ମୃତ୍ୟୁକୁ ଡାକୁଛି ମୁକୁଳା ଡ୍ରେନ, ୫ ବର୍ଷରେ ଗଲାଣି ୫ ଜୀବନ

ଭୁବନେଶ୍ବର : ଗୋଟେ ନୁହେଁ କି ଦି’ଟା ନୁହେଁ। ସ୍ମାର୍ଟ ସିଟିର ମୁକୁଳା ଡ୍ରେନ୍‌ ଗିଳି ସାରିଲାଣି ପାଞ୍ଚ ପାଞ୍ଚଟା ଜୀବନ। ‘ସ୍ମାର୍ଟ’ ଷ୍ଟାମ୍ପ୍‌କୁ ସହର ସହ ଯୋଡ଼ି ପ୍ରଶାସନ ବାହାବା ନେଉଛି, ଅଥଚ ଆଁ ମେଲାଇ ବସିଥିବା ମୁକୁଳା ଡ୍ରେନ୍‌ରେ ସ୍ଲାବ୍‌ ଖଣ୍ଡେ ପକାଇ ପାରୁନାହିଁ। ଏତେ ବେପରୱା ଯେ ଏତେ ସରି ହେବା ପରେ ବି ପ୍ରଶାସନର ଚେତା ପଶୁନାହିଁ। ଫଳରେ ଆଜି ପୁଣି ଗୋଟେ ଜୀବନ ଅକାଳରେ ଚାଲିଯାଇଛି। ପ୍ରତିବର୍ଷ ବର୍ଷା ଦି‌ନେ ମୁକୁଳା ଡ୍ରେନ୍‌ ଜୀବନ ନେଉଛି। କିନ୍ତୁ କିଛି ଦିନ ତତ୍ପରତା ଦେଖାଇବା ପରେ ପ୍ରଶାସନ ପୁଣି ପାସୋରି ଯାଉଛି। ଜଳଜଳ ହୋଇ ଦିଶୁଛି, ବିଏମସି ଓ ପ୍ରଶାସନର ଅବହେଳା। ଗତ ମାର୍ଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ୍ରେନେଜ୍‌ ସମସ୍ୟା ସମାଧାନ ପାଇଁ ଏକ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଥିଲେ। ମାତ୍ର ପୁଣିଥରେ ପ୍ରଶାସନକୁ ଚ୍ୟାଲେଞ୍ଜ କରି ମୁକୁଳା ଡ୍ରେନ୍‌ ଆଜି ଆଉ ଜଣେ ବୃଦ୍ଧାଙ୍କୁ ମୃତ୍ୟୁମୁଖକୁ ଟାଣି ନେଇଛି। ନୂଆପଲ୍ଲୀ ଥାନା ଅଧୀନ ଏକାମ୍ର ଭିଲ୍ଲା ଛକରେ ଆଜି ଜଣେ ବୃଦ୍ଧା ଡ୍ରେନ୍‌ ପାଣିରେ ଭାସି ପ୍ରାଣ ହରାଇଛନ୍ତି।

କେବଳ ଆଜିର ଏହି ଗୋଟିଏ ଘଟଣା ନୁହେଁ, ପୂର୍ବରୁ ରାଜଧାନୀରେ ୪ଜଣଙ୍କ ଜୀବନ ନେଇଛି ଏହି ମୁକୁଳା ଡ୍ରେନ୍‌। ପ୍ରଶାସନ ପହଞ୍ଚି କିଛି କ୍ଷତିପୂରଣ ଦେଇ ଦେଉଛି, କିନ୍ତୁ ସମସ୍ୟା ସାମାଧାନ ଦିଗରେ ଆଦୌ ପ୍ରୟାସ କରୁନାହିଁ। ଗତ ବର୍ଷ ଅଗଷ୍ଟ ୧୪ ତାରିଖ‌ରେ କ୍ୟାପିଟାଲ ଥାନା ଅଧୀନ ଗଙ୍ଗନଗର ଛକରେ ସମାନଧରଣର ଏକ ଘଟଣା ଜଣେ ଶିକ୍ଷକଙ୍କ ପ୍ରାଣ ନେଇଥିଲା। ଶିକ୍ଷକ ହରିହର ପଟ୍ଟନାୟକ ଟ୍ୟୁସନ୍‌ ସାରି ଘରକୁ ଫେରୁଥିବା ବେଳେ ଲଗାଣ ବର୍ଷା ଯୋଗୁଁ ରାଜଧାନୀର ରାଜରାସ୍ତା ଓ ଡ୍ରେନ୍‌ ମିଶି ଯାଇଥିଲା। ରାସ୍ତାକଡ଼ ଡ୍ରେନ୍‌କୁ ଖସି ସେ ବର୍ଷା ଜଳରେ ଭାସି ଯାଇଥିଲେ। ବହୁ ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ଠାବ କରିଥିଲେ ସ୍ଥାନୀୟ ଲୋକ।

ସେହିପରି ୨୦୧୫ ଅଗଷ୍ଟ ୨୫ତାରିଖରେ ନୂଆପଲ୍ଲୀ ଥାନା ଅଧୀନ ସିବିଆଇ କଲୋନି ପଛପଟ ବସ୍ତିରେ ଖୋଲା ପଡ଼ିଥିବା ମୁକୁଳା ଡ୍ରେନ୍‌ରେ ଭାସି ତପନ ବିଶ୍ବାଳ ଓରଫ ପାପୁନ ନାମକ ଜଣେ ନାବାଳକର ମୃତ୍ୟୁ ହୋଇଥିଲା। ମା’ଙ୍କ ସହ ପାପୁନ ଘରକୁ ଫେରୁଥିବା ବେଳେ ଡ୍ରେନ୍‌ର ପାଣି ସୁଅରେ ଭାସି ଯାଇଥିଲା। ପରଦିନ ତା’ ମୃତଦେହ ଠାବ କରିଥିଲା ପୁଲିସ। ସେହିପରି ଶୈଳେଶ୍ରୀ ବିହାର, ନୂଆପଲ୍ଲୀ ବେହେରା ସାହିରେ ଥିବା ମୁକୁଳା ଡ୍ରେନ୍‌ରେ ପଡ଼ି ପୂର୍ବରୁ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା। ଆଜିର ଘଟଣା‌କୁ ମିଶାଇଲେ ୫ ବର୍ଷରେ ୫ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି।

ସମ୍ବନ୍ଧିତ ଖବର