ବାଲିଅନ୍ତା : ଖାଦ୍ୟ ଅନ୍ବେଷଣରେ ବାଳକାଟି ଫାଣ୍ଡି ଅଧୀନ ବୁଦ୍ଧିପଡ଼ା ଗାଁକୁ ପଶି ଆସିଥିବା ଦୁଇଟି ମାଙ୍କଡ଼ ଏବେ ଗ୍ରାମବାସୀଙ୍କ ନିଦ ହଜାଇ ଦେଇଛନ୍ତି। ଏହି ମାଙ୍କଡ଼ଦ୍ବୟଙ୍କ ଆତଙ୍କରେ ଗ୍ରାମବାସୀ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ପାଇଁ ବି ଘରୁ ବାହାରିବାକୁ ଡରୁଛନ୍ତି। ଆଜି ଗୋଟିଏ ଦିନରେ ମାଙ୍କଡ଼ଦ୍ବୟ ୫ଜଣ ଗ୍ରାମବାସୀଙ୍କୁ ଆକ୍ରମଣ କରି ଆହତ କରିଛନ୍ତି। ଆହତମାନେ ହେଲେ, ଉକ୍ତ ଗ୍ରାମର ପ୍ରତିମା ସ୍ବାଇଁ (୪୫) , କୃତ୍ତିବାସ ପ୍ରଧାନ( ୪୬), ନିକୁଞ୍ଜ ବିହାରୀ ସ୍ବାଇଁ, ପ୍ରହ୍ଲାଦ ବାରିକଙ୍କ (୬୦)। ଅନ୍ୟଜଣଙ୍କର ନାମ ଜଣାପଡ଼ିନାହିଁ। ପରିବାରଲୋକ ଚିକିତ୍ସା ଲାଗି ସେମାନଙ୍କୁ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସୂଚନାଯୋଗ୍ୟ, କିଛି ଦିନ ହେବ ମାଙ୍କଡ଼ଦ୍ବୟ ଗ୍ରାମରେ ଉତ୍ପାତ କରୁଛନ୍ତି। ଛୋଟ ପିଲାଙ୍କୁ ଖେଙ୍କାରି ଗୋଡ଼ାଇବା ସହ ଆଉ କାହା ଉପରୁ ଲମ୍ଫ ମାରି ରାମ୍ପୁଡ଼ି କାମୁଡ଼ି ଦେଉଛନ୍ତି। ଏ ସଂପର୍କରେ ପୂରଣପଧାନ ସରପଞ୍ଚ ଝିଲି ସ୍ବାଇଁ ବନବିଭାଗ କାର୍ଯ୍ୟାଳୟକୁ ଫୋନ୍ କରି ଜଣାଇଥିଲେ। ବାଳକାଟିସ୍ଥିତ ବନ ବିଭାଗ କାର୍ଯ୍ୟାଳୟର ଏକ ସ୍ବତନ୍ତ୍ର ଟିମ୍ ମାଙ୍କଡ଼ ଧରିବା ପାଇଁ ଆଜି ଗ୍ରାମରେ ପହଞ୍ଚିଥିଲେ। କିନ୍ତୁ ମାଙ୍କଡ଼ଦ୍ବୟ ହଠାତ୍ କୁଆଡ଼େ ଅନ୍ତର୍ଧ୍ୟାନ ହୋଇଯାଇଥିଲେ। ଶେଷରେ ସେମାନେ ନିରାଶ ହୋଇ ଅପରାହ୍ଣରେ ଖାଲି ହାତରେ ଫେରି ଯାଇଥିଲେ। ମାଙ୍କଡ଼କୁ ଦେଖିଲେ ଫୋନ୍ କରି ଡାକିବା ପାଇଁ କହି ଅଧିକାରୀମାନେ ପଳାଇଥିଲେ।
ମାଙ୍କଡ଼ କାମୁଡ଼ାରେ ୫ ଆହତ, ଖାଲି ହାତରେ ଫେରିଲା ବନ ବିଭାଗ ଟିମ
/sambad/media/post_attachments/wp-content/uploads/2020/02/monkey-science-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)