ଭୁବନେଶ୍ୱର: ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟ’ ପକ୍ଷରୁ ‘ଗିଫ୍ଟ ଏ ପ୍ଲାଣ୍ଟ୍’ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଷ୍ଠାନ ପକ୍ଷରୁ ୧ ଲକ୍ଷରୁ ଊର୍ଦ୍ଧ୍ବ ବୃକ୍ଷ ବଣ୍ଟନ କରାଯାଉଅଛି। ଓଡିଶାର ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲାମାନଙ୍କରେ ଚଳିତବର୍ଷ ୫ ଲକ୍ଷ ବୃକ୍ଷ ବଣ୍ଟନ କରାଯିବାର ପ୍ରୟାସ ଜାରି ରହିଛି ବୋଲି ‘ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟ’ର ପରାମର୍ଶଦାତା ଆକାଶ ଦାସନାୟକ କହିଥିଲେ।
ଶ୍ରୀ ଦାସନାୟକ କହିଥିଲେ- ଜୀବଜଗତ ବଞ୍ଚିରହିବା ପାଇଁ ଗଛଲତା, ନଦୀ, ସମୁଦ୍ର ଆଦି ନିତ୍ୟାନ୍ତ ଜରୁରୀ, ଯାହାକି ଜୀବଜଗତକୁ ଜୀବନଧାରଣ ନିମନ୍ତେ ଅମ୍ଳଜାନ, ଔଷଧ, ଖାଦ୍ୟ ଓ ବାସସ୍ଥାନ ଯୋଗାଇଆସିଛି । କିନ୍ତୁ ମନୁଷ୍ୟ ଲୋଭ ଓ ସ୍ୱାର୍ଥସାଧନ ନିମନ୍ତେ ଦିନକୁ ଦିନ ପ୍ରକୃତି ଓ ପରିବେଶ ଉପରେ ଦାଉ ସାଧୁଛି। ନିଜର ସ୍ୱାର୍ଥ ସାଧନ ନିମନ୍ତେ ଅବାଧ ଗଛକଟା ଯୋଗୁ ଦିନକୁ ଦିନ ଗ୍ଲୋବାଲ ୱାର୍ମିଂ ପ୍ରଭାବ ବଢିବଢି ଚାଲିଛି। ଫଳସ୍ୱରୂପ ଦିନ ତାପମାତ୍ରା ବଢିଚାଲିଥିବାବେଳେ ବର୍ଷାର ପରିମାଣ କମିକମି ଆସିଲାଣି। ମଣିଷ ସମେତ ସମଗ୍ର ଜୀବଜଗତର ଜୀବନ ଧାରଣ ନିମନ୍ତେ ଶୁଦ୍ଧ ଅମ୍ଲଜାନର ଆବଶ୍ୟକତା ରହିଛି। ସେଥିପାଇଁ ବୃକ୍ଷରୋପଣ ନିତ୍ୟାନ୍ତ ଆବଶ୍ୟକ ଅଟେ। କିନ୍ତୁ ଅବାଧ ଗଛକଟା ସହିତ କଳକାରଖାନା ଓ ଗାଡିମଟରର ଅହେତୁକ ସଂଖ୍ୟା ବୃଦ୍ଧି ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଓ କାର୍ବନ ମନୋକ୍ସାଇଡ୍, କ୍ଲୋରୋଫ୍ଲୋରୋ କାର୍ବନ, ମିଥେନ୍, ନାଇଟ୍ରସ୍ ଅକ୍ସାଇଡ୍ ଭଳି ବିଷାକ୍ତ ଗ୍ୟାସ ବୃଦ୍ଧି କରିଥାଏ। ଫଳସ୍ୱରୂପ ବାୟୁମଣ୍ଡଳରେ ଥିବା ଓଜୋନ୍ ସ୍ତରରେ ରନ୍ଧ୍ର ହେବାଯୋଗୁଁ ସୂର୍ଯ୍ୟଙ୍କ ଠାରୁ ବିକିରଣ ହେଉଥିବା ଅତି ବାଇଗଣୀ ରଶ୍ମି ପୃଥିବୀପୃଷ୍ଠରେ ପଡିଥାଏ। ଯାହାକି ତାପମାତ୍ରା ବୃଦ୍ଧି ସହିତ ଚର୍ମକର୍କଟ ଭଳି ରୋଗକୁ ସୃଷ୍ଟି କରିଥାଏ । ଏହିପରି ବାୟୁମଣ୍ଡଳ ସନ୍ତୁଳିତ ହେଲେ ଆଗାମୀ ଭବିଷ୍ୟତପିଢୀ ଏକ ବିରାଟ ଅସୁବିଧାର ସମ୍ମୁଖୀନ ହେବେ। ଆମେ ସମସ୍ତେ ଭବିଷ୍ୟତପିଢୀ ପାଇଁ ଚିନ୍ତାକରି ବୃକ୍ଷରୋପଣଙ୍କୁ ଆଗକୁ ନେବାକୁ ପଡିବ ଏବଂ ପ୍ରଚୁର ପରିମାଣର ବୃକ୍ଷରୋପଣ ନିତ୍ୟାନ୍ତ ଆବଶ୍ୟକ ଅଟେ।
