ପ୍ରଥମ ଟିପି ସ୍କିମ୍‌ରେ ଗ୍ରାମବାସୀଙ୍କୁ ପଟ୍ଟା ମିଳିଲା, ସହଜପୁରର ୫ଜଣଙ୍କୁ ପଟ୍ଟାଦଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ପ୍ରଥମ ଟାଉନ୍‌ ପ୍ଲାନିଂ ଯୋଜନାରେ ଆଜି ଗ୍ରାମବାସୀଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି। ସହଜପୁରର ୫ଜଣ ଗ୍ରାମବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପଟ୍ଟା ପ୍ରଦାନ କରିଥିବାବେଳେ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗ୍ରାମବାସୀଙ୍କୁ ଏହି ପଟ୍ଟା ଦେଇଥିଲେ। ଟିପି ସ୍କିମ୍‌-୧ (ପାଇକରାପୁର) ଅଧୀନରେ ଥିବା ସହଜପୁର ଗ୍ରାମର ୩୫୮ଜଣଙ୍କୁ ଏବେ ପଟ୍ଟା ଆବଣ୍ଟନ ହେବ। ସେମାନେ ବିଡିଏ କାର୍ଯ୍ୟାଳୟକୁ ଆସି ପଟ୍ଟା ନେଇପାରିବେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସହରାଞ୍ଚଳ ବିକାଶରେ ନାଗରିକ ଓ ଗୋଷ୍ଠୀଗତ ଭାଗିଦାରୀ ଏକ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା। ଲୋକଙ୍କ ସହଯୋଗରେ ସହରାଞ୍ଚଳରେ ଏହିଭଳି ଯୋଜନାବଦ୍ଧ ବିକାଶ କାର୍ଯ୍ୟକ୍ରମ କରି ଓଡ଼ିଶାକୁ ଦେଶର ରୋଲମଡେଲ୍‌ କରାଯିବ। ଭୁବନେଶ୍ବରରେ ଜନସଂଖ୍ୟା ଓ ପରିସୀମା କ୍ରମାଗତ ବୃଦ୍ଧି ପାଉଥିବାରୁ ଏହାର ସାମଗ୍ରିକ ବିକାଶ ପାଇଁ ବିଡିଏର ଏହି ଟିପି ସ୍କିମ୍‌। ଏହାଦ୍ବାରା ଯୋଜନାବଦ୍ଧ ବିକାଶ କ୍ଷେତ୍ରରେ ରାଜ୍ୟରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି। ଏହି ଯୋଜନା ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ ହେବ ଏବଂ ଅନ୍ୟ ସହରମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିବ।

ଏଥିରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ, ରାଜ୍ୟରେ ପ୍ରଥମ ଥର ପାଇଁ ବିଡିଏ ପକ୍ଷରୁ ଭୁବନେଶ୍ବରରେ ଏଭଳି ଅଭିନବ ଯୋଜନା କାର୍ଯ୍ୟକାରୀ କରାଯାଇଛି। ସହରର ଭିତ୍ତିଭୂମି ବିକାଶ ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ଅବସରରେ ଯୋଜନା ସମ୍ପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି. ମାଥିଭାଥନନ୍, ରାଜସ୍ବ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ପୂର୍ତ୍ତ ସଚିବ କ୍ରିଷନ କୁମାର, ବିଡିଏ ପ୍ଲାନିଂ ମେମ୍ବର ଗୌରୀଶଙ୍କର ଭୂୟାଁ, ବିଡିଏ ସଚିବ ହରିଶ ଚନ୍ଦ୍ର ନା‌ୟକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥି‌େଲ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧରୀ ସ୍ବାଗତ ଭାଷଣ ଦେବା ସହ ଟିପି ସ୍କିମ୍‌ ସମ୍ବନ୍ଧରେ ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ ଯେ, ଟିପି ସ୍କିମ୍‌ -୧ରେ ୭୪୬.୭୨ ଏକର ଜମି ଥିବା ବେଳେ ଏଥିରେ ପାଇକରାପୁରର ୩୧୭.୯୩ ଏକର ଜମି, ନାରଗୋଦାରେ ୧୪୮.୪୨ଏକର, ସିଜିପୁଟରେ ୧୭୬.୨୦ଏକର, ସହଜପୁରରେ ୧୦୪.୧୭ଏକର ଜମି ଅଛି। ପର୍ଯ୍ୟାୟକ୍ରମେ ସମସ୍ତ ହିତାଧିକାରୀଙ୍କୁ ପଟ୍ଟା ଆବଣ୍ଟନ ହେବ।

ସମ୍ବନ୍ଧିତ ଖବର