ଭୁବନେଶ୍ବର: ବିଏମ୍‌ସି ଅଞ୍ଚଳରେ ଥିବା ୫ଟି ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ନବୀକରଣ ହେବ। ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିସନ(ଏନ୍‌ୟୁଏଚ୍‌ଏମ୍‌) ଅଧୀନରେ ହେବାକୁ ଥିବା ଏହି ନବୀକରଣ ପାଇଁ ବିଏମ୍‌ସି ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦେବ। ଏହି ସବୁ କେନ୍ଦ୍ରର ନୂଆ ଘର ନିର୍ମାଣ ସହ ଅନ୍ୟାନ୍ୟ ଭିତ୍ତିଭୂମି ପାଇଁ ମୋଟ ୩ କୋଟି ୭୭ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହେବ। ଆଦର୍ଶ ନିର୍ବାଚନ ଆଚରଣ ବିଧି କୋହଳ ହେବା ପରେ କାମ ଆରମ୍ଭ ହେବାକୁ ଯୋଜନା ହୋଇଛି। କିନ୍ତୁ ଏହି ଯୋଜନା ଭିତରେ ରେଣ୍ଟାଲ୍‌ କଲୋନିରେ ଥିବା ୱେଲ୍‌ନେସ୍‌ ସେଣ୍ଟରର ନାଁ ନାହିଁ। ପ୍ରଥମେ ଏହି ଡିସ୍‌ପେନ୍‌ସାରିକୁ ‘ବରମୁଣ୍ଡା ୟୁପିଏଚ୍‌ସି’ ନାମକରଣ କରି ବରମୁଣ୍ଡାରେ ୟୁପିଏଚ୍‌ସି ସ୍ଥାପନ କଲେ ଓ ଏହାକୁ ୱେଲ୍‌ନେସ୍‌ ସେଣ୍ଟର କରିଦେଲେ। ଏହା ପରେ ବି ଏହାର ଉନ୍ନତୀକରଣ ପାଇଁ ଚିନ୍ତା କଲେନାହିଁ। ଏହା ଏକ ସରକାରୀ କ୍ବାର୍ଟର୍ସରେ ଚାଲୁଥିଲେ ମଧ୍ୟ ଏଥିପାଇଁ ନୂଆ କୋଠା ବା ଭିତ୍ତିଭୂମି ଉନ୍ନତି ଯୋଜନା ହୋଇନଥିବାରୁ ଏହା ପଛରେ ଷଡ୍‌ଯନ୍ତ୍ର ଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିବା ତାହା ଜଳ ଜଳ ଦିଶୁଛି।

Advertisment

ଏନ୍‌ୟୁଏଚ୍‌ଏମ୍‌ ପକ୍ଷରୁ ଉନ୍ନତୀକରଣ ପାଇଁ ଯୋଜନା ହୋଇଥିବା ସହରାଞ୍ଚଳ ଓ ଆରୋଗ୍ୟ କେନ୍ଦ୍ର ଗୁଡ଼ିକ ହେଉଛି ପାତ୍ରପଡ଼ା, ଆଇଗିଣିଆ, କଳିଙ୍ଗନଗର କେ-୫, ଫକୀର ମୋହନନଗର ଓ ସୁନ୍ଦରପଦା। ଏସବୁ ଭଡ଼ାଘରେ ଚାଲୁଥିଲା। ଫଳରେ ଏହାର ଭିତ୍ତିଭୂମି ବିକାଶ କରିବା ସମ୍ଭବ ହେଉନଥିଲା। ଏହି ସବୁ କେନ୍ଦ୍ର ପାଇଁ ଗୃହ ନିର୍ମାଣ କରିବାକୁ ଏନ୍‌ୟୁଏଚ୍‌ଏମ୍‌ ଅର୍ଥ ମଞ୍ଜୁର କରିଥିଲା। କିନ୍ତୁ ଜମି ନଥିବାରୁ କୋଠା ନିର୍ମାଣ ହୋଇ ପାରୁ ନଥିଲା। ଏଣୁ ବିଏମ୍‌ସି ବିଡିଏ ଓ ଜିଏ ବିଭାଗକୁ ଜମି ମାଗିଥିଲା। ବିଡିଏ ପାତ୍ରପଡ଼ା, ଆଇଗିଣିଆ, କଳିଙ୍ଗନଗର କେ-୫ ପାଇଁ ଜମି ଯୋଗାଇ ଦେଇଥିବା ବେଳେ ଫକୀର ମୋହନନଗର ଓ ସୁନ୍ଦରପଦା କେନ୍ଦ୍ର ପାଇଁ ଜିଏ ଜମି ଯୋଗାଇ ପାରିନଥିଲା। ବିଡିଏ ଯୋଗାଇ ଥିବା ଜମିରେ କୋଠା ନିର୍ମାଣ କରିବା ପାଇଁ ଏନ୍‌ୟୁଏଚ୍‌ଏମ୍‌ ଯୋଜନା କରିଥିଲା। ହେଲେ ଏଥିପାଇଁ ମାତ୍ର ୨୨ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ଯେଉଁଥିରେ କୋଠା ନିର୍ମାଣ ସମ୍ଭବ ନଥିଲା।

ଏଣୁ ବିଏମ୍‌ସିରେ ଏହାକୁ ନେଇ ଆଲୋଚନା ହୋଇଥିଲା। ଗୋଟିଏ କୋଠା ନିର୍ମାଣ ପାଇଁ ୭୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଆବଶ୍ୟକତା ଥିବାରୁ ବିଏମ୍‌ସି ପ୍ରତି କୋଠା ପିଛା ୫୦ ଲକ୍ଷଟଙ୍କା ଯୋଗାଇଦେବା ପାଇଁ କର୍ପୋରେସନ ବୈଠକରେ ନିଷ୍ପତ୍ତି ନେବା ସହ ୨୦୨୪-୨୫ ଆର୍ଥିକ ବର୍ଷ ବଜେଟ୍‌ରେ ବ୍ୟୟ ବରାଦ କରିଥିଲା। ଏଭଳି ମୋଟ ୭୨ଲକ୍ଷ ୫୦ ହଜାର ହିସାବରେ ୫ଟିର ସ୍ଥାୟୀ କୋଠା ନିର୍ମାଣ ଓ ଅନ୍ୟାନ୍ୟ ଭିତ୍ତଭୂମି ବିକାଶ କରାଯିବାକୁ ନିଷ୍ପତ୍ତି ହୋଇଛି। ଆଦର୍ଶ ଆଚରଣ ବିଧି କୋହଳ ହେବା ପରେ ବିଏମ୍‌ସି ଇଞ୍ଜିନିୟରିଂ ଉପବିଭାଗ ଜମି ମିଳିଥିବା ତିନିଟି କୋଠାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବ। ବାକି ଦୁଇଟି ପାଇଁ ଜମି ଯୋଗାଇ ବାକୁ ଜିଏ ବିଭାଗକୁ ଚିଠି ଲେଖାଯାଇଛି। ଜମି ମିଳିଲେ କୋଠା ନିର୍ମାଣ କରାଯିବ। କିନ୍ତୁ ଏହି ଯୋଜନା ଭିତରେ ରେଣ୍ଟାଲ୍‌ କଲୋନିର ସେଣ୍ଟର ବାଦ୍‌ ପଡ଼ିଛି। ୟୁପିଏଚ୍‌ସିକୁ ବରମୁଣ୍ଡା ନେବା ପରେ ବି ଏହି ୱେଲ୍‌ନେସ୍‌ ସେଣ୍ଟରର ଉନ୍ନତୀକରଣ ଯୋଜନା ନ ହେବା ଯୋଗୁ ଅସନ୍ତୋଷ ପ୍ରକାଶ ପାଇଛି।