ପ୍ରଶ୍ନ ୧ - କୃଷି ଆଇନ ପ୍ରତ୍ୟାହାର ହୋଇଗଲା, ଭଲ ହେଲା?
ଯଦି ପ୍ରତ୍ୟାହାର ହିଁ କରିବାର ଥିଲା, ତେବେ ବହୁ ଆଗରୁ କରିଥିଲେ ଭଲ ହୋଇଥା’ନ୍ତା। ଅଯଥାରେ ସରକାର ୭୦୦ କୃଷକଙ୍କ ମୃତ୍ୟୁର ଦୋଷ ମୁଣ୍ଡାଇଲେ। ମୋ ମତରେ କୃଷି ବିଲ୍‌ରେ କିଛି ଭଲ ଯୋଜନା ଥିଲା। ତେଣୁ ତା’କୁ ସଂପୂର୍ଣ୍ଣ ଉଚ୍ଛେଦ ନ କରି ସଂଶୋଧନ କରିଥିଲେ, ଭଲ ହୋଇଥା’ନ୍ତା।

Advertisment

ପ୍ରଶ୍ନ ୨ - ଓମିକ୍ରନ୍‌ ଭୂତାଣୁ ବହୁ ରାଷ୍ଟ୍ରକୁ ବ୍ୟାପିଲାଣି। ଓଡ଼ିଶା ସରକାରଙ୍କ ପାଖରେ ବିଦେଶ ଫେରନ୍ତାଙ୍କ ଖବର ନାହିଁ, କ’ଣ କହିବେ?
ଓମିକ୍ରନ୍‌ ଭାରତରେ ତୃତୀୟ ଲହର ଆଣିବ। ତେଣୁ ଆମକୁ ସାବଧାନ ହୋଇ ରହିବାକୁ ପଡ଼ିବ। ସରକାର ବି କଠୋର ଆଭିମୁଖ୍ୟ ଗ୍ରହଣ କରନ୍ତୁ।

ପ୍ରଶ୍ନ ୩-ପୁଲିସର ଅପା‌ରଗତା ପାଇଁ ରାଜଧାନୀରେ ଅପରାଧୀ ଊର୍ଧ୍ବମୁଖା ହୋଇଛନ୍ତି?
ନିଶ୍ଚିତ ଭାବେ। ଏଥିପାଇଁ ପୁଲିସ୍ ହିଁ ଦାୟୀ। ବିହାରରୁ ବନ୍ଧୁକ କେମିତି ଆସୁଛି? ଖୁବ୍‌ କମ୍‌ ଟଙ୍କାରେ ବନ୍ଧୁକ ମିଳିଯାଉଥିବାରୁ ରାଜଧାନୀ‌ରେ ବନ୍ଧୁକ ‌ବେପାର ବଢ଼ି ଯାଇଛି। ପୁଲିସ୍‌ ଶୀଘ୍ର ଏହାର ଚେର ନ ଉପାଡ଼ିଲେ, ନେଡ଼ିଗୁଡ଼ କହୁଣୀକୁ ବୋହିଯିବ।

ପ୍ରଶ୍ନ ୪- କ୍ରିପ୍ଟୋ କରେନ୍ସି ଭାରତ ସରକାର ମାନ୍ୟତା ଦେଲେ ନାହିଁ, ଏହା କ’ଣ ଠିକ ?
ଭାରତ ସରକାର ଡିଜିଟାଇଜେନ୍‌କୁ ଗୁରୁ୍ତ୍ବ ଦେଉଥିବା ବେଳେ ଡିଜିଟାଲ କରେନ୍ସିକୁ ମାନ୍ୟତା ନ‌ଦେବା ଠିକ୍‌ ହେଲା ନାହିଁ। ପ୍ରାୟ ବଡ଼ବଡ଼ ରାଷ୍ଟ୍ରରେ କ୍ରିପ୍ଟୋ‌କରେନ୍ସି ମାଧ୍ୟମରେ ଟଙ୍କା ନେଣ ଦେଣ ଚାଲିଛି। ଭାରତର ମଧ୍ୟ ବହୁ ଲୋକ କ୍ରିପ୍ଟୋରେ ନିବେଶ କରିଛନ୍ତି।

ପ୍ରଶ୍ନ ୫-ଭାରତୀୟ କ୍ରିକେଟ୍‌ ଦଳ ବଡ଼ ଟୁର୍ଣ୍ଣାମେଣ୍ଟ‌ରେ ଚାପ ନେଇପାରୁନାହାନ୍ତି?
ଏବେ ଭାରତୀୟ ଦଳରେ ଅଧିକାଂଶ ଖେଳାଳି ଯୁବକ, ସେମାନଙ୍କ ପାଖରେ ସେତେ‌ ଅଭିଜ୍ଞତା ନାହିଁ। ତେଣୁ ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟରେ ସେମାନେ ଅଯଥା ଚାପଗ୍ରସ୍ତ ହୋଇଯାଉଛନ୍ତି। ତେଣୁ ସେମାନଙ୍କୁ ମାର୍ଗଦର୍ଶନ ଦେବା ପାଇଁ ବରିଷ୍ଠ ଖେଳାଳିଙ୍କୁ ବି ଟିମ୍‌ରେ ସୁଯୋଗ ଦିଆଯାଉ। ଫଳରେ ଟିମ୍‌ରେ ସନ୍ତୁଳନ ବି ରହିବ।
ଅନୁପ ତ୍ରିପାଠୀ, ଅଧ୍ୟାପକ