ପିଣ୍ଡଦାନ କଲେ ୫ ହଜାର ଶ୍ରଦ୍ଧାଳୁ

ଚଳଚଞ୍ଚଳ ପୁଣ୍ୟତୋୟା ପ୍ରାଚୀନଦୀ ତ୍ରିବେଣୀ ଘାଟ

ବାଲିପାଟଣା: ମହାଳୟା ଅମାବାସ୍ୟା ଅବସରରେ ପିତୃପକ୍ଷଙ୍କ ପିଣ୍ଡଦାନ ଲାଗି ଆଜି ପୁଣ୍ୟତୋୟା ପ୍ରାଚୀ ନଦୀର ତ୍ରିବେଣୀ ଘାଟ ଚଳଚଞ୍ଚଳ ହୋଇଉଠିଥିଲା। ବହୁ ସଂଖ୍ୟାରେ ଲୋକେ ନଦୀଘାଟରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଓ ଅସ୍ଥି ବିସର୍ଜନ କରିଛନ୍ତି। ଭାଗବତ ଜନ୍ମ ପର ଦିନଠାରୁ ଅର୍ଥାତ୍‌ ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦାଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନ ଧରି ମହାଳୟା ପିଣ୍ଡଦାନ ହୋଇଥାଏ। ଏହାକୁ ପିତୃପକ୍ଷ ବା ଅପରପକ୍ଷ କୁହାଯାଏ।

ଏହି ତିଥିରେ ଶ୍ରାଦ୍ଧ ଦେଲେ, ପିତୃପୁରୁଷଙ୍କ ଆତ୍ମା ସଦ୍‌ଗତିପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି। ବର୍ଷସାରା ଗହଳି ଚହଳି ଲାଗୁଥିବା ପବିତ୍ର ପୁଣ୍ୟତୋୟା ପ୍ରାଚୀ ନଦୀର ଅନ୍ତର୍ବେଦୀ ପୀଠରେ ଆଜି ଶ୍ରଦ୍ଧାଳୁଙ୍କ ବେଶ୍‌ ଭିଡ଼ ଜମିଥିଲା। ଭୁବନେଶ୍ୱର, କଟକ, ଜଗତ୍‌ସିଂହପୁର, ଅଡ଼ଶପୁର, ଗୋପ, ପୁରୀ, ନିମାପଡ଼ା ପ୍ରଭୃତି ଅଞ୍ଚଳରୁ ବହୁ ସଂଖ୍ୟାରେ ଲୋକ ଏଠାକୁ ଆସି ପିଣ୍ଡଦାନ କରିଥିଲେ। ମାନସିକଧାରୀମାନେ ଅଟା, ଅରୁଆ ଚାଉଳ, ମହୁ, କ୍ଷୀର, ଅଦା, ନଡ଼ିଆ, ଗୁଡ଼, ଛେନା, ନାନାଦି ଫଳମୂଳ ଓ ପୂଜା ସାମଗ୍ରୀ ଆଣି ଆସିଥିଲେ। ସେହିପରି ଅସ୍ଥି ବିସର୍ଜନ ପୂର୍ବରୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ସଂକଳ୍ପ କରି ନଦୀଜଳରେ ଅସ୍ଥି ବିସର୍ଜନ କାର୍ଯ୍ୟ ସମାପନ କରିଥିଲେ।

ସମ୍ବନ୍ଧିତ ଖବର