ଭୁବନେଶ୍ବର: କାର୍ଯ୍ୟକ୍ଷେତ୍ରରେ ଦୀର୍ଘ ସମୟ ଧରି ବସି ରହିବା ଯୋଗୁଁ ମେରୁଦଣ୍ଡରେ ଚାପ ସୃଷ୍ଟି ହୁଏ। ଏଥିଯୋଗୁଁ ଅଣ୍ଟା, କାନ୍ଧ ବଥାଠାରୁ ଆରମ୍ଭ କରି ମାଇଗ୍ରେନ୍‌ ଭଳି ରୋଗ ବଢ଼ିବାରେ ଲାଗିଛି। ଏହାର ସମାଧାନ ପାଇଁ ଏମ୍‌ସ ଆୟୁଷ ବିଭାଗ ପକ୍ଷରୁ କାର୍ଯ୍ୟକ୍ଷେତ୍ରରେ ଯୋଗ (ୟୋଗ ଟୁ ୱାର୍କପ୍ଲେସ୍‌) ଆରମ୍ଭ କରାଯାଇଥିବା ସୂଚନା ଦେଇଛନ୍ତି ଏମ୍‌ସ ଆୟୁଷ ବିଭାଗର ଯୋଗ ପ୍ରଶିକ୍ଷକ ସନ୍ତୋଷ ସାହୁ।

Advertisment

ଯୋଗ ପ୍ରଶିକ୍ଷକ ଶ୍ରୀ ସାହୁଙ୍କ ସୂଚନାନୁସାରେ କାର୍ଯ୍ୟାଳୟର ଦାୟିତ୍ବ ସମ୍ପାଦନ ବାଧାପ୍ରାପ୍ତ ନହେବା ପାଇଁ ଏହି ଯୋଗ ମାତ୍ର ୫ ମିନିଟ୍ କରାଯାଉଛି। ଏଥିରେ ୨ଟି ପ୍ରାଣାୟାମ, ୭ଟି ଆସନ ଓ ଗୋଟିଏ ମିନିଟ୍‌ର ଧ୍ୟାନ ରହିଛି। ସେମିନାର ହଲ୍‌ରେ କର୍ମଚାରୀମାନେ ଏହାର ସମ୍ପାଦନ କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏମ୍‌ସର ୫୬ ବିଭାଗରେ ଏହା କାର୍ଯ୍ୟକାରୀ କରାଯାଉଛି। ଅପରାହ୍ନରେ ଯୋଗ ପ୍ରଶିକ୍ଷକ ସନ୍ତୋଷ ସାହୁ ନିର୍ଘଣ୍ଟ ଅନୁଯାୟୀ ବିଭିନ୍ନ ବିଭାଗର କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି।

ଏମ୍‌ସ ବାହାରେ ଅନ୍ୟ କାର୍ଯ୍ୟାଳୟରେ ଏହି ୫ ମିନିଟର ଯୋଗ ପାଇଁ ଏମ୍‌ସ ଅଧୀକ୍ଷକଙ୍କ ଜରିଆରେ ଆୟୁଷ ବିଭାଗର ସହାୟତା ନେଇ ପାରିବେ। ଏଥିପାଇଁ କେନ୍ଦ୍ର ଆୟୁଷ ବିଭାଗର ସ୍ବତନ୍ତ୍ର ନିର୍ଦେଶ ସହିତ ପ୍ରୋଟୋକଲ୍‌ ରହିଛି। ଏଥିସହିତ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଏମ୍‌ସ କର୍ମଚାରୀଙ୍କ ପରିବାର ପାଇଁ ମଧ୍ୟ କ୍ୟାମ୍ପସରେ ସକାଳେ ସ୍ବତନ୍ତ୍ର ଯୋଗ କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଜୀବନଶୈଳୀରେ ପରିବର୍ତ୍ତନ ଅନେକ ସ୍ବାସ୍ଥ୍ୟ ସମସ୍ୟାର ସମାଧାନ ଅଟେ। ସୁସ୍ଥ ଜୀବନ ପାଇଁ ଯୋଗ ଏବଂ ପ୍ରାଣାୟାମର ଭୂମିକା ଗୁରୁତ୍ବପୂର୍ଣ୍ଣ। ମାତ୍ର ଅଧିକାଂଶ ସମୟ କାର୍ଯ୍ୟକ୍ଷେତ୍ରରେ ବିତାଉଥିବା ଲୋକଙ୍କ ପାଇଁ ଏହା ସହଜ ହେଉନାହିଁ। ତେଣୁ ୫ ମିନିଟ୍‌ର ଏହି ଯୋଗ ସମସ୍ତଙ୍କ ପାଇଁ ସହଜ ହେବ।