୫ ମିନିଟରେ ୫ଟି ପ୍ରଶ୍ନ : ରୋଷଘର ଚୁଲିଭଙ୍ଗାଠାରୁ ରୁଷ-ୟୁକ୍ରେନ୍ ଯୁଦ୍ଧ

ପ୍ରଶ୍ନ ୧-ଶ୍ରୀଜଗନ୍ନାଥଙ୍କ ରୋଷଘର‌ ଚୁଲି ଭଙ୍ଗାଯିବା, ଭକ୍ତଙ୍କ ଭାବାବେଗକୁ କୁଠାରାଘାତ କରିଛି। ଏଥିପାଇଁ କିଏ ଦାୟୀ ବୋଲି ଭାବୁଛନ୍ତି?
ମନ୍ଦିରରେ ରାଜନୀତି ପଶିଲେ ଏଭଳି ଅବସ୍ଥା ଉପୁଜିବ। ସେବାୟତଙ୍କ ମଧ୍ୟରେ ରହିଥିବା ବିବାଦ ପାଇଁ ଏଭଳି ଅବସ୍ଥା ଉପୁଜିଛି। ମନ୍ଦିର ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ବିବାଦର ସମାଧାନ କରିବା ଆବଶ୍ୟକ। କିନ୍ତୁ ଏ ମହାପାପ କରିଥିବା ଦୋଷୀକୁ ଛଡ଼ା ନଯାଉ। ମହାପ୍ରଭୁଙ୍କ ନୀତି ବିଭ୍ରାଟ ପାଇଁ ଯୋଜନା କରିଥିବା ବ୍ୟକ୍ତିଙ୍କୁ ଉଚିତ ଦଣ୍ଡ ମିଳିବା ଉଚିତ।

ପ୍ରଶ୍ନ ୨-ଉତ୍ତରପ୍ରଦେଶ ନିର୍ବାଚନ ସରିବା ପରେ ଏବେ ଲଗାତାର ପେଟ୍ରୋଲ ମୂଲ୍ୟ ବୃଦ୍ଧି ହେଉଛି। କ’ଣ କହିବେ ?
ଏଥିରେ କହିବାର କ’ଣ ଅଛି। କେନ୍ଦ୍ର ସରକାର ଦରବୃଦ୍ଧିକୁ ଆୟତ୍ତ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି।

ପ୍ରଶ୍ନ ୩-ରାଜଧାନୀରେ ଚୋରା ବନ୍ଧୁକ କାରବାରକୁ ପୁଲିସ୍‌ ରୋକିବାରେ ବିଫଳ ହେଉଛି କି?
ନହେଲେ ଏତେ ବନ୍ଧୁକ ଆସୁଛି କେଉଁଠି। ଲୁଟେରାଙ୍କଠାରୁ ଆରମ୍ଭ କରି ଛୋଟମୋଟ ଅସାମାଜିକ ତତ୍ତ୍ବଙ୍କ ହାତରେ ଏବେ ବନ୍ଧୁକ ରହିଛି। ତେଣୁ ପୁଲିସକୁ ଚୋରା ବନ୍ଧୁକ କାରବାରର ଚେର ଉପାଡ଼ିବାକୁ ପଡ଼ିବ।

ପ୍ରଶ୍ନ ୪-ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ‌ରେ ଭାରତର ଭୂମିକାକୁ ଆପଣ କେମିତି ଦେଖୁଛନ୍ତି?
ଭାରତ ନିରବ ରହି ଠିକ୍‌ କରିଛି। ଏ ଯୁଦ୍ଧରୁ ଭାରତ ଫାଇଦା ନେବା ଉଚିତ। କମ୍ ଦାମ୍‌ରେ ଯେତେ ପାରୁଛି, ସେତେ ତେଲ ରୁଷ୍‌ଠାରୁ ଆଣିବା ଉଚିତ। କିନ୍ତୁ ଆମେରିକା ଓ ନାଟୋ ଦେଶ ସହ ଯେମିତି ସଂପର୍କ ଖରାପ ନ ହେଉ, ସେଥିପ୍ରତି ବି ଧ୍ୟାନ ଦିଆଯିବା ଆବଶ୍ୟକ। କାହାକୁ ଅଯଥାରେ ଶତ୍ରୁ କରିବା ଉଚିତ ନୁହେଁ।

ପ୍ରଶ୍ନ ୫-ରାଜଧାନୀରେ ସଡ଼କ ଦୁର୍ଘଟଣା ବଢ଼ୁଛି, ଏଥିପାଇଁ ଦାୟୀ କିଏ?
ଆଗରୁ ତ ପ୍ରତିଦିନ ହେଉଥିଲା। ଏବେ ପୂର୍ବାପେକ୍ଷା ବହୁତ କମିଛି। ଅମାନିଆ ଚାଳକଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ ହେଲେ ଏହା ଆହୁରି କମିଯାଆନ୍ତା। ତେବେ କିଛି ସ୍ଥାନରେ ରାସ୍ତା ସମସ୍ୟା ଓ ଫୁଟ୍‌ ଓଭରବ୍ରିଜ୍‌ ନଥିବାରୁ, ସେ ଜାଗାଗୁଡ଼ିକରେ ବାରମ୍ବାର ଦୁର୍ଘଟଣା ଘଟୁଛି। ସେଥିପ୍ରତି ପ୍ରଶାସନ ଧ୍ୟାନ ଦେବା ଆବଶ୍ୟକ।

-ସର୍ବେଶ୍ବର ନାୟକ, ପ୍ରାଣୀବିଜ୍ଞାନ ଅଧ୍ୟାପକ

ସମ୍ବନ୍ଧିତ ଖବର