ଧଉଳି: କିଛିଦିନର ନିରବତା ପରେ ପୁଣି ମାତିଛନ୍ତି ମୂର୍ତ୍ତି ଚୋର। ବାଲିଅନ୍ତା ଓ ବାଲିପାଟଣା ଅଞ୍ଚଳରୁ ଚୋରି ପରେ ଏବେ ଧଉଳି ଅଞ୍ଚଳକୁ ଟାର୍ଗେଟ୍ କରିଛନ୍ତି ମୂର୍ତ୍ତି ଚୋର। ଧଉଳି ଥାନା ଅଧୀନ ପଳାଶପୁର ଶାସନ ଗ୍ରାମରେ ଥିବା ଗୋପୀନାଥଦେବ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ୫ଟି ମୂଲ୍ୟବାନ୍ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଯାଇଛି। ଦୁର୍ବୃତ୍ତମାନେ ମନ୍ଦିର କବାଟ ତାଲା ଭାଙ୍ଗି ଏସବୁ ମୂର୍ତ୍ତି ନେଇଯାଇଛନ୍ତି। ଚୋରି ମୂର୍ତ୍ତି ମଧ୍ୟରେ ରହିଛି ପ୍ରାୟ ୧ଫୁଟ ଉଚ୍ଚତାର ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଏବଂ ୬ରୁ ୮ ଇଞ୍ଚ ମଧ୍ୟରେ ଆଉ ୪ଟି ରାଧାକୃଷ୍ଣଙ୍କ ମୂର୍ତ୍ତି। ହେଲେ ଚୋର ମନ୍ଦିର ଭିତରେ ଥିବା ଅନ୍ୟାନ୍ୟ ପୂଜା ସାମଗ୍ରୀ ଓ ମୂଲ୍ୟବାନ ଜିନିଷପତ୍ର ଛାଡ଼ି ଯାଇଥିବା ଜଣାଯାଇଛି। ମୂର୍ତ୍ତିର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି। ମନ୍ଦିର ଚୋରି ସଂପର୍କରେ ପୂଜକ ନିରୋଦ ପଣ୍ଡାଙ୍କ ସମେତ ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ଆଜି ପୂର୍ବାହ୍ନରେ ଥାନା ଅଧିକାରୀ ଚିତ୍ତରଞ୍ଜନ ରାଉତ ଓ ସରପଞ୍ଚ ପଞ୍ଚେଇ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଏନେଇ ଧଉଳି ଥାନାରେ ଏକ ମାମଲା ରୁଜୁ ହୋଇଛି।
ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ରାଜାରାଜୁଡ଼ା ଅମଳର ଏହି ମନ୍ଦିର ୧୪ଶହ ବର୍ଷରୁ ଅଧିକ ପ୍ରାଚୀନ ବୋଲି ପୂର୍ବ ପୁରୁଷଙ୍କଠାରୁ ଶୁଣିଛନ୍ତି। ଏହି ମନ୍ଦିର ପ୍ରତିଷ୍ଠା ସଂପର୍କରେ ମାଦଳା ପାଞ୍ଜିରେ ମଧ୍ୟ ସବିଶେଷ ବିବରଣୀ ଉଲ୍ଲେଖ ରହିଥିବା ଶୁଣିବାକୁ ମିଳେ। ହେଲେ ଗତକାଲି ଲୁଟେରାମାନେ ମନ୍ଦିର ମୁଖ୍ୟ ଗେଟ୍ ଗ୍ରିଲ ତାଲା ଭାଙ୍ଗି ଦକ୍ଷିଣ ପାର୍ଶ୍ବ କବାଟ ତାଲା ଭାଙ୍ଗି ମୂର୍ତ୍ତି ଚୋରି କରିନେଇଛନ୍ତି। ଆଜି ଭୋର୍ ସାଢ଼େ ୪ଟା ବେଳେ ପୂଜକ ନିରୋଦ ମନ୍ଦିରରୁ ଚୋରି ଯାଇଥିବା ଜାଣି ପରିଚାଳନା କମିଟିକୁ ଜଣାଇଥିଲେ। ଏ ସଂପର୍କରେ କମିଟି ଧଉଳି ଥାନାକୁ ଫୋନ୍ କରି ଜଣାଇବା ପରେ ପୁଲିସ ପହଞ୍ଚି ତଦନ୍ତ କରିଥିଲା। ବାଲିଅନ୍ତା ଓ ବାଲିପାଟଣା ଥାନା ପରେ ଧଉଳି ଥାନା ଅଞ୍ଚଳରେ ଥିବା ପୁରାତନ ମନ୍ଦିରକୁ ଲୁଟେରା ଟାର୍ଗେଟ୍ କରିଥିବା ଆଲୋଚନା ହେଉଛି। ତେଣୁ ଉକ୍ତ ପଞ୍ଚାୟତ ଅଞ୍ଚଳରେ ପୁଲିସ ରାତି ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବାକୁ ଦାବି ହେଉଛି।