୫ ମିନିଟରେ ୫ଟି ପ୍ରଶ୍ନ

ପ୍ରଶ୍ନ ୧: ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ନେଇ କ’ଣ କହିବେ?
ଦରଦାମ ବୃଦ୍ଧି ସମସ୍ତଙ୍କୁ ପ୍ରଭାବିତ କରୁଛି। ଏହାକୁ ନେଇ ଗରିବ ଏବଂ ମଧ୍ୟବିତ୍ତମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ରାଜ୍ୟ ଓ କେନ୍ଦ୍ର ସରକାର ଯେତେଶୀଘ୍ର ସମ୍ଭବ, ଏହା ଉପରେ ରୋକ୍ ନ ଲଗାଇଲେ, ଲୋକଙ୍କ ଆସ୍ଥା ଓ ବିଶ୍ବାସ ହରାଇବେ।

ପ୍ରଶ୍ନ ୨: ମାତୃଭାଷା ପ୍ରତି ସରକାରୀ ଅତ୍ୟାଚାର ଓ ଛଳନା ସୀମା ଲଂଘିଲାଣି କି?
ମାତୃଭାଷାର ଉନ୍ନତି ପାଇଁ ସମସ୍ତେ କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି। ଓଡ଼ିଆର ବହୁଳ ପ୍ରୟୋଗ ପାଇଁ ସଭା ସମିତିରେ ଆଲୋଚନା କରୁଛନ୍ତି। ବଡ଼ବଡ଼ ଭାଷଣ ମାରୁଛନ୍ତି। କିନ୍ତୁ ବ୍ୟକ୍ତିଗତସ୍ତରରେ କାର୍ଯ୍ୟକାରୀ କରିବାକୁ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି। ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ମାତୃଭାଷାକୁ ଖୋଲାଖୋଲି ଅବହେଳା କରାଯାଉଛି। ତେଣୁ ପ୍ରଥମେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷାର ବାଧ୍ୟତାମୂଳକ ବ୍ୟବହାର କରାଯିବା ଆବଶ୍ୟକ।

ପ୍ରଶ୍ନ ୩: କୁଖ୍ୟାତ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିବା ଠିକ୍ କି?
ପୂରା ଠିକ୍‌। ନହେଲେ ସେମାନଙ୍କ ମୁହଁ ବଢ଼ିବ। ଦିନକୁ ଦିନ ଅଧିକରୁ ଅଧିକ ଅପରାଧ କରିବେ। ସେମାନଙ୍କ ଭିତରେ ପୁଲିସର ଭୟ ରହିବା ଉଚିତ ଆଉ ଏଥିପାଇଁ ଏନ୍‌କାଉଣ୍ଟର୍‌ ହିଁ ଠିକ୍‌ ପଦକ୍ଷେପ।

ପ୍ରଶ୍ନ ୪: ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ଦେଖାଦେଇଥିବା ବିବାଦ ଉପରେ କ’ଣ କହିବେ?
ଶ୍ରୀମନ୍ଦିର ପ୍ରକଳ୍ପ‌ରେ ସରକାର କ’ଣ କରିବାକୁ ଚାହୁଛନ୍ତି, ତାହା ଜନସାଧାରଣଙ୍କୁ ଜଣାଇବା ଆବଶ୍ୟକ। ଓଡ଼ିଶାବାସୀ ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହଁନ୍ତି, ସେଠାରେ କ’ଣ ତିଆରି ଚାଲିଛି। ତେବେ ଏହି ପ୍ରକଳ୍ପ ଯେପରି ଶ୍ରୀମନ୍ଦିର ପ୍ରତି ବିପଦ ନ ହେଉ, ସେଥିପ୍ରତି ସରକାର ଧ୍ୟାନ ଦେବା ଉଚିତ।

ପ୍ରଶ୍ନ ୫-ରାଜଧାନୀର ଅଧିକାଂଶ ଶୌଚାଳୟ ବନ୍ଦ ରହିବା ପଛରେ କାରଣ କ’ଣ?
ରାଜଧାନୀରେ ଥିବା ଶୌଚାଳୟଗୁଡ଼ିକର ରକ୍ଷାଣବେକ୍ଷଣ ଏବଂ ପରିଚାଳନା କାର୍ଯ୍ୟ ଠିକ୍ ଭାବେ ହେଉନାହିଁ। ଏମିତିକି ଜନଗହଳି ସ୍ଥାନରେ ଯେଉଁଠାରେ ଶୌଚାଳୟର ଆବଶ୍ୟକତା ରହିଛି, ସେଠାରେ ବି ତାଲା ଝୁଲୁଛି। ଫଳରେ ଲୋକମାନେ ମୁକ୍ତ ପରିବେଶରେ ପରିସ୍ରା, ଶୌଚ କରୁଛନ୍ତି। ଏହା ଆମର ରାଜଧାନୀର ସ୍ବଚ୍ଛତା ଉପରେ ପ୍ରଶ୍ନ ଆଣୁଛି। ବିଏମ୍‌ସି ଏଥିପ୍ରତି ଧ୍ୟାନ ଦେବା ଉଚିତ।
ଶ୍ରୁତକୀର୍ତ୍ତି ତ୍ରିପାଠୀ, ସାହିତ୍ୟିକା

ସମ୍ବନ୍ଧିତ ଖବର