ବିଏମ୍‌ସି ନିୟମାବଳୀ ନ ମାନିବା ମହଙ୍ଗା ପଡ଼ିଲା: ୫ ହୋଟେଲ, ୧ ବିବାହ ମଣ୍ଡପ ସିଲ୍‌

ଭୁବନେଶ୍ବର: ବିବାହ ଉତ୍ସବ ପାଇଁ ଆବଶ୍ୟକ ଭିତ୍ତିଭୂମି ନ ଥିବା ଏବଂ ବିଏମ୍‌ସି ପକ୍ଷରୁ କରୋନା ମୁକାବିଲା ପାଇଁ ଜାରି ହୋଇଥିବା ଏସ୍‌ଓପି (ନିୟମାବଳୀ) ମାନୁ ନ ଥିବାରୁ ଆଜି ବିଭିନ୍ନ ସ୍ଥାନରେ କେତେକ ଅନୁଷ୍ଠାନକୁ ସିଲ୍‌ କରାଯାଇଛି। ଏଥିରେ ଗୋଟିଏ ମନ୍ଦିରର ବିବାହ ମଣ୍ଡପ ସମେତ ୫ଟି ହୋଟେଲକୁ ସିଲ୍‌ କରାଯାଇଛି। ବିଏମ୍‌ସି ଅତିରିକ୍ତ କମିସନର ଅବନିକାନ୍ତ ପଟ୍ଟନାୟକଙ୍କ ନେତୃତ୍ବରେ ଆଜି ଉତ୍ତର ଜୋନ୍‌ରେ ଦୁଇଟି ଏବଂ ଦକ୍ଷିଣ-ପୂର୍ବ ଜୋନ୍‌ରେ ୪ଟି ପ୍ରତିଷ୍ଠାନକୁ ବିଏମ୍‌ସି ଓ ବିଡିଏର ଏନଫୋର୍ସମେଣ୍ଟ ଟିମ୍ ସିଲ୍‌ କରିଛି।

ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ବିଜେବି ନଗରରେ ଥିବା ରାଧାକୃଷ୍ଣ ମନ୍ଦି‌ରରେ ବିବାହ ଉତ୍ସବ ହେଉଥିଲେ ହେଁ ଏଠାରେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍, କଠିନ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ଓ ପାର୍କି ସୁବିଧା ନଥିଲା। ତେଣୁ ଏହାର ରୋଷ ଘର ଏବଂ କାର୍ଯ୍ୟକ୍ରମ ଆୟୋଜନ ଅଞ୍ଚଳକୁ ସିଲ୍‌ କରାଯାଇଛି। ସେହିପରି ଅଶୋକ ନଗରରେ ଥିବା ଦିଲ୍ଲୀପ ଗେ‌ଷ୍ଟ ହାଉସ୍‌ର ଟ୍ରେଡ୍ ଲାଇସେନ୍ସ ନ ଥିବା ବେଳେ ହୋଲଡିଂ ଟିକସ ଦେଉ ନ ଥିଲା। ଅସ୍ବାସ୍ଥ୍ୟକର ପରିବେଶ ସହ ଆଗନ୍ତୁକଙ୍କ ପରିଚୟପତ୍ର ରଖାଯାଉ ନ ଥିଲା। ବିଏମ୍‌ସିର ନିୟମାବଳି ମାନୁ ନ ଥିବାରୁ ଏହାକୁ ବି ସିଲ୍‌ କରାଯାଇଛି। ବ୍ରହ୍ମେଶ୍ବର ପାଟଣାରେ ଥିବା ଏକ ଓୟୋ ହୋଟେଲ ସମେତ ଅଶୋକ ନଗରରେ ଥିବା କେୟାର ଗେଷ୍ଟ ହାଉସ୍‌କୁ ବି ସିଲ୍‌ କରାଯାଇଛି। କେୟାର ଗେଷ୍ଟ ହାଉସ୍‌ର ଟ୍ରେଡ୍ ଲାଇସେନ୍ସ ନ ଥିଲା କି ହୋଲଡିଂ ଟିକସ ଦିଆଯାଉ ନ ଥିଲା, ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ନ ଥିଲା। ଏହାସହ ଅସ୍ବାସ୍ଥ୍ୟକର ପରିବେଶ ଥିବା ଏବଂ ବିଏମ୍‌ସି ନିୟମାବଳି ପାଳନ ହେଉ ନ ଥିବା ଏନଫୋର୍ସମେଣ୍ଟ ଟିମ୍ ଦେଖିବାକୁ ପାଇଥିଲା। ତେଣୁ ଏହାକୁ ସିଲ୍‌ କରାଯାଇଛି। ସେହିପରି ବିଏମ୍‌ସିର ଉତ୍ତର ଜୋନ୍‌ର ଦୁଇଟି ହୋଟେଲକୁ ସିଲ୍‌ କରାଯାଇଛି।

ସମ୍ବନ୍ଧିତ ଖବର