/sambad/media/post_attachments/wp-content/uploads/2023/08/15fcb4d2-dfdf-4eb6-ad74-7ab46ba280aa-e1692798030477-1024x581.jpg)
ଶ୍ରୀ ଦାସନାୟକଙ୍କ ନେତୃତ୍ୱରେ ଆଜି ଦିବା ୯ ଘଟିକା ସମୟରେ ଭୁବନେଶ୍ୱର ପଟିଆରେ ‘ଗିଫ୍ଟ ଏ ପ୍ଲାଣ୍ଟ୍’ କାର୍ଯ୍ୟକ୍ରମ ମାଧ୍ୟମରେ ୫ ହଜାର ବୃକ୍ଷ ବଣ୍ଟନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ‘ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟ’ର ସମ୍ପାଦିକା ଶୁଭ୍ରାଜ୍ୟୋତି ଦାସନାୟକ କହିଥିଲେ- ପରିବେଶ ବଞ୍ଚାଇବା ପାଇଁ ଗଛ ଲଗାଇବା ନିତ୍ୟାନ୍ତ ଆବଶ୍ୟକ ଅଟେ । ଏହି ମହତ କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ‘ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟ’ ଅନେକ ସମୟରେ ସମାଜର ମୁଖ୍ୟସ୍ରୋତରେ ଯେଉଁମାନେ ନାହାଁନ୍ତି, ସମାଜରେ ଅବହେଳିତ ହୋଇ ରହିଥିବା ଲୋକମାନଙ୍କ ମୁହଁରେ ଟିକେ ହସ ଫୁଟାଇବାପାଇଁ ଅନେକ ଭିନ୍ନ ଧରଣର କାର୍ଯ୍ୟକ୍ରମ ଯଥା – ‘ଥିଲେ ଦିଅ ନଥିଲେ ନିଅ’, ‘ତାରେ ଜମିନ୍ ପର୍’, ‘ଚାଲ ଖୁସି ବାଣ୍ଟିବା’, ‘ବଡଦିନ ବଡସ୍ୱପ୍ନ’, ‘ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର’ ଆଦି ଆୟୋଜନ କରାଯାଏ । ଏହି କାର୍ଯ୍ୟକ୍ରମରେ ‘ଉଡ୍ର ଚାରିଟେବୁଲ ଟ୍ରଷ୍ଟ’ର ପରାମର୍ଶଦାତା ଆକାଶ ଦାସନାୟକ, ଦେବବ୍ରତ ଧୀର, ‘ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟ’ର ସଭାପତି ଶମ୍ଭୁକଲ୍ୟାଣ ଦାସ, ଉପସଭାପତି ଡଃ. ସୂର୍ଯ୍ୟପ୍ରକାଶ ଏସ୍. ଚୌଧୁରୀ, ‘ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟ’ର ସମ୍ପାଦିକା ଶୁଭ୍ରାଜ୍ୟାତି ଦାସନାୟକ, ଶୁଭଶ୍ରୀ ମଙ୍ଗରାଜ, ବୈଷ୍ଣବ ଭୋଳ, ଆଦିତ୍ୟ ଚୌଧୁରୀ, ଅସିତ୍ କୁମାର ସାହୁ, ଅମୂଲ୍ୟ ସ୍ୱାଇଁ, ପୱନ ପାତ୍ରୋ, ଇପ୍ସିତା, ଅଜାତ୍, ଜୋଷିକା, ନଭନିତ୍, ଭାଗ୍ୟଧର ସାମଲ, କିଶୋର ଦାସ ପ୍ରମୂଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/2f06d02f-bb02-48a2-9d30-545dc86ef978.jpg)