ବ୍ୟବସାୟୀଙ୍କୁ ଅପହରଣ କରି ୫ ଲକ୍ଷ ଲୁଟ୍

ଲୋକାଲ୍ ଦାଦା ଚିନୁ ସମେତ ୨ଗିରଫ

ଭୁବନେଶ୍ବର: ଜମି ବ୍ୟବସାୟୀଙ୍କୁ ଅପହରଣ କରି ନିସ୍ତୁକ ମାଡ଼ ମାରିବା ସହ ୫ ଲକ୍ଷ ୭୦ହଜାର ଟଙ୍କା ଲୁଟିବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ଖଣ୍ଡଗିରି ସୌଭାଗ୍ୟନଗରର ଶରତ ପ୍ରଧାନ ଓରଫ ଚିନୁ ଓ ନୂଆପଲ୍ଲୀ ନେହରୁ ବସ୍ତିର ପବିତ୍ର ବେହେରା ଓରଫ ମୁନା।

ଅପହୃତ ଜମି ବ୍ୟବସାୟୀ ପ୍ରକାଶ ଚନ୍ଦ୍ର ନାୟକଙ୍କ ଅଭିଯୋଗ ଅନୁଯାୟୀ, ଗତ ୧୪ ଅଗଷ୍ଟରେ ତାଙ୍କୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା। ଭରତପୁର ଅଞ୍ଚଳରେ ଏକ ଜାଗା କିଣିବାକୁ କହି କିଛି ଯୁବକ ତାଙ୍କୁ ୟୁନିଟ୍-୮ସ୍ଥିତ ସନ୍‌ରାଇଜିଂ କ୍ଲବ୍‌ ନିକଟକୁ ଡକାଇଥିଲେ। ପ୍ରକାଶ ତାଙ୍କର ଜଣେ ସହଯୋଗୀ ଓ ଡ୍ରାଇଭର୍‌ଙ୍କୁ ନେଇ ସେଠାକୁ ଯାଇଥିଲେ। ସେଠାରେ ପହଞ୍ଚୁ ପହଞ୍ଚୁ ୩ଜଣ ଯୁବକ ତାଙ୍କୁ ଟେକି ନେଇ କ୍ଲବ୍ ଘରେ ବନ୍ଦୀ କରିଦେଇଥିଲେ। ପରେ ତାଙ୍କୁ ଅନ୍ୟ ଏକ ଗେଷ୍ଟ ହାଉସ୍‌ରେ ରଖିଥିଲେ। ତାଙ୍କୁ ଉଲଗ୍ନ କରି ମାଡ଼ ମାରିବା ସହ ବନ୍ଧୁକ, ଛୁରି ଦେଖାଇ ଟଙ୍କା ମାଗିଥିଲେ। ପ୍ରକାଶ ତାଙ୍କ ପାଖରେ ଥିବା ଏଟିଏମ୍ ଓ ଚେକ୍‌-ବୁକ୍ ଅଭିଯୁକ୍ତମାନଙ୍କୁ ଦେଇଦେବାରୁ ସେମାନେ ତାଙ୍କ ଆକାଉଣ୍ଟରୁ ୫ଲକ୍ଷ ୭୦ ହଜାର ଟଙ୍କା ଉଠାଇ ନେଇଥିଲେ। ୧୬ ତାରିଖ ସନ୍ଧ୍ୟାରେ ସେମାନେ ପ୍ରକାଶଙ୍କୁ ଛାଡ଼ି ଦେଇଥିଲେ। ଏ ସଂପର୍କରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ଚିନୁ ଓ ମୁନାକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର୍‌ ଥିବା ଜଣାଯାଇଛି।

ପୁଲିସ ସୂଚନା ମୁତାବକ, ଚିନୁ ନାଁରେ ୪ଟି ଦାଦାବଟି ମାମଲା ରହିଛି। ୨୦୧୯ରେ ଜଳେଶ୍ବରରେ ଥିବା ଏକ ଜଳଖିଆ ଦୋକାନୀକୁ ୧୦ହଜାର ଟଙ୍କା ଦାଦାବଟି ମାଗିଥିଲା। ଟଙ୍କା ନ ଦେବାରୁ ସେ ତାଙ୍କୁ ମାଡ଼ ମାରିବା ସହ ଦୋକାନ ଭଙ୍ଗାରୁଜା କରିଥିଲା।

ସମ୍ବନ୍ଧିତ ଖବର