ନିଶା ନିବାରଣ କେନ୍ଦ୍ର: କେତେ ମୁଣ୍ଡ ଗଲେ ଚେତିବେ ?

ଆଖିବୁଜିଲେଣି ୫ରୁ ଅଧିକ ଅନ୍ତେବାସୀ

ଭୁବନେଶ୍ବର: ନିଶାଡ଼ିଙ୍କୁ ସୁଧାରିବା ପାଇଁ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରାଯାଉଛି। ମାତ୍ର ସେଠାରେ ଉପଯୁକ୍ତ ପଦ୍ଧତି ଅନୁସରଣ କରିବା ପରିବର୍ତ୍ତେ ‌ନିଶାଡ଼ିଙ୍କୁ ଅମାନୁଷିକ ନିର୍ଯାତନା ଦିଆଯାଉଛି। ପ୍ରବଳ ମାଡ଼ ମରାଯାଉଛି। ଏମିତିକି ପିଟିପିଟି ହତ୍ୟା କରିବାକୁ ବି ପଛାଉନାହାନ୍ତି। ଗତ କିଛି ବର୍ଷ ମଧ୍ୟରେ ନିଶା ନିବାରଣ କେନ୍ଦ୍ରରେ ୫ରୁ ଅଧିକ ଯୁବକ ଆଖି ବୁଜିଲେଣି। ରାଜ୍ୟର ଅଧିକାଂଶ ନିଶା ନିବାରଣ କେନ୍ଦ୍ରରେ ଏଭଳି ସଙ୍ଗିନ୍‌ ସ୍ଥିତି ଦେଖିବାକୁ ମିଳିଛି। ନିଶାଡ଼ିଙ୍କ ସଂଖ୍ୟା ଓ ଅପରାଧ ପରିମାଣ ମାତ୍ରାଧିକ ଭାବେ ବଢ଼ିବାରୁ କମିସନରେଟ୍ ପୁଲିସ ‘ଡ୍ରିମ୍‌ସ’ ଯୋଜନା ମାଧ୍ୟମରେ ନିଶାସକ୍ତ ଅପରାଧୀଙ୍କୁ ସୁଧାରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲା। ଆଉ ଏହି ଆଳରେ ସାରା ରାଜ୍ୟରେ ମଧ୍ୟ ଛତୁ ଫୁଟିଲା ଭଳି ନିଶା ନିବାରଣ କେନ୍ଦ୍ର‌ ଖୋଲିଗଲା।

ଉଦ୍‌ବେଗର କଥା ଯେ ନିଶାମୁକ୍ତ କରିବା ବାହାନାରେ ନିବାରଣ କେନ୍ଦ୍ରର କର୍ମଚାରୀମାନେ ନିଶାଡ଼ିଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଛନ୍ତି। ଗତ ୨ ରୁ ୩ବର୍ଷ ମଧ୍ୟରେ ବାରିପଦାରୁ ଭୁବନେଶ୍ବର ପର୍ଯ୍ୟନ୍ତ ସବୁଠି ମାଳମାଳ ଅଭିଯୋଗ ହୋଇଛି। ହତ୍ୟା ଅଭିଯୋଗ ହେଉଥିଲେ ବି ପ୍ରକୃତ ତଦନ୍ତ ହେଉନାହିଁ କି ମୃତ୍ୟୁର ପ୍ରକୃତ କାରଣ ପଦାକୁ ଆସୁନାହିଁ। କେତେକ ମାମଲାରେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ୍‌ ବସିଯାଉଛି। ଆଉ ଧୀରେଧୀରେ ମାମଲା ଆଗକୁ ନବଢ଼ି ପୁଲିସ ଫାଇଲ୍‌ ତଳେ ଚାପି ହୋଇ ରହିଯାଉଛି।

ନିୟମକୁ ଆଖିଠାର, ନିଦାବିଷ୍ଣୁ ପ୍ରଶାସନ
ନିଶା ନିବାରଣ କେନ୍ଦ୍ର ନିୟମ ମାନୁଛନ୍ତି ତ?
ସାରା ରାଜ୍ୟରେ ଅତ୍ୟାଚାରର ମାଳମାଳ ଦୃଷ୍ଟାନ୍ତ

ବଡ଼କଥା ହେଉଛି ସରକାରୀସ୍ତରରେ ନିଶା ନିବାରଣ କେନ୍ଦ୍ରକୁ ତାଗିଦ୍ କରିବା ପାଇଁ ଅନେକ ନିୟମ ରହିଛି। ଯେମିତିକି ପ୍ରାୟ ୧୫ ଜଣ ଅନ୍ତେବାସୀ ରହୁଥିବା କେନ୍ଦ୍ରରେ ସର୍ବନିମ୍ନ ୨ରୁ ୩ଟି ଶୌଚାଳୟ ରହିବା କଥା। ଅନ୍ତେବାସୀ ଖଟରେ ଶୋଇବେ। କେନ୍ଦ୍ର ପରିସର ସବୁ ବେଳେ ସଫାସୁତରା ରଖାଯିବ। କେଉଁଦିନ, କେଉଁ ଖାଦ୍ୟ ଖାଇବେ, ତାହାର ଏକ ତାଲିକା ପ୍ରସ୍ତୁତ କରାଯିବ। ଠିକ୍ ସମୟରେ ଚିକିତ୍ସା ସହ ଔଷଧ ଦିଆଯିବ। ଅନ୍ତେବାସୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ସିସିଟିଭି କ୍ୟାମେରା ଲଗାଯିବ। ୨୪ ଘଣ୍ଟିଆ ସୁରକ୍ଷାକର୍ମୀ ନିୟୋଜିତ ରହିବେ। କୌଣସି ଆପତ୍ତିଜନକ କିମ୍ବା ତାଲା ଭାଙ୍ଗିବା ପାଇଁ ବ୍ୟବହୃତ ସାମଗ୍ରୀ ରହିବ ନାହିଁ। ଅଭିଜ୍ଞ କର୍ମଚାରୀଙ୍କୁ ନିୟୋଜିତ କରାଯିବ। କିନ୍ତୁ ବାସ୍ତବ ସ୍ଥିତି ଭିନ୍ନ।

ନିଶା ନିବାରଣ କେନ୍ଦ୍ରଗୁଡ଼ିକ ନିୟମ ପାଳନ କରୁଛନ୍ତି କି ନାହିଁ, ତାହାର ନିୟମିତ ଯାଞ୍ଚ ହେଉନାହିଁ। ସ୍ଥାନୀୟ ପ୍ରଶାସନ ଓ ପୁଲିସ୍‌ ଏ ଦିଗରେ ଚିନ୍ତା କରୁନାହାନ୍ତି। ତେଣୁ ନିୟମକୁ ଆଖିଠାର ମାରି ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ମନଇଚ୍ଛା ନିଶା ନିବାରଣ କେନ୍ଦ୍ର ଖୋଲୁଥିବାର ଅଭିଯୋଗ ହେଉଛି। ଅନୁଷ୍ଠାନଗୁଡ଼ିକ ନିଶା ନିବାରଣ କେନ୍ଦ୍ର ଖୋଲି ଦୁଇ ବର୍ଷ ସଫଳତାର ସହ ଚଳା‌ଇବା ପରେ ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ବିଭାଗରେ କେନ୍ଦ୍ରୀୟ ଅନୁଦାନ ପାଇବା ପାଇଁ ଲାଗିପଡ଼ୁଛନ୍ତି। ଯୋଗ୍ୟତା ହାସଲ କରି ମୋଟା ରକମର ଅର୍ଥ ରୋଜଗାର କରୁଛନ୍ତି। ଏବେ ରାଜଧାନୀରେ ୧୦ରୁ ଅଧିକ ନିଶା ନିବା‌ରଣ କେନ୍ଦ୍ର ଥିବା ଜଣାପଡ଼ିଛି। ନିୟମକୁ କଡ଼ାକଡ଼ି ପାଳନ ନକଲେ ଆଗକୁ ଆହୁରି ଅଧିକ ଅଘଟଣ ଘଟିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ।

