ବାଲିଅନ୍ତା: ବେଣ୍ଟପୁର ଜଳସେଚନ ସେକ୍ସନ ପଟୁପଟା ଡିଷ୍ଟ୍ରିବ୍ୟୁଟାରି କେନାଲରୁ ବାହାରି ଥିବା ବିଭିନ୍ନ ଶାଖା କେନାଲ ଶଯ୍ୟା ସଫେଇରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଗଲା। ହେଲେ ଶାଖା କେନାଲର ତଳମୁଣ୍ଡ ପର୍ଯ୍ୟନ୍ତ ପାଣି ପହଞ୍ଚିପାରୁନି। ଅନ୍ୟପକ୍ଷରେ କେନାଲ ପାଣି ଚକନାଳି ପର୍ଯ୍ୟନ୍ତ ଯୋଗାଣ ହୋଇପାରୁନଥିବାରୁ ରୁଆ ବେଉଷଣ କାର୍ଯ୍ୟ ଆଗେଇ ପାରୁନି। ଜମିରେ ଜଳସେଚନ ନେଇ ଚାଷୀମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଯୋଗୁଁ ଚିତାଲାଗି ଅମାବାସ୍ୟା ପରେ ମଧ୍ୟ ଅଧିକାଂଶ ଚାଷୀଙ୍କ ପହିଲି ରୁଆ ଆରମ୍ଭ ହୋଇପାରିନି। ବର୍ଷା ପାଣିରେ କିଛି କିଛି ଖାଲୁଆ ଜମିରେ ଯାହା ଚାଷ କାର୍ଯ୍ୟ ଚାଲିଛି। ବିଲଡରଙ୍କ କବ୍‌ଜାରେ ଥିବା ଚାଷ ଜମି ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ ଅଧିକାଂଶ ମୌଜାରେ ଚାଷ ଜମି ଶୁଖିଲା ପଡ଼ିଛି। କେନାଲ ପାଣିକୁ ଚାଷୀ ଚାହିଁ ରହିଥିବା ବେଳେ ଚକନାଳିରେ ପାଣି ଆସୁନି। ଏନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପଟୁପଡ଼ା ଡିଷ୍ଟ୍ରିବ୍ୟୁଟାରି କେନାଲ ସଫେଇ କାର୍ଯ୍ୟରେ ଅନିୟମିତତା ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କେନାଲ ସଫେଇ ଆଳରେ ୫ ଲକ୍ଷ ଖର୍ଚ୍ଚ ହେଲା ସିନା ତାହା ପାଣିରେ ପଡ଼ିବା ଯାହା ସାର ହେଲା ବୋଲି ଅନେକ ଚାଷୀ ଅଭିଯୋଗ କରିଛନ୍ତି।

Advertisment

ସୂଚନା ଅନୁସାରେ ରଣପୁର, କାଜିପୁର, ବ୍ରାହ୍ମଣ ସୁଆଁଲୋ, ବାଲିଗୁଣ୍ଡି, ସରକଣା, ଭାରତିବାଗ, ଲୁଣା, ସରକଣା ଉପରମୁଣ୍ଡ ସାହି, ଲୁଣା, ଅଞ୍ଜିରା ଆଦି ଶାଖା କେନାଲ ଏକ୍ସାଭେଟର ମେସିନ ଲଗାଇ ଖାଲି ଘାସ ରମ୍ପା ଯାଇଛି। କେନାଲ ଶଯ୍ୟା ଭିତର ଭଲଭାବେ ଖନନ କରାଯାଇନଥିବାରୁ ପାଣି ଯୋଗାଣ ସମ୍ଭବ ହେଉନାହିଁ।