‌ଗୋଟିଏ ପରିବାରର ୫ଜଣ ପୋଡ଼ିଯିବା ଘଟଣା: ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଆରମ୍ଭ

ବାଲିଅନ୍ତା: ନିଆଁରେ ପୋଡ଼ି ହୋଇ ସରକଣା ଗ୍ରାମର ଗୋଟିଏ ପରିବାରର ୫ଜଣ ଆହତ ହେବା ଘଟଣାକୁ ୨୪ ଘଣ୍ଟାରୁ ଊର୍ଧ୍ବ ସମୟ ବିତି ଯାଇଥିଲେ ହେଁ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ। ପାରିବାରିକ କଳହରୁ ଏହି ଅଘଟଣ ଘଟିଛି ନା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୂରା ପରିବାରକୁ ନିପାତ କରିବା ପାଇଁ କେହି ଚେଷ୍ଟା କରିଛି, ସେନେଇ ପୁଲିସ୍‌ ତଦନ୍ତ ଜାରି ରଖିଛି। ଆଜି ପୂର୍ବାହ୍ନରେ ବାଳକାଟି ଫାଣ୍ଡି ଅଧିକାରୀ ମମତାଜ ଅଲ୍ଲୀ ଖାନଙ୍କ ସମେତ ୬ଜଣିଆ ସାଇଣ୍ଟିଫିକ୍‌ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ପାଲୁଣି ଦାଶଙ୍କ ଘର ଆଗରେ ଥିବା ପାନ, ଜଳଖିଆ ଦୋକାନ, ପୁଲିସ ଦ୍ବାରା ଜବତ ହୋଇଥିବା ପେଟ୍ରୋଲ ଭର୍ତ୍ତି ଜାରକିନ୍‌, ସେଠାରେ ପଡ଼ିଥିବା ପୋଡ଼ା ବସ୍ତ୍ରର କିଛି ଟୁକୁଡ଼ା ଆଦି ସଂଗ୍ରହ କରିଥିଲା। ସେସବୁକୁ ପରୀକ୍ଷା ପାଇଁ ରସୁଲଗଡ଼ସ୍ଥିତ ଫରେନସିକ୍‌ ଲାବରେଟୋରିକୁ ପଠାଯାଇଛି।

ଅପରପକ୍ଷେ ପୁଲିସ୍‌ କିଛି ପ୍ରତ୍ୟକ୍ଷଦର୍ଶୀ ଗ୍ରାମବାସୀଙ୍କ ବୟାନ ମଧ୍ୟ ରେକର୍ଡ କରିଛି। ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି। ତେବେ ପରିବାରଲୋକ ସୁସ୍ଥ ହେବା ପରେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି କୁହାଯାଉଛି।

ସୂଚନା ଅନୁସାରେ, ପାଲୁଣିଙ୍କ ଘରେ ଜ୍ବାଇଁ ଚିତ୍ତରଞ୍ଜନ ବେହେରା ଓ ବଡ଼ଝିଅ ସୁକଲତା ରହୁଛନ୍ତି। ଚିତ୍ତରଂଜନ ଜଣେ ଡ୍ରାଇଭର୍‌। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଗତକାଲି କୌଣସି କଥାକୁ କେନ୍ଦ୍ର କରି ସେ ପାଲୁଣିଙ୍କ ଜଳଖିଆ ଦୋକାନ ନିକଟରେ ପାଟିତୁଣ୍ଡ କରୁଥିଲେ। ପତ୍ନୀ ସୁକଲତା ତାଙ୍କୁ ବୁଝାସୁଝା କରି ଘରକୁ ନେଇଥିଲେ। ଏହାର ମାତ୍ର ଅଳ୍ପ ସମୟ ପରେ ଅଗ୍ନିକାଣ୍ଡ ଘଟିଥିଲା।

ଏହି ଅଗ୍ନିକାଣ୍ଡରେ ପାଲୁଣି, ଚିତ୍ତରଞ୍ଜନ, ସୁକଲତା ଓ ତାଙ୍କ ପୁଅ ମିଲନଙ୍କ ଦେହ ୫୦ଭାଗ ପୋଡ଼ି ଯାଇଥିବା ଜଣାଯାଇଛି। ଏବେ ସେମାନଙ୍କ ଅବସ୍ଥା ଆହୁରି ଖରାପ ଥିବା ଜଣାଯାଇଛି। ସାମାନ୍ୟ ଆହତ ହୋଇଥିବା ପାଲୁଣିଙ୍କ ସ୍ବାମୀ ସୋମନାଥ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରି ଆସିଥିବା ବେଳେ ଅନ୍ୟ ୪ଜଣ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର