‘ଗାନ୍ଧୀଙ୍କ ଆଦର୍ଶ ଆଣିପାରେ ସାମାଜିକ ପରିବର୍ତ୍ତନ’

ବାସନ୍ତୀ ମହାନ୍ତିଙ୍କ ୫ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ଆଜି ସମାଜରେ ଯୁବପିଢ଼ିଙ୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଆଉ ଦେଖିବାକୁ ମିଳୁ ନାହିଁ। ଯୁବପିଢ଼ିଙ୍କ ପାଇଁ ଗାନ୍ଧୀଙ୍କ ଆଦର୍ଶ ଅଦରକାରୀ ହୋଇପଡ଼ିଥିବା ଅନୁଭବ ହେଉଛି। ମାତ୍ର ଭୁଲିବା ଉଚିତ ନୁହେଁ ଯେ ଗାନ୍ଧୀଜୀଙ୍କ ପ୍ରତିଟି ବାକ୍ୟ ଓ ଆଚରଣ ହିଁ ସମାଜରେ ବିରାଟ ପରିବର୍ତ୍ତନ ଆଣିପାରିବ। ଆଜି ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ଗାଳ୍ପିକା ବାସନ୍ତୀ ମହାନ୍ତିଙ୍କ ପୁସ୍ତକ ଉନ୍ମୋଚନ ଉତ୍ସବର ଅତିଥିମାନେ ଏଭଳି ମତ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମିର ପୂର୍ବତନ ଆବାହକ ବିଜୟାନନ୍ଦ ସିଂହ, ଆଇନଜୀବୀ ତଥା ଗାନ୍ଧୀବାଦୀ ପ୍ରହଲ୍ଲାଦ ସିଂହ, ଅବସରପ୍ରାପ୍ତ ଆଇଏଫ୍‌ଏସ୍‌ ଆଶୁତୋଷ ସାମନ୍ତସିଂହାର, ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗର ପୂର୍ବତନ ପ୍ରାଧ୍ୟାପକ ରମେଶ ଚନ୍ଦ୍ର ମଲ୍ଲିକ, ପୂର୍ବତନ ମହିଳା କମିସନର ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି, ବରିଷ୍ଠ ଭାଷାବିତ୍‌ ଦେବୀ ପ୍ରସନ୍ନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ବାସନ୍ତୀ ମହାନ୍ତିଙ୍କ ‘ପ୍ରେମ ଗଳ୍ପ’, ‘ଗାନ୍ଧୀ ବିଚାର’, ‘ଦୃଷ୍ଟି ଓ ସୃଷ୍ଟି’, ‘ସୁଧାମୟୀ ଶାନ୍ତିଦେବୀ’, ‘ଆମ କାହାଣୀ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ପ୍ରାଧ୍ୟାପକ ରମେଶ ଚନ୍ଦ୍ର ମଲ୍ଲିକ ‘ପ୍ରେମ ଗଳ୍ପ’ ଉପରେ ଆଲୋକପାତ କରି କହିଥିଲେ ଯେ ପ୍ରେମରହିତ ଜୀବନ ବଞ୍ଚିବା କଷ୍ଟଦାୟକ। ପ୍ରେମଠାରୁ ବଳି ପ୍ରେରଣାଦାୟୀ ଆଉ କିଛି ନାହିଁ। ଗାନ୍ଧୀବାଦୀ ପ୍ରହଲ୍ଲାଦ ସିଂହ ‘ଗାନ୍ଧୀ ବିଚାର’, ଆଶୁତୋଷ ସାମନ୍ତରାୟ ‘ଦୃଷ୍ଟି ଓ ସୃଷ୍ଟି’, ଲୋପାମୁଦ୍ରା ମହାନ୍ତି ‘ ସୁଧାମୟୀ ଶାନ୍ତିଦେବୀ’ ଓ ‘ଆମ କାହାଣୀ’ ପୁସ୍ତକ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ପବିତ୍ର ବ୍ରହ୍ମପୁତ୍ର ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶର୍ମିଷ୍ଠା ମହାପାତ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର