ମଇଦାନକୁ ଆସିଲେ ୫, ଆଜି ଆସିବେ ଆଉ ୨

ଖଣ୍ଡଗିରି ଯାତ୍ରା ହାଲ୍‌ଚାଲ୍‌

ଭୁବନେଶ୍ୱର: ଜମିଛି ଖଣ୍ଡଗିରି ଯାତ୍ରା ମହାକୁମ୍ଭର ଦ୍ୱିତୀୟ ପର୍ଯ୍ୟାୟ ଯାତ୍ରା। ନାମୀ ପାର୍ଟିଙ୍କ ପ୍ରବେଶ ପରେ ଯାତ୍ରା ପେଣ୍ଡାଲ୍‌କୁ ଦର୍ଶକଙ୍କ ସୁଅ ବଢ଼ିବାରେ ଲାଗିଛି। ଗତକାଲି ୪ଟି ଯାତ୍ରା ଦଳ ବିଦାୟ ନେଇଥିବା ବେଳେ ଆଜି ଆଉ ୫ଟି ନାମୀ ଦଳ ପ୍ରବେଶ କରି ଯାତ୍ରାପ୍ରେମୀଙ୍କ ମନୋରଂଜନ କରିଛନ୍ତି। ଏଥିସହିତ ଆଜି ୨ଟି ଯାତ୍ରା ଦଳ ଖଣ୍ଡଗିରି ଯାତ୍ରା ମଇଦାନରୁ ବିଦାୟ ନେଇଥିବା ବେଳେ ୧ ତାରିଖରୁ ଯାତ୍ରା ମଇଦାନକୁ ଆସୁଛି ଇଷ୍ଟର୍ଣ୍ଣ ବ୍ଲୁ ଏବଂ ଇନ୍ଦ୍ରଭୁବନ। ଦ୍ୱିତୀୟ ପର୍ଯ୍ୟାୟ ଯାତ୍ରା ହାଉସଫୁଲ୍‌ ଦେଖିବାକୁ ମିଳିଛି। ଆଜି ଇନ୍ଦିରା ପଡ଼ିଆରେ କଳିଙ୍ଗ ଗଣନାଟ୍ୟ ‘ରାଧା ହଜିଗଲା ଅଧା ବାଟରେ’ ନାଟକକୁ ନେଇ ଇନ୍ଦିରା ପଡ଼ିଆକୁ ଓହ୍ଲାଇଛି। ପ୍ରତାପ, କାବେରୀ, ମହେନ୍ଦ୍ର ଦାସ, ନରି ପଣ୍ଡା, ଜିତାଙ୍କ ଭଳି କଳାକାରଙ୍କୁ ନେଇ ଓହ୍ଲାଇଥିବା କଳିଙ୍ଗ ଗଣନାଟ୍ୟ ପ୍ରଥମ ରାତିରୁ ଯାତ୍ରା ରସିକଙ୍କ ମନ ଜିଣିଛି। ସେହିପରି କେସିଏ ପଡ଼ିଆରେ ଗ୍ରେଟ୍‌ ଇଷ୍ଟର୍ଣ୍ଣ ପରେ ‘ରଙ୍ଗମହଲ’ ବି ବେଶ୍‌ ଆଦୃତି ସାଉଁଟିଛି। ରଙ୍ଗମହଲ ‘ମିଛୁଆ ରାଧୁଆ ଗପ ସରିଲା’ ଭଳି ନାଟକ ପ୍ରଥମ ରାତିରେ ମଞ୍ଚସ୍ଥ କରିଥିବା ବେଳେ ମେଲୋଡ଼ିରେ ଓଲିଉଡ୍‌ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ହଳଦି ଗିନାରେ ଖୁବ୍‌ ମଜିଛନ୍ତି ଦର୍ଶକ। ସେହିପରି ‘ସ୍ୱର୍ଣ୍ଣ ମହଲ’ ନାଟକ ‘ମିଛୁଆ ସ୍ୱାମୀ’କୁ ନେଇ ଘାଟିକିଆକୁ ଆସିଥିବା ବେଳେ ଶିବାନୀ ଗଣନାଟ୍ୟ ‘ରୂପ ରାଇଜର ରାଜକୁମାରୀ’କୁ ନେଇ ବରମୁଣ୍ଡା ଦୁର୍ଗା ପଡ଼ିଆକୁ ଆସିଛି। ମହତାବ ପେଣ୍ଡାଲ୍‌ରେ ନୂତନ ଯାତ୍ରା ଦଳ ଭାବେ ‘ତୁଳସୀ ଗଣନାଟ୍ୟ’ ପ୍ରବେଶ କରିଥିବା ବେଳେ ‘ଲୁହରେ ଲୁହରେ ଲଭ୍‌ଷ୍ଟୋରି’କୁ ବଖାଣିଛି।

ଆଜି ଜାଗମରା ମେଳଣ ପଡ଼ିଆରେ ଇଷ୍ଟର୍ଣ୍ଣ ରେଡ୍‌ ‘ସୀତା ସ୍ୱୟମ୍ବର ବାକି ରହିଛି’ ନାଟକ ମଞ୍ଚସ୍ଥ କରି ବିଦାୟ ନେଇଥିବା ବେଳେ ଦ୍ୱିତୀୟ ଦଳ ଭାବେ ମଞ୍ଚକୁ ଓହ୍ଲାଇବାକୁ ଯାଉଛି ‘ଇଷ୍ଟର୍ଣ୍ଣ ବ୍ଲୁ’। ୧ ତାରିଖରୁ ବ୍ଲୁ ପ୍ରଥମ ରାତିରେ ତା’ର ଚର୍ଚିତ ନାଟକ ‘ନାରୀ ତୁ କେଉଁ ଧାତୁରେ ଗଢ଼ା’ ନାଟକକୁ ନେଇ ମଞ୍ଚ ପଦାର୍ପଣ କରିବ ବୋଲି ସୂଚନା ଦେଇଛନ୍ତି ସମ୍ପାଦକ ମହେନ୍ଦ୍ର କୁମାର ଗୁରୁ। କେସିଏ ପଡ଼ିଆ(୨)ରେ ଆଜି ଯାତ୍ରା ଗାଁ ୫ ଦିନ ଧରି ‘ବାଃ ବାଃରେ ଉପରବାଲା’ ମଞ୍ଚସ୍ଥ କରିବା ପରେ ଆଜି ବିଦାୟ ନେଇଛି। ୧ ତାରିଖରୁ ଏହି ମଞ୍ଚରେ ଯାତ୍ରା ଇନ୍ଦ୍ରଭୁବନ ଭେଟିଦେବ ତା’ର ଚର୍ଚିତ ନାଟକ ‘ସୁନା ହରିଣୀ’।

ସମ୍ବନ୍ଧିତ ଖବର