ଖଣ୍ଡଗିରି ଯାତ୍ରା ମଇଦାନରେ ୫ ପାର୍ଟି, ନାଟକ ବଦଳାଇଲା ଗୌରୀ

ଭୁବନେଶ୍ବର: ଅଧରାତିରେ ଉଚ୍ଛୁଳୁଛି ହସ କାନ୍ଦ ଭରା ସଂଳାପ। ନିରବତା ଭାଙ୍ଗୁଛି ଖଳନାୟକଙ୍କ ଧମକ। ଖଣ୍ଡଗିରି ଯାତ୍ରା ମଇଦାନରେ ୩ ଯାତ୍ରା ଦଳ ୩ ରାତି ଗୋଟିଏ ନାଟକକୁ ରିପିଟ୍‌ କରିଥିବା ବେଳେ ଆସନ୍ତାକାଲି ଏଥିରେ ପରିବର୍ତନ ନେଇ କିଛି ଯାତ୍ରାନୁଷ୍ଠାନ ଚିନ୍ତା କରିଛନ୍ତି। ଏଥିସହ ଯାତ୍ରା ମଇଦାନରେ ଆସନ୍ତାକାଲିଠୁ ସାମିଲ୍ ‌ହେବ ‘ରଙ୍ଗମହଲ’। କେସିଏ ପଡ଼ିଆରେ ରଙ୍ଗମହଲ ତା’ର ବହୁ ଚର୍ଚ୍ଚିତ ନାଟକ ‘ଅଧେ ତୋର, ଅଧେ ମୋର’ ନାଟକକୁ ନେଇ ଯାତ୍ରା ଆରମ୍ଭ କରିବ। ଅରୁଣ ବାରିକଙ୍କ ରଚିତ ଏବଂ ତାପସ ସ୍ବାଇଁଙ୍କ ନିର୍ଦେଶିତ ଏହି ନାଟକରେ ସୁବାସ, ବାସୁ ମାଇତି, ବ୍ରଜ ପାଣି, ଚିତ୍ତ-ଅନିମା, କଣ୍ଢେଇ ଭଳି କଳାକାରଙ୍କୁ ବିଶେଷ ଭୂମିକାରେ ଦେଖିବାକୁ ମିଳିବ। ଗତକାଲିଠୁ ଖଣ୍ଡଗିରି ଯାତ୍ରାରେ ଶିବାନୀ ଗଣନାଟ୍ୟ ପାଦ ଥାପି ‘ରଜନୀ ସଜନୀ ରାତି ପାହିଲା’ ନାଟକ ପରିବେଷଣ କରିଥିବା ବେଳେ ଆଜି ମଧ୍ୟ ତାକୁ ରିପିଟ୍‌ କରିଛି। ଏଥିସହ ଯାତ୍ରା ମଇଦାନରେ ଆସନ୍ତାକାଲିଠୁ ୫ଟି ଯାତ୍ରା ଦଳ ଯାତ୍ରା ଭେଟିଦେବେ। ଇନ୍ଦିରା ସାଂସ୍କୃତିକ ପରିଷଦ ପକ୍ଷରୁ କଳିଙ୍ଗ ପେଣ୍ଡାଲ୍‌ ପଡ଼ିଆରେ ଗୌରୀ ଗଣନାଟ୍ୟ ‘ଗୌରୀ ନାନୀର ନୂଆ ଠିକଣା’ ୩ ରାତି ମଂଚସ୍ଥ କରିବା ପରେ ଆସନ୍ତାକାଲି ଆଉ ଏକ ଚର୍ଚ୍ଚିତ ନାଟକ ‘ବାଘ ବୁଲୁଛି ରାଜଧାନୀରେ’ ମଂଚସ୍ଥ କରିବ। ପ୍ରଦୀପ ବେହେରାଙ୍କ ରଚିତ ଓ ନିର୍ଦେଶିତ ଏହି ନୂଆ ନାଟକରେ ନିଆରା ଅନୁଭବ ନେବେ ‌ଦର୍ଶକ। ମହତାବ ପେଣ୍ଡାଲ୍‌ରେ ଦମଦାର ନୃତ୍ୟ ଦର୍ଶକଙ୍କ ଆଖି ଝଲସାଇ ଦେଇଛି। ନୃତ୍ୟରେ ସର୍କସର ଅନୁଭବ ଭେଟି ଦେଉଛନ୍ତି ନୃତ୍ୟଶିଳ୍ପୀ। ସ୍ବର୍ଣ୍ଣମହଲ ମଂଚରେ ଗଙ୍ଗାଧରଙ୍କ ନୃତ୍ୟ ନିର୍ଦେଶନାରେ ଚମକ ଭରିଛି ନୃତ୍ୟ କାର୍ଯ୍ୟକ୍ରମ। ଏଥିସହିତ ସାମ୍ପ୍ରଦାୟିକ ସଦ୍‌ଭାବନାର ମନ୍ତ୍ର ବାଣ୍ଟୁଛି ‘ଆମ ଗାଁ ଜଗନ୍ନାଥ, ତୁମ ଗାଁ ଆଲ୍ଲା’।

ଆଜିର ନାଟକ
ମହତାବ ପେଣ୍ଡାଲ୍: ଆମ ଗାଁ ଜଗନ୍ନାଥ, ତୁମ ଗାଁ ଆଲ୍ଲା
କଳିଙ୍ଗ ପଡ଼ିଆ ପେଣ୍ଡାଲ୍: ବାଘ ବୁଲୁଛି ରାଜଧାନୀରେ
ଘାଟିକିଆ ପେଣ୍ଡାଲ୍: କହ ଗୌର ଦାସ, କାହାର ଦୋଷ (ବଦଳିପାରେ)
ଖଣ୍ଡଗିରି ପାର୍କିଂ ପଡ଼ିଆ: ରଜନୀ ସଜନୀ ରାତି ପାହିଲା
କେସିଏ ପଡ଼ିଆ: ଅଧେ ତୋର, ଅଧେ ମୋ’ର

ସମ୍ବନ୍ଧିତ ଖବର