ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଦିନକୁ ଦିନ ବଢ଼ୁଥିବା ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଗତ ୭ ଦିନରେ ୮ଟି ମୁଣ୍ଡ ଗଡ଼ିବା ପରେ ପୁଲିସ ମାନସ ମନ୍ଥନ କରିଛି। ପୁଲିସ କମିସନରଙ୍କ ନିର୍ଦ୍ଦେଶକ୍ରମେ ଆଜି ଭୁବନେଶ୍ବର ଡିସିପି(ଟ୍ରାଫିକ୍) ବିଜୟ ସାହୁଙ୍କ ସମେତ ଏସିପି, ଇନ୍ସ୍ପେକ୍ଟର ପ୍ରମୁଖ ଘଟଣାସ୍ଥଳ ବୁଲିବା ସହ ଭୁବନେଶ୍ବର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଘଟିଥିବା ପୂର୍ବ ଦୁର୍ଘଟଣାମାନଙ୍କୁ ବିଚାରକୁ ନେଇ ୫ଟି ବ୍ଲାକ୍ସ୍ପଟ୍ ଚିହ୍ନଟ କରିଛନ୍ତି।
ଭୁବନେଶ୍ବର ଟ୍ରାଫିକ୍ ଡିସିପି ଅଧୀନରେ ରହିଥିବା ୧୬ ନମ୍ବର ଜାତୀୟ ରାଜପଥର ଆଇଗିଣିଆରୁ ପାହାଳ ପର୍ଯ୍ୟନ୍ତ ଏହି ୫ଟି ଜାଗା ରହିଛି। ତାହା ହେଉଛି ବାଟ ଭୁଆସୁଣୀ ମନ୍ଦିର ସମ୍ମୁଖ, ଆଇଗିଣିଆ, ହୋଟେଲ ସିଦ୍ଧାର୍ଥ ସାମ୍ନା ଫ୍ଲାଏ ଓଭର, ଆଚାର୍ଯ୍ୟ ବିହାର ଫ୍ଲାଏ ଓଭର୍ ଓ ପାହାଳ। ଯାଁଳାରୁ ପାହାଳ ଯାଏ ଡେଥ୍ ଜୋନ୍ ଭାବେ ପରିଚିତ ହୋଇଛି। ଏହି ସବୁ ଜାଗାମାନଙ୍କରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଧିକାରୀମାନେ ଏହାକୁ ବ୍ଲାକ୍ସ୍ପଟ୍ ଚିହ୍ନଟ କରିଥିବା ପୁଲିସ କମିସନରଙ୍କୁ ଅବଗତ କରାଇଛନ୍ତି। ଏହି ସବୁ ଜାଗାମାନଙ୍କରେ ଷ୍ଟପ୍ବୋର୍ଡ କିମ୍ବା ବ୍ୟାରିକେଡ୍ କରାଯାଇ ଦ୍ରୁତଗତିରେ ଚଳାଉଥିବା ଚାଳକଙ୍କ ଗତି ଉପରେ ରୋକ୍ ଲଗାଯିବା ପାଇଁ ବ୍ୟବସ୍ଥା କରାଯିବ। ସକାଳୁ ରାତି ୯ଟା ଯାଏଁ ଏହି କଟକଣା ରହିବ। ରାତି ୯ଟା ପରେ ହଟାଇ ଦିଆଯିବ। ଏହି ସବୁ ଜାଗାମାନଙ୍କୁ ବ୍ଲାକ୍ସ୍ପଟ୍ ଭାବରେ ଚିହ୍ନିତ ହୋଇଥିବା ନେଇ ଚାଳକଙ୍କୁ ଅନେକ ଦୂରରୁ ଅବଗତ କରାଇବା ପାଇଁ ବ୍ୟବସ୍ଥା କରାଯିବ। ଏହାଦ୍ବାରା ଚାଳକମାନେ ଯଥେଷ୍ଟ ଆଗରୁ ସଚେତନ ହେବା ସହ ଗାଡ଼ିର ଗତିକୁ ନିୟନ୍ତ୍ରିତ କରିବେ। ତା’ ସହିତ ଏହି ସ୍ପଟ୍ରେ ମଧ୍ୟ ସାଇନ୍ଏଜ୍ ରହିବ। ସ୍ପଟ୍ ବାବଦରେ ସମସ୍ତ ବିବରଣୀ ଏହି ସାଇନ୍ଏଜ୍ ଚାଳକଙ୍କୁ ସଚେତନ କରାଇବ। କିଛି ଦିନ ଏହି ବ୍ୟବସ୍ଥା ଦ୍ବାରା ଦୁର୍ଘଟଣା କମାଇବା ପାଇଁ ଉଦ୍ୟମ କରାଯିବ। ଏହା ସହିତ ଦ୍ରୁତ ଚାଳକଙ୍କ ଉପରେ ଇଣ୍ଟରସେପ୍ଟର ଜରିଆରେ ଲଗାତାର ନଜର ରଖିବା ପାଇଁ ମଧ୍ୟ ବ୍ୟବସ୍ଥା ହେଉଥିବା ସୂଚନା ଦେଇଛନ୍ତି ଟ୍ରାଫିକ୍ ଡିସିପି ବିଜୟ ସାହୁ। ତେବେ ଜାତୀୟ ରାଜପଥରେ ଏଭଳି ବ୍ୟାରିକେଡ୍ କରିବା ବ୍ୟବସ୍ଥା ନାହିଁ। ଏ ନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ କମିସନରେଟ୍ ପୁଲିସ ଆଲୋଚନା କରିନାହିଁ। ଫଳରେ ଏହି ବ୍ୟବସ୍ଥାକୁ ନେଇ ବିବାଦ ଦେଖାଦେଇଛି। ପରିବହନ ବିଭାଗ ସହ ମଧ୍ୟ ଆଲୋଚନା ହୋଇନାହିଁ। ବିଭାଗମାନଙ୍କ ସହ ସମନ୍ବୟ ରହୁ ନଥିବାରୁ ସଡ଼କ ସୁରକ୍ଷା ସମ୍ଭବ ନ ହେବା ଅନ୍ୟତମ କାରଣ ବୋଲି କୁହାଯାଉଛି।
ଯାଁଳାରୁ ପାହାଳ ଡେଥ୍ ଜୋନ୍, ଜାତୀୟ ରାଜପଥରେ ୫ ବ୍ଲାକ ସ୍ପଟ୍
ଚିହ୍ନଟ ସ୍ଥାନେର ରହିବ ଷ୍ଟପ୍ବୋର୍ଡ
/sambad/media/post_attachments/wp-content/uploads/2019/05/unnamed-file.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)