କିଛି ପ୍ରମୁଖ ଘଟଣାବଳୀ

ଗତ ନଭେମ୍ବର ୧ ତାରିଖରେ ଖଣ୍ଡଗିରି ଥାନା କୋଳଥିଆସ୍ଥିତ ନିଷ୍ଠା ନିଶା ନିବାରଣ କେନ୍ଦ୍ରର ଅନ୍ତେବାସୀ ରାଜୀବ ଶ୍ରୀଚନ୍ଦନଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ଖଣ୍ଡଗିରି ଥନାରେ ଅଭିଯୋଗ ହୋଇଥିଲା। ପରିବାର ଲୋକ ଏବଂ ସାଙ୍ଗ ମାନସଙ୍କ ଅଭିଯୋଗ ମୁତାବକ ଘଟଣାଦିନରୁ ସପ୍ତାହ ତଳେ ତାଙ୍କୁ ସେଠାରେ ଭର୍ତ୍ତି କରାଯାଇଥିଲା। ରାଜୀବ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ସେକ୍ସନ ଅଫିସର ଭାବେ କାର୍ଯ୍ୟରତ ଥିଲେ।

ତମାଣ୍ଡୋ କଳିଙ୍ଗବିହାରରେ ଥିବା କମ୍ୟୁନିଟି ଫାଉଣ୍ଡେସନ ଅଫ୍ ଇଣ୍ଡିଆ (ସିଏଫ୍ଆଇ) ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ନୂଆପଲ୍ଲୀର ଅକ୍ଷୟ ମାଝୀ ନାମକ ଯୁବକଙ୍କୁ ମାଡ଼ ମାରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ସେହିପରି ୨୦୧୫ ଡିସେମ୍ବର ୩୦ରେ ନହରକଣ୍ଟାସ୍ଥିତ ଏକ ନିଶା ନିବାରଣ କେନ୍ଦ୍ରରେ କେୟାର୍‌ଟେକର୍‌ ସୁମିତ ବେହେରାଙ୍କୁ ୩୬ ଜଣ ଅନ୍ତେବାସୀ ମିଶି ହତ୍ୟା କରିଥିଲେ।

୨୦୨୧ ଅଗଷ୍ଟ ୫ ତାରିଖରେ ପାଣ୍ଡରାସ୍ଥିତ ‘କୃପା ଫାଉଣ୍ଡେସନ୍’ ନିଶା ନିବାରଣ କେନ୍ଦ୍ରରେ ୨୩ ବର୍ଷୀୟ ଯୁବକ ତ୍ରିନାଥ ସେଠୀଙ୍କୁ ପିଟିପିଟି ହତ୍ୟା କରିବା ଅଭିଯୋଗ ଆଲୋଡ଼ନ ସୃଷ୍ଟି କରିଥିଲା। ପରେ ସହିଦନଗର ଥାନା ପୁଲିସ ହତ୍ୟା ମାମଲା ରୁଜୁ କରି ନିଶା ନିବାରଣ କେନ୍ଦ୍ରର ମାଲିକ କୀର୍ତ୍ତିଙ୍କ ସମେତ ଅନ୍ୟ ୪ଜଣଙ୍କୁ ଗିରଫ କରିଥିଲା।

ବାରିପଦା ରଘୁନାଥପୁର ଅଞ୍ଚଳରେ ଥିବା ସୁଧାର ନିଶା ନିବାରଣ କେନ୍ଦ୍ରରେ ମଧ୍ୟ ୬ ମାସ ଧରି ଚିକିତ୍ସିତ ହେଉଥିବା ଯୁବକ ଦୀପକ କୁମାର ଦାସଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ପରେ ପୁଲିସ ହତ୍ୟା ମାମଲା ରୁଜୁ କରି ସଂସ୍ଥାର ମାଲିକ ରାସଗୋବିନ୍ଦପୁର ଅଞ୍ଚଳର ଦେବବ୍ରତ ଘୋଷ, ବାରିପଦା ୱାର୍ଡ ନଂ-୮ ମାଳିସାହି ଅଞ୍ଚଳର ତୁଷାର କୁମାର ଦାସ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅଞ୍ଚଳର ବିଜେନ୍ଦ୍ର କୁମାର ମୁଖୀକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର