୫ ମିନିଟରେ ୫ଟି ପ୍ରଶ୍ନ

ପ୍ରଶ୍ନ ୧: ଘରୋଇ ବିଦ୍ୟାଳୟରେ ପିଲାକୁ ପଢ଼ାଇବା ପାଇଁ ଅଭିଭାବକମାନେ କାହିଁକି ବ୍ୟାକୁଳ ହେଉଛନ୍ତି?
ରାଜ୍ୟରେ ସରକାରୀ ବିଦ୍ୟାଳୟଗୁଡ଼ିକର ଅଧୋଗତି ହେବାରେ ଲାଗିଛି। ନା ଭିତ୍ତିଭୂମି ଉନ୍ନତ ନା ଭଲ ଶିକ୍ଷାଦାନ ହେଉଛି। କିନ୍ତୁ ଘରୋଇ ବିଦ୍ୟାଳୟରେ ଶିକ୍ଷକ/ଶିକ୍ଷୟିତ୍ରୀମାନେ ପିଲାମାନଙ୍କ ଉଚିତ ଯତ୍ନ ନେଉଛନ୍ତି। ଶିକ୍ଷକ/ଶିକ୍ଷୟିତ୍ରୀମାନେ ସେଠାରେ ଉଭୟ ପାଠ ଓ ସାଠ ପ୍ରତି ସମାନ ଭାବେ ଗୁରୁତ୍ବ ଦେଉଛନ୍ତି।

ପ୍ରଶ୍ନ ୨: ମାତୃଭାଷା ପ୍ରତି ଲୋକଙ୍କ କାହିଁକି ଆଦର ନାହିଁ?
ସେଭଳି ଲୋକଙ୍କୁ କ’ଣ ବା ଆଉ କହିପାରିବା, ଯେଉଁମାନେ ଓଡ଼ିଆ ହୋଇ ବି ସାଙ୍ଗସାଥୀ, ପରିବାର ଲୋକଙ୍କ ଆଗରେ ହିନ୍ଦୀ, ଇଂରାଜୀ ଚୋବାଉଛନ୍ତି। କିନ୍ତୁ ସେମାନେ ମନେ ରଖିବା ଉଚିତ, ଯିଏ ମାତୃଭାଷାକୁ ଅବହେଳା କରିଛି ସେ ଅନ୍ୟ କେଉଁ ଭାଷାରେ ବି ସିଦ୍ଧି ହାସଲ କରିପାରିବ ନାହିଁ। ଓଡ଼ିଶାରେ ଏ ଅବସ୍ଥା ପାଇଁ ସରକାର ବି ବହୁମାତ୍ରାରେ ଦାୟୀ।

ପ୍ରଶ୍ନ ୩: ବିଶ୍ୱବିଦ୍ୟାଳୟରୁ କ୍ରୀଡ଼ାବିତ୍‌ ନ ବାହାରିବାର କାରଣ କ’ଣ?
ପ୍ରଥମ କାରଣ ହେଲା, ପିଲାମାନଙ୍କର ଖେଳ ପ୍ରତି ଆଉ ଆଗ୍ରହ ନାହିଁ। ମୋବାଇଲ୍‌ରୁ ତ ସେମାନଙ୍କୁ ଫୁରସତ୍‌ ମିଳୁନି। ଯେତିକି ପିଲା ଆଗ୍ରହ ଦେଖାଉଛନ୍ତି, ବିଶ୍ୱବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ ସେତିକି ସୁବିଧା, ସହଯୋଗ ମିଳୁନି। ଏହାଦ୍ବାରା ସେମାନଙ୍କ ଆଗ୍ରହ କମିବା ସହ ମନୋବଳ ଭାଙ୍ଗି ଯାଉଛି।

ପ୍ରଶ୍ନ ୪: ପିଲାଙ୍କ ପଢ଼ା ବହିରେ ବିଭିନ୍ନ କମ୍ପାନିର ବିଜ୍ଞାପନ ରହିବା ଠିକ୍ ବୋଲି ଭାବୁଛନ୍ତି କି?
କ’ଣ ସେଗୁଡ଼ା ବହି ନା ମାଗାଜିନ୍‌! ବହିରେ ଯଦି କୁର୍‌କୁରେ, ହର୍ଲିକ୍ସ୍, ଡେରିମିଲ୍କ ଚକୋଲେଟ୍ ଭଳି ବିଭିନ୍ନ କମ୍ପାନିର ବିଜ୍ଞାପନ ସ୍ଥାନ ପାଇବ, ପିଲା‌ ଆଉ ପଢ଼ିବେ କ’ଣ? ଶିକ୍ଷା ବିଭାଗ ଓ କମ୍ପାନିଗୁଡ଼ିକର ଭିତରି ସଲାସୁତୁରାରେ ଏଭଳି ବେଆଇନ କାମ ଚାଲିଛି। ଏଗୁଡ଼ିକ ଖୁବ୍‌ଶୀଘ୍ର ରୋକାଯିବା ଆବଶ୍ୟକ।

ପ୍ରଶ୍ନ ୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଆପଣ ସମର୍ଥନ କରୁଛନ୍ତି?
ଶ୍ରୀମନ୍ଦିରର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟୀକରଣ କରାଯିବା ନିହାତି ଆବଶ୍ୟକ। କାରଣ ବିଶ୍ବର ବିଭିନ୍ନ ସ୍ଥାନରୁ ଲୋକେ ପୁରୀ ବୁଲିବାକୁ ଆସନ୍ତି ଓ ଶ୍ରୀମନ୍ଦିରରୁ ବହୁ ସକାରାତ୍ମକ ଅନୁଭୂତି ନେଇ ଫେରିଥା’ନ୍ତି। କିନ୍ତୁ ଏବେ ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଯେଉଁ ବିବାଦ ଦେଖାଦେଉଛି ଓ ବିରୋଧୀ ଦଳଗୁଡ଼ିକ ଯାହା ଆରୋପ ଲଗାଉଛନ୍ତି, ତାହା ସପକ୍ଷରେ ମୁଁ ନାହିଁ। ମୋ ମତରେ କୌଣସି ବି ସରକାର ଶ୍ରୀମନ୍ଦିର ଭଳି ଏକ ଅମୂଲ୍ୟ ସଂପଦକୁ ନଷ୍ଟ କରି ଓଡ଼ିଆଙ୍କ ଭାବାବେଗକୁ ଆଘାତ କରିବାକୁ ଚାହିବେ ନାହିଁ।

ସମ୍ବନ୍ଧିତ ଖବର