ସୋନପୁର ଏନ୍‌ଏଚଏମ୍ ଆକାଉଣ୍ଟରୁ ୫ କୋଟି ହଡ଼ପର ପର୍ଦ୍ଦାଫାସ୍: ପୂର୍ବତନ ଆକାଉଣ୍ଟାଣ୍ଟ ମୁଖ୍ୟ କାର୍ପଟଦାର

ଦୁଇ ଜଣଙ୍କୁ ବାନ୍ଧିଲା ଇଓଡବ୍ଲୁ

ପୋର୍ଟାଲକୁ ହ୍ୟାକ୍ କରି ଇ-ଚେକ୍ ମାଧ୍ୟମରେ ଟଙ୍କା ଲୁଟିଥିଲେ
ରାଉରକେଲାର ନାଚୁରାଲ୍ସ କମ୍ପାନି ଆକାଉଣ୍ଟକୁ ଯାଇଥିଲା ଅର୍ଥ
ବ୍ୟାଙ୍କ ଆକାଉଣ୍ଟରୁ ୩.୩ କୋଟି ଟଙ୍କା ଅଚଳ କରାଗଲା
ସନ୍ଦେହଘେରରେ ବ୍ୟାଙ୍କ ଅଧିକାରୀ

ଭୁବନେଶ୍ବର : ବହୁ ଚର୍ଚ୍ଚିତ ଏନଏଚଏମ (ଜାୟୀୟ ସ୍ବାସ୍ଥ୍ୟ ମିସନ), ସୋନପୁର ଆକାଉଣ୍ଟରୁ ୫ କୋଟି ୧ ଲକ୍ଷ ୫୦ ହଜାର ଟଙ୍କା ହଡ଼ପ ମାମଲାର ପର୍ଦ୍ଦାଫାସ୍ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ (ଅର୍ଥନୈତିକ ଅପରାଧ ଶାଖା)। ସେହି କାର୍ଯ୍ୟାଳୟର ପୂର୍ବତନ ଅସ୍ଥାୟୀ ଆକାଉଣ୍ଟାଣ୍ଟ ରାଜକିଶୋର ନାୟକ ହିଁ ମୁଖ୍ୟ କାର୍ପଟଦାର ବୋଲି ଇଓଡବ୍ଲୁ ଜାଣିବାକୁ ପାଇଛି। ଏଥି ସହିତ ରାଜକିଶୋର ଓ ତାଙ୍କ ସମ୍ପର୍କୀୟ ଅନନ୍ତ ଚରଣ ପ୍ରଧାନଙ୍କୁ ଇଓଡବ୍ଲୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି। ରାଜକିଶୋରଙ୍କ ଘର ଭବାନୀପାଟଣା ହୋଇଥିବା ବେଳେ ଅନନ୍ତଙ୍କ ଘର ପିପିଲିରେ। ରାଜକିଶୋର ଏବେ ଓଲଟପୁରସ୍ଥିତ ଏସଭିନିରତାରରେ ଅସ୍ଥାୟୀ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟରତ ଅଛନ୍ତି। ଟଙ୍କା ହଡ଼ପ ହେବା ପରେ ରାଉରକେଲାସ୍ଥିତ ନାଚୁରାଲ୍ସ ଟ୍ରେଡିଂ କମ୍ପାନିକୁ ଯାଇଥିଲା। ସେହି ଆକାଉଣ୍ଟରେ ଥିବା ୩ କୋଟି ୩୦ ଲକ୍ଷ ଟଙ୍କାକୁ ଅଚଳ କରାଯାଇଛି।

