ମାଇକ୍ରୋ ଫାଇନାନ୍ସ ସଂସ୍ଥା ଖୋଲି ୫କୋଟି ଚଳୁ

ଶୈଳଶ୍ରୀ ବିହାରରେ ଚଢ଼ଉ, ଠକଙ୍କ ଟେର୍‌ ପାଇଲାନି ଝାଡ଼ଖଣ୍ଡ ପୁଲିସ

ଚନ୍ଦ୍ରଶେଖରପୁର: ଝାଡ଼ଖଣ୍ଡରେ ମାଇକ୍ରୋଫାଇନାନ୍ସ ସଂସ୍ଥା ଖୋଲି ଜମାକାରୀଙ୍କ ୫ କୋଟି ଟଙ୍କା ଚଳୁ କରିଥିବା ଦୁଇ ଓଡ଼ିଆ ଯୁବକଙ୍କୁ ଖୋଜୁଛି ଝାଡ଼ଖଣ୍ଡ ପୁଲିସ। ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ ସହଯୋଗରେ ଝାଡ଼ଖଣ୍ଡରୁ ଆସିଥିବା ପୁଲିସ ଟିମ୍‌ ଶୈଳଶ୍ରୀବିହାରେ ଚଢ଼ଉ କରି ବିଫଳ ହୋଇଛି। କୌଣସି ସୂତ୍ରରୁ ଆଗୁଆ ସୂଚନା ପାଇ ଦୁଇ ଧୂର୍ତ୍ତ ଚଢ଼ଉ ପୂର୍ବରୁ ଚମ୍ପଟ ମାରିଛନ୍ତି। ତେଣୁ ଝାଡ଼ଖଣ୍ଡ ପୁଲିସ ଟିମ୍‌ ଖାଲି ହାତରେ ଓଡ଼ିଶାରୁ ଫେରିଛି।

ସୂଚନାନୁସାରେ, ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳର ରଶ୍ମିରଂଜନ ଓ ଦୁର୍ଗାପ୍ରସାଦ ୨୦୧୨ ମସିହାରେ ଝାଡ଼ଖଣ୍ଡ ଦେଓଘର ମଧୁପୁର ଥାନା ଅଞ୍ଚଳରେ ଏକ ମାଇକ୍ରୋଫାଇନାନ୍ସ ସଂସ୍ଥା ଖୋଲିଥିଲେ। ଅଧିକ ‌ସୁଧ ହାରର ଲୋଭ ଦେଖାଇ ଜମାକାରୀଙ୍କୁ ଆକୃଷ୍ଟ କରିଥିଲେ। ୨୦୧୨ରୁ ୨୦୧୫ ମସିହା ଯାଏ ଜମାକାରୀଙ୍କୁ ମଧ୍ୟ ଅଧିକ ହାରରେ ସୁଧ ମିଳୁଥିଲା। ତେଣୁ ଜମାକାରୀଙ୍କ ସଂଖ୍ୟା ବଢ଼ିଚାଲିଥିଲା। ତେବେ ୨୦୧୫ ମସିହାରେ ହଠାତ୍ ସେମାନେ କାର୍ଯ୍ୟାଳୟ ବନ୍ଦ କରି ଉଭାନ୍ ହୋଇଯାଇଥିଲେ। ଜମାକାରୀମା‌ନେ ସେମାନଙ୍କୁ ନପାଇ ପୁଲିସର ଦ୍ବାରସ୍ଥ ହୋଇଥି‌ଲେ। ଆକଳନ ପରେ ଉକ୍ତ ସଂସ୍ଥା ପ୍ରାୟ ୫କୋଟି ଟଙ୍କା ଚଳୁ କରି ଗାଏବ୍‌ ହୋଇଯାଇଛି ବୋଲି ଜଣାପଡ଼ିଥିଲା। ପୁଲିସ ତଦନ୍ତ କରି ଅଭିଯୁକ୍ତଦ୍ବୟ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହାର ଅଞ୍ଚଳର ବୋଲି ଜାଣିବାକୁ ପାଇଥିଲା। ତେଣୁ ଝାଡ଼ଖଣ୍ଡ ପୁଲିସର ଏକ ପାଞ୍ଚଜଣିଆ ଟିମ୍‌ ସେମାନଙ୍କୁ ଗିରଫ କରିବାକୁ ଗତକାଲି ସକାଳୁ ଭୁବନେଶ୍ବରରେ ଡେରା ପକାଇଥିଲେ।

ସମ୍ବନ୍ଧିତ ଖବର