ଭୁବନେଶ୍ବର: ପୁଅର ଚୁଟି ପକେଇବେ। ପୁରୀ ବୁଲାବୁଲି କରି ଘରକୁ ଫେରିଯିବେ। ୫ ମାସର ଗର୍ଭବତୀ ଥିଲେ ବି କାଳେ ଠାକୁରଙ୍କ ପାଖେ ଦ୍ରୋହି ହୋଇଯିବେ; ସେଇକଥା ଭାବି ଠିକ୍ ସମୟରେ ମାନସିକ ପୂରଣ କରିବା ଆଶାରେ ନୟାଗଡ଼ରୁ ପରିବାର ସହ ପୁରୀ ଧାଇଁ ଆସିଥିଲେ ପାୟଲ ମହାରଣା। ମାର୍ଚ୍ଚ ୨୦ରେ ଆସି ୨୧ରେ ଚୁଟି ପକେଇଲେ। ମାତ୍ର ୨୨ ତାରିଖରେ ସରକାର ଲକ୍ଡାଉନ ଘୋଷଣା କରିଦେବା ପରେ ଘରକୁ ଫେରିବା ବାଟ ବନ୍ଦ ହୋଇଗଲା। ୫ ମାସ କାଳ ମୋଚି ସାହିରେ ଏକ ଦୋକାନ ପିଣ୍ଡାରେ ପଡ଼ି ରହିବା ପରେ ତାଙ୍କୁ ସାହା ହୋଇଥିଲେ ଅଭିନେତା ସବ୍ୟସାଚୀ। ଗତକାଲି ଗାଡ଼ି କରି ପାୟଲ ଓ ତାଙ୍କ ୫ ପିଲାକୁ ଘରକୁ ପଠାଇଛନ୍ତି।
ନୟାଗଡ଼ ଓଡ଼ଗାଁ ବ୍ଲକ୍ ବାଉଁଶଗାଡ଼ିଆ ଗାଁ’ରୁ ପାୟଲ ମହାରଣା ସ୍ବାମୀ ଓ ୩ ଛୁଆଙ୍କ ସହ ପ୍ରଭୁ ଲୋକନାଥଙ୍କ ପାଖେ ଚୁଟି ପକାଇବାକୁ ପୁରୀ ଆସିଥିଲେ। ଆସିଲା ବେଳେ ପାଖରେ ଥିଲା ୩ହଜାର ଟଙ୍କା। ଚୁଟି ପକାଇ ଯେଉଁଦିନ ଘରକୁ ବାହାରୁଥିଲେ ସେହିଦିନ ଲକ୍ଡାଉନ୍ ଘୋଷଣା ହୋଇଗଲା। ଗାଡ଼ିମୋଟର ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ ହୋଇଯିବା ଖବର ଶୁଣି ଦମ୍ପତି ୪ ଛୁଆଙ୍କ ସହ ବଡ଼ଦାଣ୍ଡରେ ଏକ ସ୍ଥାନରେ ଆଶ୍ରୟ ନେଲେ। କିନ୍ତୁ ସେଠାରେ ରୋଷେଇ କରି ଖାଇବାରୁ ପୁଲିସ୍ ଓ କିଛି ସେବାୟତ ତାଙ୍କୁ ସେ ଜାଗାରୁ ତଡ଼ିଦେଲେ। ସେଠୁ ଆସି ସେମାନେ ରେଳ ଷ୍ଟେସନ୍ ପ୍ଲାଟ୍ଫର୍ମରେ ଆଶ୍ରୟ ନେଲେ। ମାତ୍ର ଗର୍ଭବତୀ ଥିବା ଜାଣି ବି ତାଙ୍କ ଉପରେ କାହାର ଦୟା ହେଲା ନାହିଁ। ସେଠୁ ତଡ଼ା ଖାଇବା ପରେ ଦମ୍ପତି ଦ୍ବୟ ଆସି ମୋଚି ସାହି ଛକ କ୍ୟାଥଲିକ୍ ଚର୍ଚ୍ଚ ସମ୍ମୁଖ ଏକ ଦୋକାନ ଘର ବାରଣ୍ଡାରେ ଆଶ୍ରୟ ନେଲେ। ଇତିମଧ୍ୟରେ ହାତରୁ ଟଙ୍କା ସରିଯାଇଥିବାରୁ ପାୟଲଙ୍କ ସ୍ବାମୀ ଏକ ରିକ୍ସା ଭଡ଼ାରେ ଆଣି ଚଲେଇଲେ। ସେଇଥିରେ ଖାଇ ପିଇ ଚଳିବା ଖର୍ଚ୍ଚ ତୁଲେଇ ଦେଉଥିଲେ।
ଇତିମଧ୍ୟରେ ଗର୍ଭବତୀ ଥିବା ପାୟଲ ଗତ ଜୁଲାଇ ମାସରେ ପୁଣି ଏକ ଶିଶୁକୁ ସେଇ ରାସ୍ତାକଡ଼ ପିଣ୍ଡାରେ ଜନ୍ମଦେଲେ। ହେଲେ ଘରକୁ ଗାଡ଼ିଟିଏ ରିଜର୍ଭ କରି ଯିବା ପାଇଁ ଏକାଠି ଟଙ୍କା ଜୁଟେଇ ପାରିଲେ ନାହିଁ। ସେମାନେ ଖରା ବର୍ଷାରେ ଦୟନୀୟ ଅବସ୍ଥାରେ ପଡ଼ି ରହିଥିବାର ଖବର ଜାଣିବା ପରେ ଅଭିନେତା ସବ୍ୟସାଚୀ ମିଶ୍ର ଜଣେ ସ୍ବେଚ୍ଛାସେବୀଙ୍କୁ ପଠାଇ ସବିଶେଷ ଖବର ନେଲେ। ନୟାଗଡ଼କୁ ଫେରିବା ପାଇଁ ଗାଡ଼ିର ବ୍ୟବସ୍ଥା କଲେ। ହେଲେ ତାଙ୍କ ସ୍ବାମୀ ସେଠାରେ ଆଉ କିଛିଦିନ ରହି କିଛି ଟଙ୍କା ରୋଜଗାର କରି ଫେରିବେ ବୋଲି କହିବା ପରେ ପାୟଲଙ୍କ ସହ ୫ ଜଣ ଶିଶୁ ବାଉଁଶଗାଡ଼ିଆସ୍ଥିତ ଗାଁ’କୁ ଫେରି ଯାଇଛନ୍ତି। ପାୟଲଙ୍କ ଶାଶୁ ତାଙ୍କ ବୋହୂ ଓ ନବ ଜନ୍ମିତ ଶିଶୁକୁ ଦେଖି ଖୁସିରେ କାନ୍ଦି ପକାଇଥିଲେ। ସେ କହିଥିଲେ, ମୋ ପୁଅ ବୋହୂ ଓ ନାତି ନାତୁଣୀ ଯେ ଫେରିବେ ସେ ଆଶା ଛାଡ଼ି ଦେଇଥିଲି। ସବ୍ୟସାଚୀଙ୍କ ଏହି ସାଧୁ ଉଦ୍ୟମ ପାଇଁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।