୫ ମିନିଟରେ ୫ଟ ପ୍ରଶ୍ନ

ପ୍ରଶ୍ନ ୧- ମୋଦି ସରକାରଙ୍କ ୮ବର୍ଷର ଶାସନରେ ଆପଣ କେତେ ସନ୍ତୁଷ୍ଟ?
ଏହି ୮ବର୍ଷ ମଧ୍ୟରେ ଦେଶରେ ବହୁତ କିଛି ବଦଳିଛି। ଧାରା ୩୭୦ ଉଚ୍ଛ‌େଦ, ନୂତନ ଶିକ୍ଷା ନୀତି ପ୍ରଚଳନ, ବାଲାକୋଟ୍ ଷ୍ଟ୍ରାଇକ୍, ସ୍ବଚ୍ଛ ଭାରତ ଭଳି ଯୋଜନା ମୋଦି ସରକାରଙ୍କ ଭଲ ନିଷ୍ପତ୍ତି। କିନ୍ତୁ ବିମୁଦ୍ରୀକରଣ, ସରକାରୀ ଉଦ୍ୟୋଗଗୁଡ଼ିକର ଘରୋଇକରଣ ମୋତେ ବ୍ୟଥିତ କରିଛି।

ପ୍ରଶ୍ନ ୨- ଅସାଧୁ ବ୍ୟବସାୟୀମାନେ କାର୍ବାଇଡ୍‌ଦିଆ ଫଳ ବିକୁଛନ୍ତି। ଏ ସଂପର୍କରେ ଆପଣ କ’ଣ କହିବେ?
କାର୍ବାଇଡ୍‌ଦିଆ ଫଳ ମଣିଷ ପାଇଁ ବିଷ। କିନ୍ତୁ ଲାଭଖୋର୍ ବ୍ୟବସାୟୀମାନେ ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ଆଦୌ ଚିନ୍ତିତ ନୁହେଁ। ଅଧିକ ଲାଭ ପାଇଁ ସେମାନେ କିଛି ବି କରିପାରନ୍ତି। ଯେକୌଣସି ସ୍ତରକୁ ବି ଯାଇପାରନ୍ତି। ସମୟ ପୂର୍ବରୁ ବଜାରରେ ପାଚିଲା ଆମ୍ବ ମିଳୁଛି। ଲିଚିରେ ରଙ୍ଗ ମରାଯିବାର ଭିଡିଓ ଭାଇରାଲ ହେଉଛି।

ପ୍ରଶ୍ନ ୩- ବିକାଶ ନାଁରେ ବଡ଼ ବଡ଼ ଗଛ କଟାଯିବା କେତେ ଦୂର ଯୁକ୍ତିଯୁକ୍ତ?
ବିକାଶ ପାଇଁ ତ ଗଛ କାଟିବାକୁ ପଡ଼ିବ। କିନ୍ତୁ ଯେତିକି କଟାଯାଉଛି, ତା’ର ୧୦ ଗୁଣ ଲଗାଯିବା ଉଚିତ। ସରକାର ଏ ଦିଗରେ ଯତ୍ନବାନ ହୁଅନ୍ତୁ। ସେହିପରି ବିକଶିତ ଦେଶଗୁଡ଼ିକରେ ଯେପରି ବଡ଼ ବଡ଼ ଗଛକୁ ନ କାଟି ମେସିନ୍‌ ଦ୍ବାରା ସ୍ଥାନାନ୍ତରଣ କରାଯାଉଛି, ଭାରତରେ ମଧ୍ୟ ସେଭଳି ଉପାୟ ଅବଲମ୍ବନ କରାଯାଉ।

ପ୍ରଶ୍ନ ୪- ଡ୍ରଗସ୍ କାରବାର ମାମଲାରେ ଶାହରୁଖ ଖାନଙ୍କ ପୁଅଙ୍କୁ କୋର୍ଟ କ୍ଲିନ୍‌ଚିଟ୍‌ ଦେ‌ଇଦେଲେ। ଏହା ଏନ୍‌ସିବିର ଏକ ଷଡ଼ଯନ୍ତ୍ର ଥିଲା ବୋଲି ଆପଣ ଭାବୁଛନ୍ତି କି?
ଷଡ଼ଯନ୍ତ୍ର ବୋଲି ମୁଁ ଭାବୁ ନାହିଁ। ଆଇନ ସମସ୍ତଙ୍କ ପାଇଁ ସମାନ। ଡ୍ରଗସ୍ ପାର୍ଟିରୁ ସେ ଗିରଫ ‌ହୋଇଥିଲେ। ସେ ଡ୍ରଗ୍ସ ସେବନ କରି ନ ଥାଇପାରନ୍ତି, କିନ୍ତୁ ‌ସେ ତ ଘଟଣାସ୍ଥଳରେ ହାଜର ଥିଲେ। ତେଣୁ ଏନ୍‌ସିବି ତାଙ୍କୁ ସନ୍ଦ‌େହରେ ଗିରଫ କରିଥିଲା। ଗଣମାଧ୍ୟମ ଏହି ଘଟଣାକୁ ବଢ଼େଇଚଢ଼େଇ ଦେଖାଇବାରୁ ଘଟଣା ବଡ଼ ରୂପ ନେଇଗଲା।

ପ୍ରଶ୍ନ ୫- ବିରାଟ କୋହଲି, ରୋହିତ ଶର୍ମାଙ୍କ ଏଥରର ଆଇପିଏଲ୍‌ ପ୍ରଦର୍ଶନ ସଂପୂର୍ଣ୍ଣ ନୈରାଶ୍ୟଜନକ ଥିଲା। ସେମାନଙ୍କ ଭବିଷ୍ୟତକୁ ନେଇ କ’ଣ କହିବେ?
ସମୟ‌ ସବୁବେଳେ ସମାନ ନଥାଏ। ବହୁ ବଡ଼ବଡ଼ ମ୍ୟାଚ୍ ଓ ଟୁର୍ଣ୍ଣାମେଣ୍ଟରେ ସେମାନେ ଭାରତକୁ ଜିତାଇଛନ୍ତି। ତେଣୁ କିଛି ମ୍ୟାଚ୍‌ରେ ଖରାପ ପ୍ରଦର୍ଶନ ପାଇଁ ସେମାନଙ୍କ ଉପରେ ଅଙ୍ଗୁଳି ଉଠାଇବା ଠିକ୍‌ କଥା ନୁହେଁ। ସେମାନେ ପୁଣି ଭଲ ଖେଳିବେ ବୋଲି ମୋର ଆଶା।
ନୃସିଂହ ବେହେରା

ସମ୍ବନ୍ଧିତ ଖବର