ଭୁବନେଶ୍ବର: କମିସନରେଟ୍ ପୁଲିସ ପଞ୍ଝାରେ ପଡ଼ିଥିବା ୫ ଜଣିଆ ଅନ୍ତଃରାଜ୍ୟ ସାଇବର ଠକ ଗ୍ୟାଙ୍ଗ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ଇଡି, ସିବିଆଇ, ନାର୍କୋଟିକ୍ସ ବ୍ୟୁରୋ ଆଦି ସଂସ୍ଥାର ପଦସ୍ଥ ଅଧିକାରୀଙ୍କ ନାଁ ନେଇ ଡିଜିଟାଲ୍ ଆରେଷ୍ଟ ବଳରେ ଲୋକଙ୍କୁ ଲୁଟୁଥିବା ଏହି ଗ୍ୟାଙ୍ଗ୍ କେବଳ ଓଡ଼ିଶା ନୁହେଁ, ଦେଶର ବହୁ ରାଜ୍ୟ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିଲା। ତେଣୁ ଓଡ଼ିଶା ପୁଲିସ ଏହି ଗ୍ୟାଙ୍ଗ୍କୁ ବାନ୍ଧିବା ପରେ ଏବେ ବାହାର ରାଜ୍ୟର ପୁଲିସ କମିସନରେଟ୍ ପୁଲିସ ନିକଟକୁ ଧାଡ଼ି ଲଗାଇଛନ୍ତି। ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟର ପୁଲିସ ଓଡ଼ିଶା ପୁଲିସ ସହ ଯୋଗାଯୋଗ ଆରମ୍ଭ କରିଦେଇଛନ୍ତି। ସେହିଭଳି ଏହି ଗ୍ୟାଙ୍ଗ୍ର ଲିଙ୍କ୍ ବିଦେଶୀ ସାଇବର ଠକଙ୍କ ସହ ଥିବା ଏକପ୍ରକାର ସ୍ପଷ୍ଟ ହୋଇଥିବାରୁ ସେଦିଗରେ କମିସନରେଟ୍ ପୁଲିସର ଜୋର୍ଦାର ଖୋଳତାଡ଼ ଆରମ୍ଭ କରିଛି। ଦୁବାଇ ଓ ଚୀନ ସହ ଏହି ରୢାକେଟ୍ର ଲିଙ୍କ୍ ଥିବା ନେଇ ଛାନ୍ଭିନ ଚାଲିଛି। ଖୁବ୍ ଶୀଘ୍ର ଏମାନଙ୍କୁ ରିମାଣ୍ଡରେ ଅଣାଯିବ ଏବଂ ଏମାନଙ୍କ ଠକାମିର ପେଡ଼ି ଖୋଲାଯିବ ବୋଲି ପୁଲିସ ଜୋର୍ଦାର ପ୍ରସ୍ତୁତି ଚଳାଇଛି।
ଏହି ଗ୍ୟାଙ୍ଗ୍ର ସଦସ୍ୟମାନେ ଏମ୍ଟେକ୍ ପାସ୍ଆଉଟ୍ ଭଳି ଉଚ୍ଚଶିକ୍ଷିତ। ଆନ୍ଧ୍ରପ୍ରଦେଶରୁ ଭାୟା ଆସାମ ଓ ତ୍ରିପୁରା ଦେଇ ଏହି ଗ୍ୟାଙ୍ଗ୍ ଦୁବାଇ ପର୍ଯ୍ୟନ୍ତ ଏହାର ଚେର ବିସ୍ତାର କରିଛି। ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଆଦି ରାଜ୍ୟରୁ କିଛି ଲୋକଙ୍କୁ ଶିକାର ବନାଇଥିବା ଜଣାପଡ଼ିଛି। ତେଣୁ କମିସନରେଟ୍ ପୁଲିସ ଏମାନଙ୍କୁ ଗିରଫ କରିବା ପରେ ଏହିସବୁ ରାଜ୍ୟର ପୁଲିସ ଏମାନଙ୍କ ବିଷୟରେ ଖୋଳତାଡ଼ କରିବା ଆରମ୍ଭ କରିଛନ୍ତି। ଏକ ବିଶ୍ବସ୍ତସୂତ୍ରରୁ ମିଳିଥିବା ସୂଚନାନୁସାରେ ଆଜି ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସାଇବର ପୁଲିସ ଭୁବନେଶ୍ବର ଆସି ସାଇବର ପୁଲିସ ସହ ଆଲୋଚନା କରିଛି। ଏହି ଗ୍ୟାଙ୍ଗ୍ର କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରି ଫେରିଛି। ଏହାପରେ ଅନ୍ୟ ରାଜ୍ୟର ପୁଲିସ ଆସିବେ ବୋଲି ଜଣାପଡ଼ିଛି। ଏହା ଭିତରେ କମିସନରେଟ୍ ପୁଲିସର ତଦନ୍ତ ଆଗକୁ ବଢ଼ିଛି। ଏମାନେ ବ୍ୟବହାର କରୁଥିବା ମ୍ୟୁଲ୍ ଆକାଉଣ୍ଟ ବିଷୟରେ ଅଧିକ ତଦନ୍ତ ଜାରି ରହିଛି। ସେହିଭଳି ଏମାନେ କେଉଁ କେଉଁ ଇଣ୍ଟରନ୍ୟାସନାଲ୍ ନମ୍ବରରେ କଥା ହେଉଥିଲେ, ସେସମସ୍ତ ତଥ୍ୟ ଜାଣିବା ପାଇଁ କମିସନରେଟ୍ ପୁଲିସ ଏମାନଙ୍କଠାରୁ ହାତେଇଥିବା ସିମ୍, ମୋବାଇଲ୍ର ସିଡିଆର୍ ରିପୋର୍ଟ ମାଗାଇଛି। ସେହିପରି ଏମାନଙ୍କ ହ୍ବାଟ୍ସଆପ୍, ଇନ୍ଷ୍ଟା, ଟେଲିଗ୍ରାମ୍, ସ୍କାଇପ୍, ଫେସ୍ବୁକ ଆଦି ସୋସିଆଲ୍ ମିଡିଆର ଭିଡିଓ କଲ୍, ଚାଟ୍ ଆଦିକୁ ନେଇ ଛାନ୍ଭିନ ଚାଲିଛି। କିଛି ଭିଡିଓ ଡିଲିଟ୍ ହୋଇଯାଇଥିଲେ ହେଁ ସେସବୁ ପାଇବା ପାଇଁ ଫେସ୍ବୁକ୍ ଭଳି ସଂସ୍ଥାମାନଙ୍କୁ ଚିଠି କରାଯାଇଛି।
ଏହି ରୢାକେଟ୍ ବ୍ୟବହାର କରିଥିବା ୫୦ରୁ ଊର୍ଧ୍ବ ବ୍ୟାଙ୍କ୍ ଆକାଉଣ୍ଟକୁ ନେଇ ଖୋଳତାଡ଼ ଜାରି ରହିଛି। ଏମାନଙ୍କ ବିଭିନ୍ନ ଆକାଉଣ୍ଟକୁ ଅଚଳ କରିବା ସହ ୧୩ ଲକ୍ଷ ଟଙ୍କାକୁ ଫ୍ରିଜ୍ କରାଯାଇଛି। ଜବତ ୫୦ ଆକାଉଣ୍ଟର ଆର୍ଥିକ କାରବାର ଯାଞ୍ଚ ପାଇଁ କମିସନରେଟ୍ ପୁଲିସ ବିଭିନ୍ନ ବ୍ୟାଙ୍କ୍କୁ ଚିଠି କରିଛି। ଦରକାର ପଡ଼ିଲେ ଫାଇନାନ୍ସିଆ୍ଲ୍ ଇଣ୍ଟେଲିଜେନ୍ସ ୟୁନିଟ୍(ଏଫ୍ଆଇୟୁ)ର ସହାୟତା ନିଆଯାଇପାରେ। ସିଡିଆର୍ ଓ ସୋସିଆଲ୍ ମିଡିଆ ତଥ୍ୟ ମିଳିବା ପରେ ସେମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଜଣାପଡ଼ିଛି। ରିମାଣ୍ଡ ସମୟରେ ଆଇବି ଓ ଏନ୍ଆଇଏ ମଧ୍ୟ ଜେରା କରିପାରନ୍ତି। ସୂଚନାଯୋଗ୍ୟ ଯେ ପ୍ରାୟ ଦେଢ଼ ମାସର କସରତ ପରେ ଭୁବନେଶ୍ବର ସାଇବର ପୁଲିସ ଆନ୍ଧ୍ରପ୍ରଦେଶ, ଆସାମ ଓ ତ୍ରିପୁରାରୁ ଏହି ରୢାକେଟ୍କୁ ଉଠାଇଥିଲା। ମାଷ୍ଟରମାଇଣ୍ଡ ଆନ୍ଧ୍ରପ୍ରଦେଶର ମୁଚୁମାରୀ ଚିଟ୍ଟିକୁ ବେଙ୍ଗାଲୁରୁରୁ ଗିରଫ କରିବା ପରେ ଗ୍ୟାଙ୍ଗ୍ର ସେକ୍ ତାଜୁଦ୍ଦିନ, ଲାଲେଙ୍ଗ ଜାଉଭା ଓରଫ୍ ଡେଞ୍ଜୋ, ଜିତେନ କାଇପେଙ୍ଗ, ଇଲ୍ଭିସ୍ ତାରା ଓରଫ ଜେମ୍ସକୁ ପୁଲିସ ଗିରଫ କରିଥିଲା। ସେମାନଙ୍କ ନିକଟରୁ ଗୋଟିଏ କାର୍, ୨ଟି ଲ୍ୟାପଟପ୍, ୨୦ ମୋବାଇଲ୍ ଫୋନ୍, ୫୬ ଏଟିଏମ୍ କାର୍ଡ, ୩୦ ସିମ୍କାର୍ଡ ଜବତ କରାଯାଇଛି। ଏହି ଗ୍ୟାଙ୍ଗ୍ କାରିଅର୍ ପାର୍ସଲରେ ଡ୍ରଗ୍ସ ଥିବା ଧମକ ଦେଇ ଲୋକଙ୍କୁ ବ୍ଲାକ୍ମେଲ୍ କରୁଥିଲେ। ଭୁବନେଶ୍ବରର ଜଣେ ସରକାରୀ ପଦସ୍ଥ ଅଧିକାରୀଙ୍କୁ ନାର୍କେଟିକ୍ସ ଅଧିକାରୀ ନାଁରେ ଡରାଇ ୪୪ ଲକ୍ଷ ଲୁଟି ନେଇଥିଲେ।