୫ ମିନିଟ୍‌ରେ ୫ଟି ପ୍ରଶ୍ନ

ପ୍ରଶ୍ନ ୧- ନିର୍ବାଚନ ସମୟରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ଆପଣ କିପରି ଦେଖୁଛନ୍ତି?
ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଆକ୍ରମଣ କେବେ ବି ଶୁଭଙ୍କର ନୁହେଁ। ଏହା ସବୁବେଳେ ନିନ୍ଦନୀୟ। ସରକାର ତୁରନ୍ତ ଏ ଦିଗରେ କଠୋର୍‌ ଆଇନ ଆଣିବା ଆବଶ୍ୟକ।
ପ୍ରଶ୍ନ ୨-ମୃତ ବ୍ୟକ୍ତିଙ୍କ ନାଁରେ କୋଭିଡ୍‌ ଟିକା କାହାକୁ ଦିଆଯାଉଛି। ଏହା ପଛରେ କିଛି କେଳେଙ୍କାରୀ ଅଛି ବୋଲି ଆପଣ ଭାବୁଛନ୍ତି ?
ଏଇ କିଛି ଦିନ ତଳେ କିଛି ଗଣମାଧ୍ୟମରେ ଏପରି ଖବର ଦେଖିବାକୁ ମିଳିଥିଲା। ପ୍ରଥମ କଥା ହେଉଛି, ତଥ୍ୟ ଜନିତ ତ୍ରୁଟି ହୋଇପାରେ। କିନ୍ତୁ ଯଦି ତାହା ନୁହେଁ, ତେବେ ଏହା ପଛରେ ବଡ଼ଧରଣର କେଳେଙ୍କାରୀ ଥାଇପାରେ ବୋଲି ମୁଁ ଭାବୁଛି। ମଲା ଲୋକଙ୍କ ନାମରେ ଆଉ କାହାକୁ ଟିକା ଦିଆଯାଉଛି ମାନେ ଟିକାର କଳାବଜାର ହେଉଛି। ତେବେ ଟିକାକରଣ ପ୍ରସଙ୍ଗରେ ଭାରତ ଅନ୍ୟ ଦେଶମାନଙ୍କ ପାଇଁ ଯେ ଉଦାହରଣ ପାଲଟିଛି, ତାହାକୁ ଅସ୍ବୀକାର କରାଯାଇନପାରେ।
ପ୍ରଶ୍ନ ୩-୧୦ ବର୍ଷ ହେବ ଶ୍ରୀମନ୍ଦିରରେ ଦଶାବତାର ମୂର୍ତ୍ତି ଲାଗିପାରୁନି। ଏଥିପାଇଁ କିଏ ଦାୟୀ?
ମନ୍ଦିର ପ୍ରଶାସନ, ସ୍ଥାନୀୟ ପ୍ରଶାସନ ଓ ପତ୍ନତତ୍ତ୍ୱ ବିଭାଗ ମଧ୍ୟରେ ତାଳମେଳ ନ ରହିବା ଏହାର କାରଣ। ଏଥିପାଇଁ ବଡ଼ବଡ଼ିଆ ବାବୁମାନେ ହିଁ ଦାୟୀ।
ପ୍ରଶ୍ନ ୪-ଏଥର ଲୋକେ ମେୟର୍‌ ବାଛିବେ, ଏହାକୁ ଆପଣ କିପରି ଦେଖୁଛନ୍ତି?
ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ ପଦକ୍ଷେପ। ଆଗରୁ ଯେଉଁ ଦଳ ଅଧିକ କର୍ପୋରେଟର୍‌ ହାତଉଥିଲା, ସେମାନେ ନିଜ ଦଳର ଜଣେ ନେତାଙ୍କୁ ମେୟର୍‌ ବାଛୁଥିଲେ। କିନ୍ତୁ ଏବେ ଲୋକ ସିଧାସଳଖ ମେୟର୍ ବାଛି‌ବେ।
ପ୍ରଶ୍ନ ୫-ସମାଜରେ ଠକ ଓ ଠକେଇ ସଂଖ୍ୟା ବଢ଼ିବାର କାରଣ କ’ଣ ଭାବୁଛନ୍ତି?
ଆମ ବ୍ୟବସ୍ଥାରେ କେଉଁଠି ନା କେଉଁଠି ତ୍ରୁଟି ରହୁଛି। କିଛି ତ ପେସାଦାର ଠକ, ସେମାନଙ୍କୁ କିଛି କରିହେବନି। କିନ୍ତୁ ବେରୋଜଗାର, ବେକାରୀ ଏହାର ଅନ୍ୟତମ କାରଣ ବୋଲି ମୁଁ ଭାବୁଛି। ଏହାର ସମାଧାନ ପନ୍ଥା ବାହାର କରା ନଗଲେ, ଭବିଷ୍ୟତରେ ଦେଶ ପାଇଁ ବଡ଼ ଭୟଙ୍କର ବିପଦ ଭାବେ ଉଭା ହେବ।
-ଚଣ୍ଡୀପ୍ରସାଦ ବେହେରା

ସମ୍ବନ୍ଧିତ ଖବର