୨ ପରିବାରର ୫ ମୃତ୍ୟୁ ପରେ ଭୁବନେଶ୍ୱରର ଅନ୍ନପୂର୍ଣ୍ଣା ଆପାର୍ଟମେଣ୍ଟ ଓ ହାଇଟେକ୍‌ ବଜାର ସ୍ତବ୍ଧ

ଭୁବନେଶ୍ୱର : ସ୍ତବ୍ଧ ହୋଇଯାଇଛି ଦୁଇଟି ଆପାର୍ଟମେଣ୍ଟ। ଝୁରୁଛି ହାଇଟେକ୍‌ ବଜାର। ପଡ଼ୋଶୀ ଝୁରୁଛନ୍ତି ଋତୁଙ୍କୁ। ‘ଆଦର୍ଶ’ ଯେମିତି କବାଟ ବାଡ଼ଉଛି! କେତେବେଳେ କାନ୍ଦ ତ’ କେତେବେଳେ ହସ ଶୁଭୁଛି। ଅଜାଣତରେ ଲୁହ ବାହାରି ଆସୁଛି ପଡ଼ୋଶୀଙ୍କର। ସନ୍ଧ୍ୟା ହେବା ପରେ ଯେମିତି ନିରବତା ରାଜୁତି କରୁଛି ଉଭୟ ଆପାର୍ଟମେଣ୍ଟରେ। କେହି ଭାବି ପାରୁନାହାନ୍ତି ଅନ୍ନପୂର୍ଣ୍ଣା ଆପାର୍ଟମେଣ୍ଟରେ ପ୍ରତାପ, ଋତୁ ଆଉ ନାହାନ୍ତି। ସେପଟେ ଲ୍ୟାଣ୍ଡମାର୍କ ଫେଜ୍‌ ୱାନ୍‌ରେ କୁନି ପୁଅ ଆଦର୍ଶ ଓ ବନିତା ମଧ୍ୟ ନାହାନ୍ତି। ଆଦର୍ଶର ମୁଣ୍ଡନ କରିବାକୁ ଯାଇ ଫେରୁଥିବା ବେଳେ ଶ୍ରୀକାକୁଲମ ମଞ୍ଜୁସା ଥାନା ମହିନ୍ଦ୍ରା ତନୟା ପୋଲତଳକୁ ଗାଡ଼ି ଖସି ପଡ଼ିବାରୁ ଦୁଇ ପରିବାରର ପ୍ରତାପ, ପତ୍ନୀ ରିତୁରାଣୀ, ଶାଳୀ ଜିତା ରାଣୀ, ବନିତା ଓ ଆଦର୍ଶଙ୍କର ମୃତ୍ୟୁ ଘଟିଛି। ଏକୁଟିଆ ବଞ୍ଚି ଯାଇଛନ୍ତି ବନିତାଙ୍କ ସ୍ବାମୀ ତ୍ରିଲୋଚନ ଜେନା। ଦୀର୍ଘ ଦୁଇବର୍ଷ ହେବ ଅନ୍ନପୂର୍ଣ୍ଣା ଆପାର୍ଟମେଣ୍ଟରେ ରହୁଥିଲେ ଦଣ୍ଡପତି ଓ ତାଙ୍କ ପତ୍ନୀ। ଗୋଟିଏ ବର୍ଷ ହେବ ସେ ହାଇଟେକ୍‌ ବଜାରରେ ଦୁଇଟି ଦୋକାନ କରିଥିଲେ। କିଛି ଦିନ ତଳେ ଆଇସ୍‌କ୍ରିମ୍‌ ଦୋକାନ ବନ୍ଦ ହୋଇଯାଇଥିବା ବେଳେ ସ୍ନାକ୍ସ ଦୋକାନ ରହିଥିଲା। ଉଭୟ ବେଶ୍‌ ମେଳାପି ଥିଲେ।

ଦୁଇବର୍ଷ ମଧ୍ୟରେ ସେମାନେ ଏକ ପରିବାରର ସଦସ୍ୟ ହୋଇଯାଇଥିଲେ ବୋଲି କହିଛନ୍ତି ତାଙ୍କ ପଡ଼ୋଶୀ ସତ୍ୟବ୍ରତ କର। ସେ କୌଣସି କାମରେ କଲିକତା ଯାଇଥିଲେ। ଖବର ପାଇବା କ୍ଷଣି ସେଠାରୁ ଫେରି ଆସିଥିଲେ।

ମାସେ ହେବ ଆସିଥିଲେ ଶାଳୀ: ପ୍ରତାପଙ୍କ ଶାଳୀ ଜିତା ମାସେ ହେବ ଆସି ତାଙ୍କ ଘରେ ରହୁଥିଲେ। ନୂଆବର୍ଷ ଦିନ ଆପାର୍ଟମେଣ୍ଟର ସମସ୍ତେ ଏକାଠି ହୋଇ ପିପିଲିରେ ରୋଷେଇ କରିଥିଲେ। ବେଶ୍‌ ହସଖୁସିରେ ଦିନ କଟିଥିଲା। କିଛି ଦିନ ପରେ ସେ ଫେରିଯାଇଥାନ୍ତେ। କିନ୍ତୁ ବିଧିର ବିଧାନ ଥିଲ‌ା ଅଲଗା। ତ୍ରିଲୋଚନଙ୍କ ପୁଅ ଆଦର୍ଶର ମୁଣ୍ଡନ ପାଇଁ ସେ ରହିଥିଲେ। ମୁଣ୍ଡନ କରିବାକୁ ଯାଇ ଫେରିବା ବେଳେ ଘଟିଥିଲ‌ା ଦୁର୍ଘଟଣା।

ତ୍ରିଲୋଚନ ଲ୍ୟାଣ୍ଡମାର୍କ ଫେଜ୍‌ ୱାନ୍‌ ଆପାର୍ଟମେଣ୍ଟରେ ରୁହନ୍ତି। ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନର ବନ୍ଧୁତା ରହିଥିଲା। ଉଭୟ ପ୍ରତାପଙ୍କ ଦୋକାନରେ ଅନେକ ସମୟ ଧରି ବସନ୍ତି। ଆଦର୍ଶ ମଧ୍ୟ ଅନେକ ସମୟରେ ଦୋକାନ ଆସେ। ଲ୍ୟାଣ୍ଡମାର୍କ ଫେଜ୍‌ ୱାନ୍‌ ଆପାର୍ଟମେଣ୍ଟରେ ମଧ୍ୟ ତାର ବେଶ୍‌ ଆଦର ଥିଲା।

ସମ୍ବନ୍ଧିତ ଖବର