ପୁରୁଣା ଭୁବନେଶ୍ୱର: ସ୍ଥାନୀୟ ବିଏମ୍ସି ହସ୍ପିଟାଲର ଜଣେ ଡାକ୍ତର ଓ ୪ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଶିଶୁରୋଗ ବିଭାଗର ଏହି ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଓପିଡିକୁ ୧୫ ଦିନ ପାଇଁ ବନ୍ଦ କରାଯାଇଛି। ସେହିପରି ବ୍ଲଡ୍ ବ୍ୟାଙ୍କର ଜଣେ କର୍ମଚାରୀ ପଜିଟିଭ୍ ଜଣାପଡ଼ିବା ପରେ ବ୍ଲଡ୍ ବ୍ୟାଙ୍କକୁ ସିଲ୍ କରାଯାଇଛି। କିନ୍ତୁ ଆସନ୍ତାକାଲି ଅନ୍ୟ କର୍ମଚାରୀଙ୍କ କରୋନା ପରୀକ୍ଷା ପରେ ପରିସ୍ଥିତି ଦେଖି ବ୍ଲଡ୍ ବ୍ୟାଙ୍କ ଖୋଲା ରହିବ ବୋଲି ସୁଚନା ମିଳିଛି।
ଆଜି ବିଏମ୍ସି ହସ୍ପିଟାଲର ଅନ୍ୟ ଡାକ୍ତର ଓ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଯାଇଛି। ଅପରାହ୍ନରେ ବିଏମ୍ସି ପକ୍ଷରୁ ପୂରା ହସ୍ପିଟାଲ ଓ ବ୍ଲଡ୍ ବ୍ୟାଙ୍କକୁ ସାନିଟାଇଜ୍ କରାଯାଇଛି। ହସ୍ପିଟାଲର ଅନ୍ୟ ଡାକ୍ତର ଓ କର୍ମଚାରୀଙ୍କ କୋଭିଡ୍ ପରୀକ୍ଷା କରାଯିବ ବୋଲି ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଜଣେ ବ୍ଲଡ୍ ବ୍ୟାଙ୍କ କର୍ମଚାରୀଙ୍କ ସମେତ ମୋଟ୍ ୪ଜଣ ଆଟେଣ୍ଡାଣ୍ଟ୍ଙ୍କ ସ୍ବାବ୍ ପରୀକ୍ଷା କରାଯାଇଥିଲା। ସେମାନେ ପଜିଟିଭ୍ ଚିହ୍ନଟ ହେବା ପରେ ସମସ୍ତଙ୍କୁ ଗୃହ ସଙ୍ଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପର୍ଯ୍ୟାୟକ୍ରମେ ଅନ୍ୟ ସମସ୍ତ ଡାକ୍ତର ଓ କର୍ମଚାରୀମାନଙ୍କର କୋଭିଡ୍ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି। ତେବେ ଆଜି ଏହି ଖବର ପ୍ରାଚାରିତ ହେବା ପରେ ଲୋକଙ୍କ ମନରେ ଛନକା ପଶିଛି। ଆଜି ସନ୍ଧ୍ୟାରେ ଏଠାରେ ଓପିଡିରେ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଥିବା ଦେଖାଯାଇଥିଲା।