ବାଲିଅନ୍ତା : ବାଳକାଟି ଫାଣ୍ଡି ପୁଲିସ ଆଜି ପୃଥକ୍‌ ପୃଥକ୍‌ ଲୁଟ୍‌ ମାମଲାରେ ୫ଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ, ବାଲିଅନ୍ତା ଥାନା ଅଧୀନ ଅଲାରପୁର ଗ୍ରାମର ଟୁକୁ ଓରଫ ବିଦ୍ୟାଧର ବେହେରା (୨୧), ଏୟାରଫିଲ୍ଡ ଥାନା ଅଧୀନ ବରକୁଦ ଗ୍ରାମର ଶିବାଶିଷ କାଣ୍ଡି ଓରଫ ବାବୁ, ବାଲିଅନ୍ତା ଥାନା ଅଧୀନ ରୋକଟ ଗ୍ରାମର ବିଶ୍ବଜିତ ଭୋଇ ଓରଫ ପପୁଆ(୨୦), ସହିଦନଗର ଥାନା କେଶୁରା ଅଞ୍ଚଳର ଦୀପକ ସ୍ବାଇଁ ଓରଫ ଦିପୁନା(୨୪) ଏବଂ ସଂଗ୍ରାମ ପ୍ରଧାନ ଓରଫ ଦୀପୁ। ଜାମିନ ନାମଂଜୁର ହେବାରୁ ସମସ୍ତଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନାଗହଣା, ସ୍କୁଟର, ୫ଟି ମୋବାଇଲ ଓ ଗୋଟିଏ ପାୱାର ବ୍ୟାଙ୍କ ଆଦି ଚୋରି ସାମଗ୍ରୀ ଜବତ କରାଯାଇଛି। ଏନେଇ ବାଲିଅନ୍ତା ଥାନାରେ ନଂ ୧୨୦/୧୯ ଓ ୧୩୬/୧୯ରେ ଦୁଇଟି ମାମଲା ରୁଜୁ ହୋଇଛି। ଫନି ବାତ୍ୟା ପରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ସମୟରେ ଏହି ଲୁଟେରାମାନେ ବାଲିଅନ୍ତା ଥାନା ଅଞ୍ଚଳରେ ସକ୍ରିୟ ହୋଇ ଉଠିଥିଲେ। ଗରମରୁ ରକ୍ଷା ପାଇଁ ଲୋକେ ଛାତ ଉପରେ ଶୋଉଥିବାର ସୁଯୋଗ ନେଇ ଲୋକଙ୍କ ଘରେ ପଶି କଳାକନା ବୁଲାଇଥିଲେ। ମେ’ ୯ ତାରିଖ ବିଳମ୍ବିତ ରାତିରେ ବାଳକାଟି ଫାଣ୍ଡି ଅଧୀନ ପୁରୁଣା ମକଦ୍ଦମ ସାହିର ସୁଧାଂଶୁ ଶେଖର ସାହୁଙ୍କ ଘରୁ ସ୍କୁଟର, ଗୋଟିଏ ମୋବାଇଲ ଓ ଗୋଟିଏ ପାୱାର ବ୍ୟାଙ୍କ ସମେତ ଆଲମିରା ତାଲା ଭାଙ୍ଗି ସୁନା ଚେନ୍‌, ସୁନା ମୁଦି ଓ ଟଙ୍କା ଲୁଟି ନେଇଥିଲେ। ସେହିପରି ଉମାଦେଇ ବ୍ରହ୍ମପୁର ପଞ୍ଚାୟତ ଅଧୀନ ରାହାଡ଼ମୁଣ୍ଡା ଗ୍ରାମର ତ୍ରୈଲୋକ୍ୟ ବିହାରୀ ନାୟକଙ୍କ ଘରୁ ଅନୁରୂପ ଭାବେ ଦୁଇଟି ସୁନାହାର, ସୁନା ଚେନ, ସୁନା ମୁଦି ଓ ୫୦ ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଦୁଇଦିନ ତଳେ ଏହି ଗ୍ୟାଙ୍ଗ ଲୁଟ୍‌ ପାଇଁ ଯୋଜନା ଚଳାଇଥିଲା। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବାଳକାଟି ଫାଣ୍ଡି ଅଧିକାରୀ ଦେବେନ୍ଦ୍ର ସାହୁ ଅତର୍କିତ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ କାବୁ କରି ନେଇଥିବା ନେଇ ସୂଚନା ମିଳିଛି।