୧୮ରୁ ୨୧ ପର୍ଯ୍ୟନ୍ତ ୫ ଟ୍ରେନ୍‌ ବାତିଲ୍‌, ୪ଟି ଟ୍ରେନ୍‌ର ଗତିପଥ ପରିବର୍ତନ

ଭୁବନେଶ୍ବର: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦକ୍ଷିଣ ପୂର୍ବାଞ୍ଚଳ ରେଳପଥର ହାୱଡ଼ା-ଖଡଗପୁର ସେକ୍ସନର ବିଭିନ୍ନ ରେଳ ଷ୍ଟେସନରେ ଆନ୍ଦୋଳନ ଜାରି ରହିଥିବାରୁ ଓଡ଼ିଶା ଦେଇ ଯିବା ଆସିବା କରୁଥିବା ଟ୍ରେନ୍‌ଗୁଡ଼ିକର ଚଳାଚଳ ପ୍ରଭାବିତ ହୋଇଛି। ହାୱଡ଼ାରୁ ଛାଡ଼ିବାକୁ ଥିବା ୫ଟି ଟ୍ରେନ୍‌କୁ ଆଜି ବାତିଲ୍‌ କରାଯାଇଛି। ଓଡ଼ିଶା ଦେଇ ପଶ୍ଚିମବଙ୍ଗ ଓ ଉତ୍ତରପୂର୍ବ ରାଜ୍ୟଗୁଡ଼ିକୁ ଯିବାକୁ ଥିବା ୮ଟି ଟ୍ରେନ୍‌କୁ ଆଜି ପାଇଁ ବାତିଲ୍‌ କରାଯାଇଛି। ଏଥିସହ ୧୮ରୁ ୨୧ତାରିଖ ଭିତରେ ୫ଟି ଟ୍ରେନ୍‌ ବାତିଲ୍‌ ହୋଇଛି। ୧୮ ତାରିଖ ପାଇଁ ଭାଗଲପୁର-ଯଶବନ୍ତପୁର ଏକ୍ସପ୍ରେସ୍‌, ଚେନ୍ନାଇ-ନ୍ୟୁ ଜଲପାଇଗୁଡ଼ି ଏକ୍ସପ୍ରେସ୍‌, ୧୯ ତାରିଖ ପାଇଁ ଗୌହାଟି-ସିକନ୍ଦରାବାଦ ଏକ୍ସପ୍ରେସ୍‌, ତମ୍ବାରାମ-ଦେବ୍ରିଗଡ଼ ଏକ୍ସପ୍ରେସ୍‌ ଓ ୨୧ ତାରିଖ ଲାଗି ଅଗରତାଲା-‌ବେଙ୍ଗାଲୁରୁ କ୍ୟାଣ୍ଟନମେଣ୍ଟ ଏକ୍ସପ୍ରେସ୍‌କୁ ବାତିଲ୍‌ କରାଯାଇଛି।

ଆଜି ହାୱଡ଼ାରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଛି। ଆନ୍ଦୋଳନକୁ ଦୃଷ୍ଟିରେ ରଖି ଟ୍ରେନ୍‌ ଚଳାଚଳ ଉପରେ କଡ଼ା ନଜର ରଖାଯାଇଛି। ଟ୍ରେନ୍‌ ଯାତ୍ରୀ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ଆଜି ପୂର୍ବାହ୍ନ ୧୦ଟାରେ ବେଙ୍ଗାଲୁରୁରୁ ଏକ ସ୍ବତନ୍ତ୍ର ଟ୍ରେନ୍‌ ହାୱଡ଼ା ଅଭିମୁଖେ ଯାତ୍ରାରମ୍ଭ କରିଛି। ଏହା ବୁଧବାର ସନ୍ଧ୍ୟା ୮ଟା ୪୫ରେ ହାୱଡ଼ା‌ରେ ପହଞ୍ଚିବ। ଏଥିସହ ଆଉ ଏକ ସ୍ବତନ୍ତ୍ର ଟ୍ରେନ୍‌ ମହୀଶୂରରୁ ହାଓଡ଼ା ଅଭିମୁ‌ଖେ ଯାତ୍ରା କରିବ। ଏହା ୧୭ ତାରିଖ ମଧ୍ୟ ରାତିରେ ମହୀଶୂରରୁ ଛାଡ଼ି ପରଦିନ ଅପରାହ୍‌ଣ ୨ଟାରେ ହାୱଡ଼ାରେ ପହଞ୍ଚିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ଆସନ୍ତା ୨୦ ତାରିଖରେ ଗୁରୁଡ଼ିଝାଟିଆ ରେଳ ଷ୍ଟେସନରେ ସୁରକ୍ଷା ସମ୍ପର୍କିତ ମରାମତି କାର୍ଯ୍ୟ ପାଇଁ ୪ଟି ଟ୍ରେନ୍‌ର ଗତିପଥ ପରିବର୍ତନ କରାଯାଇଛି। କଟକ ଷ୍ଟେସନ ଦେଇ ଯିବାକୁ ଥିବା ପୁରୀ-ଦୁର୍ଗ ଏକ୍ସ‌‌ପ୍ରେସ୍‌(୧୮୪୨୫), ଭୁବନେଶ୍ବର-ଧାନବାଦ ଗରିବ ରଥ ଏକ୍ସପ୍ରେସ୍(୧୨୮୩୨), ପୁରୀ-ହଟିଆ ତପସ୍ବିନୀ ଏକ୍ସ‌ପ୍ରେସ୍‌(୧୮୪୫୨) ଓ ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସ‌ପ୍ରେସ୍‌(୧୮୧୧୮) ନରାଜ ଷ୍ଟେସନ ଦେଇ ଚଳାଚଳ କରିବ। ତେଣୁ ଯାତ୍ରୀମାନେ କଟକ ଷ୍ଟେସନ ବଦଳରେ ନରାଜ ଷ୍ଟେସନରେ ଟ୍ରେନ୍‌ ସେବା ପାଇପାରିବେ। ଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ କଟକ ଷ୍ଟେସନରୁ ନରାଜ ଷ୍ଟେସନ ପର୍ଯ୍ୟନ୍ତ ବସ୍‌ ‌ସେବା ଯୋଗାଇ ଦିଆଯିବ। ଯାତ୍ରୀମାନେ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ କଟକ ଷ୍ଟେସନରେ ପହଞ୍ଚି ବସ୍‌ ସେବାର ସୁଯୋଗ ନେବାକୁ ରେଳପଥ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର