ଭୁବନେଶ୍ବର : ରାଜଧାନୀରେ ତାରକା ହୋଟେଲ୍ ବ୍ୟବସାୟ କରିବା ନାଁରେ ଜଣେ ବ୍ୟବସାୟୀ ୧୨ଜଣଙ୍କଠାରୁ ପ୍ରାୟ ୫ କୋଟି ଟଙ୍କା ଠକିନେଇଛନ୍ତି। ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହେବା ପରେ ବି ପୁଲିସ ଠକିଥିବା ବ୍ୟବସାୟୀଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ତେଣୁ ଗୁରୁବାର ଦିନ ଠକାମିର ଶିକାର ହୋଇଥିବା ୧୨ ବ୍ୟବସାୟୀ ଭୁବନେଶ୍ବର ଡିସିପି ପ୍ରତୀକ ସିଂଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଡିସିପି ଶ୍ରୀ ସିଂ ତୁରନ୍ତ ମାମଲା ରୁଜୁକରିବାକୁ ଲକ୍ଷ୍ମୀସାଗର ଥାନାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ଠକେଇର ଶିକାର ହୋଇଥିବା ସଂଗ୍ରାମ କେଶରୀ ମହାନ୍ତିଙ୍କ କହିବା କଥା ଦେବରାଜ ଜେନା ଭୁବନେଶ୍ବରରେ ଏକ ତାରକା ହୋଟେଲ କରିବେ ବୋଲି ପ୍ରସ୍ତାବ ଆଣି ତାଙ୍କୁ ଏକ ପାର୍ଟନର କରିବାକୁ କହିଥିଲେ। ଏହି ବ୍ୟବସାୟରେ ଆହୁରି କିଛି ବ୍ୟବସାୟୀ ଭାଗିଦାରୀ ହେଉଥିବା ମଧ୍ୟ ସେ ସୂଚନା ଦେଇଥିଲେ। ତେଣୁ ୨୦୧୭ ମସିହାରେ ସେମାନଙ୍କ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିଲା। ଚୁକ୍ତି ଅନୁସାରେ ଅନ୍ୟମାନେ ସେମାନଙ୍କ ସେୟାର ଦେଇଥିଲେ ଓ ସଂଗ୍ରାମ ମଧ୍ୟ ଦେବରାଜଙ୍କୁ ୫୦ଲକ୍ଷ ଟଙ୍କା ଦେଇଥିଲେ। ଏହା ମଧ୍ୟରେ ପ୍ରାୟ ୫ବର୍ଷ ବିତିଯାଇଛି। କିନ୍ତୁ ଦେବରାଜ ନା ତାରକା ହୋଟେଲ ନିର୍ମାଣ କଲେ ନା ତାଙ୍କ ଟଙ୍କା ଫେରାଇଲେ। ଠକାମିର ଶିକାର ହୋଇଥିବା ଜାଣିବା ପରେ ସଂଗ୍ରାମ ଓ ଅନ୍ୟମାନେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଲକ୍ଷ୍ମୀସାଗର ଥାନା ଅଧିକାରୀ କୌଣସି ପଦକ୍ଷେପ ନେଲେନାହିଁ। ତେଣୁ ଆଜି ସେମାନେ ଡିସିପିଙ୍କୁ ଭେଟି ଅଭିଯୋଗ କରିଥିଲେ।