ବାଳକାଟି କୋଭିଡ୍‌ ହସ୍ପିଟାଲରେ ଆଉ ୫ ମୃତ, ସଂଖ୍ୟା ୬୫ ଟପିଲା

ବାଲିଅନ୍ତା: ସ୍ଥାନୀୟ ବାଳକାଟିସ୍ଥିତ କୋଭିଡ୍‌ ହସ୍ପିଟାଲରେ ଆଜି ପୁଣି ୫ ଜଣଙ୍କ ମୃତ୍ୟୁ ଘଟିଛି। ଆଜିର ମୃତକଙ୍କୁ ମିଶାଇ ଏଠାରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୬୫ ଟିପିଛି। ରାଜଧାନୀର ଅନ୍ୟ କୋଭିଡ୍‌ ହସ୍ପିଟାଲ ତୁଳନାରେ ଏଠାରେ ଅଧିକ ସଂଖ୍ୟାରେ ଚିକିତ୍ସାଧୀନ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଥିବାରୁ ସାଧାରଣରେ ଆତଙ୍କ ଖେଳିଯାଇଛି। ପ୍ରାୟ ପ୍ରତିଦିନ ଏଠାରେ ଚିକିତ୍ସା ଅବହେଳାକୁ ନେଇ ଗଣ୍ଡ‌ଗୋଳ ଉପୁଜୁଛି। ତେଣୁ ଜିଲ୍ଲା ପ୍ରଶାସନ ଏଠିକାର ଚିକିତ୍ସା ବ୍ୟବସ୍ଥା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

ଆଜି ମୃତକଙ୍କ ମଧ୍ୟ‌‌ରେ ଦୁଇଜଣ ପୁରୀ ସଦର ଥାନା ଅଞ୍ଚଳର ବାସିନ୍ଦା। ଏହି ଦୁଇଜଣ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ ଗତକାଲି ସଂଧ୍ୟାରେ ସେମାନଙ୍କୁ ଏଠାକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଆଜି ସେମାନେ ଏଠାରେ ମୃତ୍ୟୁବରଣ କରିଛନ୍ତି। ଅନ୍ୟ ୩ ମୃତକ ବାଳକାଟି, ଖୋର୍ଦ୍ଧା ଓ ଭୁବନେଶ୍ବର ଅଞ୍ଚଳର ବୋଲି ଜଣାପଡ଼ିଛି। ବାଳକାଟି ପ୍ରତାପଶାସନ ପଞ୍ଚାୟତର ୭୮ବର୍ଷୀୟ ମୃତକ ସଚିବାଳୟର ଜଣେ ଅବସରପ୍ରାପ୍ତ ଅଧିକାରୀ ଥିଲେ। ଗୋଟିଏ ଦିନରେ ଏକାଥରକେ ୫ ଜଣଙ୍କ ମୃତ୍ୟୁ ଘଟିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୁଇ ଦିନ ପୂର୍ବେ ଉକ୍ତ ହସ୍ପିଟାଲକୁ ଅକ୍ସିଜେନ୍‌ ଯୋଗାଣରେ ବିଳମ୍ବ ହୋଇଥିଲା। ଏହି କାରଣରୁ ବହୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ଆଜି ମୃତକଙ୍କ ପରିବାରଲୋକ ଡାକ୍ତରଖାନା ପରିସରରେ ହୋ-ହଲ୍ଲା କରିଥିଲେ।

ଏ ସଂପର୍କରେ ମୃତକଙ୍କ ପରିବାର ଲୋକମାନେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ, ବିଡିଓ ଆଦିକନ୍ଦ ବେହେରା ଓ ଅତିରିକ୍ତ ବିଡିଓ ସଂଯୁକ୍ତା ସ୍ବାଇଁଙ୍କୁ ଫୋନ କରି ଜଣାଇଥିଲେ ହେଁ ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରାଯାଇ ନଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଆଜି ମୃତକଙ୍କୁ ମିଶାଇ କେବଳ ବାଳକାଟିରେ ମୋଟ ୧୨ଜଣଙ୍କର କରୋନା ମୃତ୍ୟୁ ହୋଇଯାଇଥିବା ବେଳେ ବାଲିଅନ୍ତା ବ୍ଲକ ଅଞ୍ଚଳରେ ମୃତକଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର