୫ ହଜାର ପିଲାଙ୍କ ପାଇଁ ଜଣେ ଡାକ୍ତର

ଅବ୍ୟବସ୍ଥାରେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ୱାସ୍ଥ୍ୟକେନ୍ଦ୍ର

ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅନ୍ୟତମ। ଏଠାରେ ରାଜ୍ୟ ଓ ରାଜ୍ୟ ବାହାରର ଛାତ୍ରଛାତ୍ରୀ ପିଜି, ଏମ୍‌ଫିଲ୍‌, ପିଏଚ୍‌ଡି ପରି ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରୁଛନ୍ତି। ଏଥିସହ ପ୍ରଫେସର୍‌, ଅଧ୍ୟାପକ ଓ କର୍ମଚାରୀମାନେ ମଧ୍ୟ ଏହି କ୍ୟାମ୍ପସରେ ରହୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ ପରିସରରେ ଏକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହୋଇଥିଲା। ପ୍ରଥମେ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଉଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ଏବେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏଥିପ୍ରତି କାହାରି ଦୃଷ୍ଟି ପଡ଼ୁନି। ପ୍ରଫେସର, ଛାତ୍ରଛାତ୍ରୀ, କର୍ମଚାରୀଙ୍କୁ ମିଶାଇ କ୍ୟାମ୍ପସ୍‌ରେ ୬ ହଜାରରୁ ଅଧିକ ଲୋକ ରହିଥିଲେ ମଧ୍ୟ ସେମାନଙ୍କ ଚିକିତ୍ସା ପାଇଁ ଜଣେ ମାତ୍ର ଡାକ୍ତର ଅଛନ୍ତି। ଜଣେ ବି ନର୍ସ ନାହାନ୍ତି। ଏଭଳି ସ୍ଥିତିକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଲାଣିି। ଯଦି ତୁରନ୍ତ ସମସ୍ୟାର ସମାଧାନ କରା ନ ଯାଏ ତେବେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

କ୍ୟାମ୍ପସ୍‌ରେ ୭ଟି ଲେଖାଏଁ ଛାତ୍ରନିବାସ ଓ ଛାତ୍ରୀନିବାସ ରହିଛି। ଯେଉଁଠାରେ ୩ ହଜାରରୁ ଅଧିକ ପିଲା ରହୁଛନ୍ତି। ସେହିପରି ୬୦ରୁ ଅଧିକ ପରିବାର କ୍ୟାମ୍ପସ୍‌ରେ ବସବାସ କରନ୍ତି। ୟୁନିଭର୍‌ସିଟି ହାଇସ୍କୁଲ ଓ ଲ’ କଲେଜର ଛାତ୍ରଛାତ୍ରୀ ମଧ୍ୟ ଏହି କ୍ୟାମ୍ପସ୍‌ରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି। ୭ ହଜାରରୁ ଅଧିକ ଛାତ୍ରଛାତ୍ରୀ କ୍ୟାମ୍ପସ ଉପରେ ନିର୍ଭର କରୁଥିବାରୁ ସେମାନଙ୍କୁ ୨୪ ଘଣ୍ଟିଆ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଥିଲା। କିନ୍ତୁ ଆବଶ୍ୟକ ସଂଖ୍ୟାରେ ଡାକ୍ତର ଓ ନର୍ସ ନ ଥିବାରୁ ବିଭିନ୍ନ ସମୟରେ ସମସ୍ୟା ଉପୁଜୁଛି। ସବୁଠାରୁ ବଡ଼ କଥା ହେଉଛି ଯେ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ପର୍ଯ୍ୟନ୍ତ ସାମାନ୍ୟ ରୋଗ ପାଇଁ ମେଡିସିନ୍‌ ଉପଲବ୍ଧ ହୋଇପାରିନି। ଜରୁରୀକାଳୀନ ସୁବିଧା ଯୋଗାଇବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏକ ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ସେଥିରେ ଯନ୍ତ୍ରପାତି ନାହିଁ। ଡ୍ରାଇଭର୍‌ ବି ନାହାନ୍ତି। ଫଳରେ ଆମ୍ବୁଲାନ୍‌ସ କାମରେ ଲାଗିପାରୁନି। ଅସୁସ୍ଥ ହେଲେ ଛାତ୍ରଛାତ୍ରୀଙ୍କୁ ଅଟୋ କରି ବାହାର ହସ୍ପିଟାଲକୁ ଯିବାକୁ ପଡ଼ୁଛି। ଏ ନେଇ ଛାତ୍ରଛାତ୍ରୀ ବାରମ୍ବାର ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ଛାତ୍ରୀ ଶଶିରେଖା ନାୟକ କହିଛନ୍ତି ଯେ, ହଠାତ୍‌ ରାତିରେ ଦେହ ଖରାପ ହେଲେ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରରେ କେହି ବି ଡାକ୍ତର ନ ଥାନ୍ତି। ସଂଧ୍ୟା ୭ଟାରେ ହଷ୍ଟେଲ ଗେଟ୍‌ ବନ୍ଦ ହୋଇଯାଏ। ସେଥିପାଇଁ ଆମେ ଆମ ଓ୍ଵାର୍ଡନ୍‌କୁ କହି ଗାଡ଼ି ଡାକି ପିଲାଙ୍କୁ ଅନ୍ୟ ମେଡିକାଲକୁ ନେଇଥାଉ।
ଏନେଇ ବିଶ୍ୱବିଦ୍ୟାଳୟ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଦୁଷ୍ମନ୍ତ କୁମାର ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କୁହନ୍ତି ଯେ, ଯେଉଁଠାରେ ୪ଜଣ ଡାକ୍ତର ରହିବା କଥା ଜଣେ ଡାକ୍ତରଙ୍କ ଦ୍ୱାରା କିପରି କାର୍ଯ୍ୟ ହେବ। ପ୍ରତିଦିନ ୩୦ରୁ ୪୦ ରୋଗୀ ଏଠାକୁ ଆସୁଛନ୍ତି। ନର୍ସ ନାହାନ୍ତି। ଛୋଟମୋଟ ପରୀକ୍ଷା ପାଇଁ ଲ୍ୟାବ୍‌ର ବ୍ୟବସ୍ଥା ମଧ୍ୟ ନାହିଁ। ଆମ୍ବୁଲାନ୍ସରେ ଉପଯୁକ୍ତ ଯନ୍ତ୍ରପାତି ଲାଗି ନ ଥିବାରୁ ତାହା ଥାଇ ନଥିବା ପରି। ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ୟା ସଂପର୍କରେ ଜଣାଇ ଦିଆଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର