ଖଣ୍ଡଗିରି: ଏକ ବଡ଼ଧରଣ ବାଇକ୍ଚୋର ଗ୍ୟାଙ୍ଗ୍କୁ କମିସନରେଟ୍ ପୁଲିସ କାବୁ କରିଛି। ରାଜଧାନୀର ବିଭିନ୍ନ ଥାନାରେ ବାଇକ୍ ଚୋରି ନେଇ ଅଭିଯୋଗ ହୋଇଥିଲା। ତମାଣ୍ଡୋ ଥାନାରେ ମଧ୍ୟ ବାଇକ୍ ଚୋରି ଅଭିଯୋଗ ହୋଇଥିଲା। ତମାଣ୍ଡୋ ଥାନା ପୁଲିସ ତଦନ୍ତ କରି ବାଇକ୍ ଚୋରି ରୢାକେଟ୍କୁ ଧରିବାରେ ସଫଳ ହୋଇଛି। ଏହି ମାମଲାରେ ୫ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୬ଟି ବୁଲେଟ୍ ସମେତ ୧୧ଟି ବାଇକ୍ ଜବତ କରାଯାଇଛି। ଏହି ଲୁଟେରାମାନେ ବିଶେଷ କରି ବୁଲେଟ୍ ଗାଡ଼ିଗୁଡ଼ିକୁ ଟାର୍ଗେଟ୍ କରୁଥିଲେ। ଦାମୀ ଗାଡ଼ି ଚୋରି କରି ଭଡ଼ା ଘରେ ରଖି ଗ୍ରାହକ ଯୋଗାଡ଼ କରି ବିକ୍ରି କରୁଥିଲେ। ତେବେ ଏକ ଚୋରାବାଇକ୍ରେ ଜଣେ ଅଭିଯୁକ୍ତ ବୁଲୁଥିବା ବେଳେ ଗାଡ଼ିମାଲିକ ଦେଖି ଗାଡ଼ିର ପିଛା କରିଥିଲେ। ପରେଏନେଇ ପୁଲିସକୁ ଖବର ଦେବାକୁ ପୁଲିସ ପହଞ୍ଚି ଅଭିଯୁକ୍ତକୁ ମାଡ଼ିବସିଥିଲା। ତ’ପରେ ସମ୍ପୂର୍ଣ୍ଣ ଗ୍ୟାଙ୍ଗକୁ ପୁଲିସ ଗିରଫ କରିଥିଲା। ଏହି ଗ୍ୟାଙ୍ଗ୍ରେ ରାଜ୍ୟ ବାହାର ଲିଙ୍କ୍ ନେଇ ପୁଲିସ ଅଧିକ ତଦନ୍ତ ଚଳାଇଥିବା ସୂଚନା ମିଳିଛି।
ଅଭିଯୋଗକାରୀ ସନ୍ତୋଷ ସାହୁଙ୍କ ଅଭିଯୋଗ ମୁତାବକ, କିଛିଦିନ ତଳେ କଳିଙ୍ଗବିହାର ଅଞ୍ଚଳରୁ ତାଙ୍କର ବାଇକ୍ ଚୋରି ହୋଇଥିଲା। ଏନେଇ ସେ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ। ତମାଣ୍ଡୋ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଆଜି ଏମ୍ସନଗର, ପାତ୍ରପଡ଼ା ଅଞ୍ଚଳର ମନୀଷ (୨୧) ସନ୍ତୋଷଙ୍କ ବାଇକ୍ ଚଳାଉଥିବା ପୁଲିସ ଖବର ପାଇଥିଲା। ପୁଲିସ ସେମାନଙ୍କ ପିଛା କରିବା ସହିତ ତମାଣ୍ଡେ ବଜାର ନିକଟରେ ଅଟକାଇଥିଲା। ଗାଡ଼ିରେ ବସିଥିବା ମନୀଷ ଓ ରାଜସୁନାଖଳାର ବାବୁରାଓ ଆଚାର୍ଯ୍ୟ(୨୪)କୁ ଥାନାକୁ ନେଇ ପଚରାଉଚରା କରିଥିଲା। ଏହି ସମୟରେ ସେମାନଙ୍କ ନିକଟରୁ ବାଇକ୍ ଚୋରି ସମ୍ପର୍କରେ ଜାଣିବାକୁ ପାଇଥିଲା। ଅଧିକ ପଚରାଉଚରା ପରେ ଦୁଇ ଅଭିଯୁକ୍ତଙ୍କ ପାଖରେ ଆହୁରି ୭ଟି ଚୋରାବାଇକ୍ ରହିଥିବା ପୁଲିସ ଜାଣିବାକୁ ପାଇଥିଲା।
ସେହିପରି ମାମଲାର ଅନ୍ୟ ଅଭିଯୁକ୍ତ ପାତ୍ରପଡ଼ା ଅଞ୍ଚଳର ସନ୍ତୋଷ କୁମାର ବେହେରା(୨୨) ଓ ସଚିନ ଗୌଡ଼(୨୩) ଏବଂ ତମାଣ୍ଡୋ ଭାଲିଆପଡ଼ାର ବିଜନ କୁମାର ସ୍ବାଇଁ(୩୧)ଙ୍କୁ ପଚରାଉଚରା କରିଥିଲା। ସେମାନଙ୍କ ପାଖରୁ ଆହୁରି ୩ଟି ଚୋରାବୁଲେଟ୍ ଜବତ ହୋଇଥିଲା। ମନୀଷ ଓ ବାବୁରାଓ ନାଁରେ ପୂର୍ବରୁ ଶ୍ରୀଲିଙ୍ଗରାଜ ଥାନା, ମୈତ୍ରୀବିହାର ଓ ପିପିଲି ଥାନାରେ ଚୋରି ମାମଲା ରହିଛି। ସେହିପରି ଅଭିଯୁକ୍ତ ବିଜନ ନାଁରେ ତମାଣ୍ଡୋ ଥାନାରେ ପାଞ୍ଚଟି ଅପରାଧିକ ମାମଲା ରହିଛି।
୫ଜଣିଆ ବାଇକ୍ଚୋର ଗ୍ୟାଙ୍ଗ୍ ଠାବ
ଏକ ବଡ଼ଧରଣ ବାଇକ୍ଚୋର ଗ୍ୟାଙ୍ଗ୍କୁ କମିସନରେଟ୍ ପୁଲିସ କାବୁ କରିଛି। ରାଜଧାନୀର ବିଭିନ୍ନ ଥାନାରେ ବାଇକ୍ ଚୋରି ନେଇ ଅଭିଯୋଗ ହୋଇଥିଲା। ତମାଣ୍ଡୋ ଥାନାରେ ମଧ୍ୟ ବାଇକ୍ ଚୋରି ଅଭିଯୋଗ ହୋଇଥିଲା।
/sambad/media/media_files/2025/06/15/ZoXQb8YXKAygM70A9q5H.jpg)