ଭୁବନେଶ୍ବର: କୋଭିଡ୍ ପରିଚାଳନା ପାଇଁ ବିଏମ୍ସିକୁ ମିଳିଛି ୫ କୋଟି ୨୦ ଲକ୍ଷ। ଏଥିରେ ବର୍ତ୍ତମାନ ସୁଦ୍ଧା ଖର୍ଚ୍ଚ ହୋଇଥିବା ୨ କୋଟି ୨୦ ଲକ୍ଷ ସହ ଆଗକୁ ଖର୍ଚ୍ଚ ହେବାକୁ ୩ କୋଟି ଟଙ୍କା ରହିଛି। ବିଏମ୍ସି ଗତ ସେପ୍ଟେମ୍ବର ମାସରେ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗକୁ ଏ ସଂପର୍କିତ ଏକ ଚିଠି ଲେଖିଥିଲା। ଚଳିତ ମାସରେ ଏହା ମଂଜୁର ହୋଇଛି।
ବିଏମ୍ସିର ହିସାବ ମୁତାବକ, କ୍ୟାପିଟାଲ ହସ୍ପିଟାଲ୍ ଓ ବିଏମ୍ସିରେ ନିୟୋଜିତ ଡାକ୍ତର, ନମୁନା ସଂଗ୍ରହ ଓ ପରୀକ୍ଷା ପାଇଁ ନିୟୋଜିତ କର୍ମଚାରୀଙ୍କ ଦରମା, ଆମ୍ବୁଲାନ୍ସ, ମୃତଦେହ ବୋହିବା ପାଇଁ ଗାଡ଼ିରେ ୧କୋଟି ୫୦ଲକ୍ଷ ଖର୍ଚ୍ଚ ହୋଇଛି। ବିଭିନ୍ନ ଜାଗାକୁ ବିଶୋଧନ କରିବା ପାଇଁ ୭୦ ଲକ୍ଷ ଖର୍ଚ୍ଚ ହୋଇଛି। ଏଭଳି ୨କୋଟି ୨୦ ଲକ୍ଷ ଖର୍ଚ୍ଚ ହୋଇସାରିଛି। ବିଏମ୍ସି ଦର୍ଶାଇଛି ଯେ ଏବେ ବି କରୋନା ସଂକ୍ରମଣ ଜାରି ରହିଛି। ଏଣୁ ପ୍ରତ୍ୟେକ ଦିନ ନମୁନା ସଂଗ୍ରହ ହେବା ସହ ପରୀକ୍ଷା କରାଯାଉଛି। ଆବଶ୍ୟକ ପଡ଼ିଲେ, ବିଭିନ୍ନ ଜାଗା ବିଶୋଧନ ହେଉଛି। ଏପଟେ ଟିକାକରଣ ବି ଚାଲିଛି। ଆର୍ଆର୍ଟି ଟିମ୍ ବୁଲି ନମୁନା ସଂଗ୍ରହ କରୁଛି। ହଠାତ୍ ସଂକ୍ରମଣ ବଢ଼ିଗଲେ ବେଡ୍ ସଂଖ୍ୟା ମଧ୍ୟ ବଢ଼ାଇବା ଆବଶ୍ୟକ ପଡ଼ିପାରେ। ଏଣୁ ଏ ବାବଦରେ ୩ କୋଟି ଟଙ୍କା ବିଏମ୍ସିର ଦାବି ମୁତାବକ ସରକାର ମଞ୍ଜୁର କରିଛନ୍ତି।
ସୂଚନାଯୋଗ୍ୟ, ରାଜଧାନୀରେ ଦୈନିକ କରୋନା ସଂକ୍ରମଣ ଏବେ ଏକ ଅଙ୍କରେ ସୀମିତ ଅଛି। ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯ ତାରିଖରେ ୫, ୧୮ରେ ୬, ୧୭ରେ ୫, ୧୬ରେ ୮ ଓ ୧୫ରେ ୯ଜଣ ଚିହ୍ନଟ ହୋଇଥିଲେ। ଆଜି ତାରିଖରେ ଜଣେ ହେଲେ ହସ୍ପିଟାଲ୍ରେ ଆଡ୍ମିଟ୍ ନାହାନ୍ତି। ଏଣୁ ବିଏମ୍ସି ଏହି ଅଗ୍ରିମ ୩ କୋଟି କେମିତି ଖର୍ଚ୍ଚ କରିବ, ଖର୍ଚ୍ଚ ହୋଇ ନପାରିଲେ ପରେ ଫେରାଇଦେବ ନା ମିଛ ବିଲ୍ କରି ହଡ଼ପ କରିଦେବେ, ସେନେଇ ପ୍ରଶ୍ନ ଉଠିଛି।