ଧରାପଡ଼ିଲେ ୫ ମୂର୍ତ୍ତି ଚୋର, ବିଦେଶ ଚାଲାଣ ସନ୍ଦେହ

୩ ପିତ୍ତଳ ମୂର୍ତ୍ତି ସହ ୨ କ୍ବିଣ୍ଟାଲ ସାମଗ୍ରୀ ଜବତ

ଭୁବନେଶ୍ବର/ଜଟଣୀ: ଜଟଣୀ ଥାନା ସହ ଡେଲାଙ୍ଗ, ପିପିଲି ଥାନା ଆଖପାଖ ଅଞ୍ଚଳ ଓ ଭୁବନେଶ୍ବର ବାଲିଅନ୍ତାରେ ମନ୍ଦିରରୁ ଚୋରି କରି ନିଦ ହଜାଇ ଦେଇଥିବା ଗ୍ୟାଙ୍ଗ ପୁଲିସ ହାତରେ ଧରାପଡ଼ିଛି। ଗ୍ୟାଙ୍ଗର ୪ ସଦସ୍ୟ ଓ ମନ୍ଦିର ଚୋରି ସାମଗ୍ରୀ କିଣୁଥିବା ଜଣେ କବାଡ଼ି ଦୋକାନୀକୁ ପୁଲିସ ଗିରଫ କରିଛି। ସେମାନଙ୍କଠାରୁ ୪ଟି ପିତ୍ତଳ ମୂର୍ତ୍ତି, ୨ କ୍ବିଣ୍ଟାଲ ଓଜନର ପିତ୍ତଳ ବାସନକୁସନ, ଘଣ୍ଟ, ବ୍ୟବହୃତ ଟାଟା ଏସ୍ ଗାଡ଼ି ଆଦି ଜବତ କରାଯାଇଛି। ବାଲିଅନ୍ତା ଭିଙ୍ଗାରପୁରରେ ଗୋପୀନାଥ ଦେବଙ୍କ ମନ୍ଦିରରୁ ଏକାଧିକ ଅଷ୍ଟଧାତୁ ମୂର୍ତ୍ତି ଓ ୧୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍‌ରେ ସମ୍ପୃକ୍ତି ଥିବା ପୁଲିସ କହିଛି। କିନ୍ତୁ ମୂଲ୍ୟବାନ ଅଷ୍ଟଧାତୁ ମୂର୍ତ୍ତିର ସନ୍ଧାନ ମିଳି ପାରିନାହିଁ। ଅଷ୍ଟଧାତୁ ମୂର୍ତ୍ତିର ବିଦେଶର ଯଥେଷ୍ଟ ଚାହିଦା ଥିବାରୁ ଚାଲାଣ କରାଯାଇଥିବା ସନ୍ଦେହ କରାଯାଉଛି। ଏମାନେ ଚୋରି କରିଥିବା ବେଳେ ମାଫିଆଙ୍କୁ ବିକ୍ରି କରି ଦେଇଥିବା ଅନୁମାନ କରାଯାଉଛି।

ଗିରଫ ଲୁଟେରାମାନେ ହେଲେ, ଜଟଣୀ ବାଲିଛକ ମୁଣ୍ଡିଆସାହି ଅଞ୍ଚଳରେ ରହୁଥିବା ରମେଶ ଜେନା (୨୧), ସ୍ଥାନୀୟ ବାଲିଛକ ମୁଣ୍ଡିଆ ସାହି ଅଞ୍ଚଳରେ ରହୁଥିବା ଖୋର୍ଦ୍ଧା ଜିଲ୍ଲା ମଡେଲ ଥାନା ଅନ୍ତର୍ଗତ ତରତୁଆ ମୁସଲିମ ସାହିର ମାଜିଦ୍ ଖାନ୍ (୩୦), ନାଇଜର ପଛ ପଦନପୁର ଅଞ୍ଚଳରେ ରହୁଥିବା ଖୋର୍ଦ୍ଧା ଜିଲ୍ଲା ମଡେଲ ଥାନା ଅନ୍ତର୍ଗତ ବାଜପୁର ଗ୍ରାମର ପଦ୍ମଲୋଚନ ବେହେରା (୩୭), ସ୍ଥାନୀୟ ମଧୁସୂଦନ ନଗର ତାରିଣୀ ମନ୍ଦିର ନିକଟରେ ରହୁଥିବା ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ବର ମୁସଲିମ୍ ସାହିର ଏମ୍‌.ଡି ସୋଏବ୍ ଖାନ୍ ଓରଫ ଜାନି (୨୯) ଓ ଚୋରା ସାମଗ୍ରୀ କିଣୁଥିବା କବାଡ଼ି ଦୋକାନୀ ଜଟଣୀ ରଥିପୁର କେନାଲ ଅଞ୍ଚଳର ଅଖତାର ଖାନ୍ (୪୪) ଓରଫ ବାପି।

ନଟରାଜଙ୍କ ପିତ୍ତଳ ମୂର୍ତ୍ତି, ମା’ ଲକ୍ଷ୍ମୀଙ୍କ ଗୋଟିଏ ପିତ୍ତଳ ମୂର୍ତ୍ତି, ମା’ ପାର୍ବତୀଙ୍କ ଗୋଟିଏ ପିତ୍ତଳ ମୂର୍ତ୍ତି ଏବଂ ପ୍ରାୟ ଦୁଇ କୁଇଣ୍ଟାଲ କଂସା ପିତ୍ତଳର ନାଗ ମୂର୍ତ୍ତି, ଘଣ୍ଟି, ଘଣ୍ଟ ଓ ବାସନକୁସନ ଉଦ୍ଧାର କରାଯାଇଛି। ବ୍ୟବହୃତ ଟାଟା ଏସ୍ (ଓଡି୩୩ଭି-୨୦୦୮) ଓ ହୋଣ୍ଡା ୟୁନିକର୍ଣ୍ଣ ବାଇକ୍ ଜବତ କରାଯାଇଛି।

ପୁଲିସ ସୂଚନା ଅନୁସାରେ, ଜଟଣୀ ବୁଢ଼ାପଡ଼ାଠାରେ ଥିବା ସୋମନାଥ ଦେବ ମନ୍ଦିରରୁ ମୂର୍ତ୍ତି ଓ ଅନ୍ୟ ସାମଗ୍ରୀ ଚୋରି ହୋଇଥିବା ନେଇ ଗତ ମାର୍ଚ୍ଚ ୩୦ ତାରିଖରେ ପୂଜକଙ୍କ ଅଭିଯୋଗକ୍ରମେ ଜଟଣୀ ଥାନା ପୁଲିସ ଏକ ଚୋରି ମାମଲା ରୁଜୁ କରିଥିଲା। ଏହା ପରେ ପୁଲିସ ମନ୍ଦିରରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ଜଟଣୀ ଥାନାରେ ୪ଟି, ବାଲିଅନ୍ତା ଥାନାରେ ୨ଟି, ଇନ୍‌ଫୋଭ୍ୟାଲି ଥାନାରେ ଗୋଟିଏ ଏବଂ ଖୋର୍ଦ୍ଧା ମଡେଲ ଥାନାରେ ଗୋଟିଏ ମାମଲା ରହିଛି। ଆଜି ସମସ୍ତ ୫ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ବାଲିଅନ୍ତା ଥାନା ପୁଲିସ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର