୫ ଲକ୍ଷ ଟଙ୍କାର ସୁନା ଗହଣା ଝାମ୍ପିନେଲେ

ଭୁବନେଶ୍ବର: ରାହାଜାନି ରୋକିବା ପାଇଁ କମିସନରେଟ୍‌ ପୁଲିସ ଯେତିକି ତତ୍ପର, ଲୁଟେରା ମଧ୍ୟ ସେତିକି ଚତୁର। ଘରଠାରୁ ବଜାର ପର୍ଯ୍ୟନ୍ତ ମହିଳାଙ୍କୁ ପିଛା କଲା ପରେ ସୁଯୋଗ ଉଣ୍ଡି ଝାମ୍ପି ନେଉଛନ୍ତି ସୁନା ଗହଣା, ମୋବାଇଲ ଓ ନଗଦ ଟଙ୍କା। ଦୁଇଦିନ ତଳେ ନୂଆପଲ୍ଲୀ ଇନ୍ଦ୍ରଧନୁ ମାର୍କେଟ ଅଞ୍ଚଳରୁ ଜଣେ ମହିଳାଙ୍କଠାରୁ ୮୦ ଗ୍ରାମ୍‌ ଓଜନର ସୁନା ଗହଣା ଲୁଟି ନେଇଛନ୍ତି। ଲୁଟ୍‌ ସୁନାଗହଣାର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଅନୁମାନ କରୁଛି। ଅଭିଯୋଗ ପାଇବା ପରେ ନୂଆପଲ୍ଲୀ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବଜାରରୁ ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ଖୋଳତାଡ଼ କରୁଛି। ହେଲେ ଲୁଟେରାଙ୍କୁ ପାଇ ନାହିଁ।

ଅଭିଯୋଗ ମୁତାବକ, ଅନଗୁଳୁର ରାଜେଶ ପ୍ରଧାନଙ୍କ ପତ୍ନୀ ପ୍ରଜ୍ଞା ପାରମିତା ସାହୁ ନୂଆପଲ୍ଲୀ ଏନ୍‌/୫ରେ ସପରିବାର ରହନ୍ତି। ଗତ ୨୦ ତାରିଖରେ ସେ ତାଙ୍କର ଥିବା ସମସ୍ତ ସୁନା ଗହଣା ଭ୍ୟାନିଟିରେ ରଖି ମରାମତି କରିବା ପାଇଁ ନେଉଥିଲେ। ରାତି ପ୍ରାୟ ସାଢ଼େ ୮ଟା ବେଳ‌େ କାର୍‌ ଯୋଗେ ସେ ଇନ୍ଦ୍ରଧନୁ ମାର୍କେଟ୍‌ରେ ପହଞ୍ଚିଥିଲେ। କାର୍‌ ବାମପଟେ ରଖି ଡାହାଣ ପଟକୁ ଯିବାକୁ ରାସ୍ତା ପାର୍‌ ହେଉଥିବା ‌ବେଳେ ଦୁଇଜଣ ଲୁଟେରା ବାଇକ୍‌ରେ ଆସି ତାଙ୍କ କାନ୍ଧରୁ ଭ୍ୟାନିଟି ଝାମ୍ପି ନେଇଥିଲେ। ଭ୍ୟାନିଟିରେ ଅନେକ ଜରୁରୀ କାଗଜପତ୍ର ସହ ମୋବାଇଲ ଓ ସୁନା ଗହଣା ଥିଲା। ଏ ନେଇ ସେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କରି ପେରିବା ବେ‌ଳେ ଲୁଟେରା ଝାମ୍ପି ନେଇଥିବା ମୋବାଇଲ ଫୋନ୍‌କୁ କଲ୍‌ କରିଥିଲେ। ଫୋନ୍‌ ଜଣେ ଯୁବକ ଉଠାଇଥିଲା। ମୋବାଇଲ ଫୋନ୍‌ ରାସ୍ତାରେ ପଡ଼ିଥିବା କହିଥିଲା। ସମ୍ପୃକ୍ତ ଯୁବକର କହିବା ଅନୁସାରେ ସାଲିଆସାହି ପାଖରୁ ସେ ମୋବାଇଲ ଫୋନ୍‌ ପାଇଥିଲେ। ଗୋଟିଏ ଦିନ ପରେ ଜଣେ ମହିଳା ତାଙ୍କୁ ଫୋନ୍‌ କରି ତାଙ୍କ ଭ୍ୟାନିଟି ଓ କାଗଜପତ୍ର ପଡ଼ିଥିବା କହିଥିଲେ। ପ୍ରଜ୍ଞା ସେଠାରୁ ଯାଇ ଭ୍ୟାନିଟି ସଂଗ୍ରହ କରିଥିଲେ। ହେଲେ ଅଦ୍ୟାବଧି ଲୁଟେରାଙ୍କ ପତ୍ତା ମିଳିନାହିଁ।

ସମ୍ବନ୍ଧିତ ଖବର