ଇଓଡବ୍ଲୁ ସୂଚନା ଅନୁସାରେ, ରାଜକିଶୋର ଏନଏଚଏମ୍ କାର୍ଯ୍ୟାଳୟରେ ୨୦୧୬ ଏପ୍ରିଲ ୧୮ ତାରିଖରୁ ୨୦୨୦ ଡିସେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଅସ୍ଥାୟୀ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟରତ ଥିଲେ। ଚାକିରି ସରିବା ପରେ ଓଲଟପୁରସ୍ଥିତ ଏସଭିନିରତାରରେ ଅସ୍ଥାୟୀ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ରାଜକିଶୋର ଚାକିରି କରୁଥିବା ବେଳେ ସମସ୍ତ ପାସଓ୍ଵ‌ାର୍ଡ, ପୋର୍ଟାଲ ସବିଶେଷ ତଥ୍ୟ ସହ ବ୍ୟାଙ୍କ ପରିଚାଳନା ବିଷୟରେ ଜାଣିଥିଲେ। ଟଙ୍କା ହଡ଼ପ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ରାଉରକେଲାର ଟ୍ରେଡିଂ ସଂସ୍ଥା ଏମ/ଏସ୍ ନାଚୁରାଲ୍ସ ସହ ହାତ ମିଳାଇଥିଲେ। ଏନଏଚଏମର ସାଧାରଣ ଆର୍ଥିକ ପରିଚାଳନା ବ୍ୟବସ୍ଥା(ପିଏଫଏମଏସ୍) ପୋର୍ଟାଲକୁ ହ୍ୟାକ୍ କରି ଦେଇଥିଲେ। ଏହାପରେ ସେଥିରୁ ଇ-ଚେକ୍ ଡାଉନଲୋଡ୍ କରିଥିଲେ। ଜିଲ୍ଲା ସ୍ବାସ୍ଥ୍ୟ ସମିତି, ଏନଏଚଏମର ଏହି ବ୍ୟାଙ୍କ ଆକାଉଣ୍ଟ ସିଡିଏମ୍ଓ ଏବଂ ଏଡିଏମ୍ଓଙ୍କ ଯୁଗ୍ମ ଦସ୍ତଖତରେ ଟଙ୍କା ଉଠିପାରିବାର ବ୍ୟବସ୍ଥା ରହିଛି। ରାଜକିଶୋର ଅନ୍ୟ ଅଭିଯୁକ୍ତଙ୍କ ସହ ମିଶି ଦୁଇ ଅଧିକାରୀଙ୍କର ଜାଲ୍ ସିଲ୍(ରବର ଷ୍ଟାମ୍ପ) ତିଆରି କରିଥିଲେ। ଚେକରେ ଦୁଇ ଅଧିକାରୀଙ୍କ ଜାଲ୍ ଦସ୍ତଖତ ଓ ସିଲ୍ ଦିଆଯାଇ ଗତ ଏପ୍ରିଲ ୭ ତାରିଖରେ ସୋନପୁରସ୍ଥିତ ଷ୍ଟେଟ ବ୍ୟାଙ୍କରୁ ୫ କୋଟି ୧ ଲକ୍ଷ ୫୦ ହଜାର ଟଙ୍କା ନାଚୁରାଲ୍ସ କମ୍ପାନିକୁ ଟ୍ରାନ୍ସଫର କରାଯାଇଥିଲା।

ଏହି ଘଟଣା ଜଣାପଡ଼ିବା ପରେ ସିଡିଏମ୍ଓ କ୍ରାଇମବ୍ରାଞ୍ଚର ଦ୍ବାରସ୍ଥ ହୋଇଥିଲେ। ଏହା ସହ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ଅବଗତ କରିଥିଲେ। ଏହି ବଡ଼ଧରଣର ଠକେଇ ସଂକ୍ରାନ୍ତରେ ତତକ୍ଷଣାତ୍ ଇଓଡବ୍ଲୁକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଇଓଡବ୍ଲୁ ଏ ସଂକ୍ରାନ୍ତରେ ଆଇପିସି ଦଫା-୪୨୦, ୪୬୭, ୪୬୮, ୪୭୧, ୧୨୦(ବି) ଏବଂ ଆଇଟି ଆକ୍ଟରେ ମାମଲା ରୁଜୁ କରି ଗତ ମେ’ ୫ ତାରିଖରେ ରାଉରକେଲାରୁ ନାଚୁରାଲ୍ସ କମ୍ପାନିର କର୍ମଚାରୀ ସମୀର କୁମାର ପତିଙ୍କୁ ଗିରଫ କରିଥିଲା। ଘଟଣାର ଅଧିକ ତଦନ୍ତ କରି ମାଷ୍ଟରମାଇଣ୍ଡକୁ ଖୋଜା ଚାଲିଥିଲା। କେଉଁ ସର୍ଭର ଜରିଆରେ ପୋର୍ଟାଲକୁ ହ୍ୟାକ୍ କରାଯାଇଛି ତାହାର ତଦନ୍ତ କରିବା ସମୟରେ ରାଜକିଶୋର ମୋବାଇଲ ଫୋନର ଆଇପି ଆଡ୍ରେସ ମିଳିଥିଲା। ରାଜକିଶୋରଙ୍କୁ ଗିରଫ ପରେ ପୂରା ଘଟଣାର ପର୍ଦ୍ଦାଫାସ୍ ହୋଇଥିଲା। ଟଙ୍କା ଟ୍ରାନ୍ସଫର ହେବା ପରେ ସେହି ଆକାଉଣ୍ଟରୁ ନଗଦ ଆକାରରେ ୧ କୋଟି ୭୧ ଲକ୍ଷ ୫୦ ହଜାର ଟଙ୍କା ଉଠାଇ ନିଆଯାଇଛି। ଏହି ଟଙ୍କା ରାଜକିଶୋର, ତାଙ୍କ ସହଯୋଗୀ ଓ ନାଚୁରାଲ୍ସ କମ୍ପାନିର ମାଲିକଙ୍କ ପାଖକୁ ଯାଇଥିବା ସନ୍ଦେହ କରାଯାଉଛି। ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଇଓଡବ୍ଲୁ ତଦନ୍ତକାରୀ ଟିମ୍ ଖୋଜୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର