୫ ଜଣ ପାଇଲେ ପଞ୍ଚମ ବେଦ ସମ୍ମାନ-୨୦୧୮

ଭୁବନେଶ୍ୱର:‘ପଞ୍ଚମବେଦ’ର ଚତୁର୍ଦ୍ଦଶ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଆଜି ଦର୍ଶକଙ୍କୁ ଏକ ବାସ୍ତବଧର୍ମୀ ନାଟକ ଭେଟି ଦେବା ପରେ ଏହାର ପରଦା ନଇଁଛି। ମଣିଷ ଏକ ସାମାଜିକ ପ୍ରାଣୀ। କିନ୍ତୁ ସମାଜ କଥା କେବେ ଚିନ୍ତା ନ କରି ସେ ଧୀରେଧୀରେ ଆତ୍ମକୈନ୍ଦ୍ରିକ ହେବାରେ ଲାଗିଛି। ‘ମୁଁ’ ଓ ‘ମୋର’ ମିଛ ମାୟାରେ ଛନ୍ଦି ହୋଇ ଏହା ଭିତରର ଗୁଢ଼ ରହସ୍ୟକୁ ଭୁଲିବାରେ ଲାଗିଲାଣି। ଏହି ‘ମୋର’ ଶବ୍ଦକୁ ବୁଝାଇ ଦେଇଥିଲା ଆଜି ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ମଞ୍ଚସ୍ଥ ନାଟକ ‘ପିତୃ ନିବାସ’। ଭୁବନେଶ୍ୱରସ୍ଥିତ ‘ମ୍ୟାଜିକ୍‌ ଥିଏଟର’ ପକ୍ଷରୁ ପରିବେଷିତ ଏହି ନାଟକର ରଚନା ଓ ନିର୍ଦ୍ଦେଶନା ପ୍ରଜ୍ଞାରଞ୍ଜନ ଖଟୁଆ କରିଥିବା ବେଳେ ସୁଜିତ୍‌ କୁମାର ଜେନା ଏହାର ସହନିର୍ଦ୍ଦେଶନା କାର୍ଯ୍ୟ ତୁଲାଇଥିଲେ। ଏଥିରେ ସୁବ୍ରତ ଦାସ, ଶଙ୍କର୍ଷଣ ପ୍ରଧାନ, ଚିନୁ, ଗୁଣ୍ଡ, ଦୁର୍ଗେଶ ଓ ମୁନା ମଲ୍ଲିକ ପ୍ରମୁଖ ଅଭିନୟ କରିଥିଲେ। ଆଜି ନାଟ୍ୟ ମହୋତ୍ସବର ଶେଷ ଦିନରେ ଅନୁଷ୍ଠାନ ପକ୍ଷରୁ କଳା ଓ ସଂସ୍କୃତି କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ରବୀନ୍ଦ୍ର ନାଥ ଦାସ, ଅଜିତ ଦାସ, ରଞ୍ଜିତ ପଟ୍ଟନାୟକ, ସନ୍ତୋଷ ମହାନ୍ତି ଓ କୃପାସିନ୍ଧୁ ବେହେରାଙ୍କୁ ‘ପଞ୍ଚମବେଦ ସମ୍ମାନ-୨୦୧୮’ରେ ସମ୍ମାନିତ କରାଯାଇଛି। ଆଜିର କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅତିଥି ଭାବେ ଯୋଗ ଦେଇଥିଲେ। ସଭାରେ ପଞ୍ଚମବେଦର କାର୍ଯ୍ୟକାରୀ ସଭାପତି ହରେନ୍‌ ସାହୁ ଓ ସଂପାଦକ ପ୍ରକାଶ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର