୫ବର୍ଷର ହିସାବ ନିକାଶ: ମୌଳିକ ସୁବିଧା ପାଇପାରିଲେନି ୱାର୍ଡ ବାସିନ୍ଦା

ୱାର୍ଡ ନଂ ୧୯
ଭୁବନେଶ୍ବର: ପୁରୁଣା ଜନବସତି ଓ ସମସ୍ୟା ‌ଘେରରେ ଥିବା ଏହି ୱାର୍ଡବାସୀ ବିକାଶର ସ୍ବପ୍ନ ନେଇ କଂଗ୍ରେସ ପ୍ରାର୍ଥୀ ଜ୍ୟୋତ୍ସ୍ନାରାଣୀ ରାଉତରାୟଙ୍କୁ ଜିତାଇଥିଲେ। ବିଜେଡିର ଚିତ୍ରାଞ୍ଜଳି ବଳିଆରସିଂହଙ୍କୁ ସେ ପରାସ୍ତ କରିଥିଲେ। ପରେ ଜ୍ୟୋତ୍ସ୍ନାରାଣୀ ବିଜେଡିରେ ମିଶିଥିଲେ। ପ୍ରତିବର୍ଷ ବର୍ଷା ଦିନେ ଏହି ୱାର୍ଡର ଚର୍ଚ୍ଚା ଗଣମାଧ୍ୟମରେ ହୁଏ। ଦୁଇ ଘଣ୍ଟା ବର୍ଷା ହେଲେ ୱାର୍ଡର ମଳୟ ବିହାର, ଭାଗବତ ସନ୍ଧାନ, ଶ୍ରୀରାମ ସିଟି, ପୋଷ୍ଟାଲ କଲୋନିର ପ୍ରତିଟି ଘାରେ ପାଣି ପଶେ। ଡ୍ରେନେଜ୍‌ ସମସ୍ୟା ଯୋଗୁଁ ଦୀର୍ଘ ଦିନ ଧରି ଲୋକେ ଏହି ସମସ୍ୟାରେ ଧନ୍ଦି ହେଉଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହେଉ ନାହିଁ। ପୁରୀ-ଦୟା ‌ୱେଷ୍ଟ କେନାଲ ବର୍ଷକୁ ଥରେ ବି ସଫା ହେଉ ନଥିବାରୁ ଲୋକମାନେ ଅସ୍ବାସ୍ଥ୍ୟକର ପରିବେଶରେ ରହୁଛନ୍ତି। ରସୁଲଗଡ଼, ଜିଜିପି କଲୋନି, ଜଗନ୍ନାଥ ନଗର ହୋଇ ଅଧିକାଂଶ ଲୋକ କଟକ-ପୁରୀ ବାଇପାସ୍‌କୁ ବାହାରୁ ଥିବାରୁ ଏହି ରାସ୍ତା ସବୁବେଳେ ଭିଡ଼ ରୁହେ। ଏହାକୁ ନଜରରେ ରଖି ରାସ୍ତା ସଂପ୍ରସାରଣ ପାଇଁ ବାରମ୍ବାର ଅଭିଯୋଗ ସତ୍ତ୍ବେ କିଛି ଫଳ ମିଳିନି। ସମସ୍ୟାରେ ଘେରି ରହିଥିବା ଏହି ଅଞ୍ଚଳରେ ଗତ ୫ବର୍ଷରେ ଅନେକ କାମ ହୋଇଛି। ନୂଆ ଓ ପକ୍କା ରାସ୍ତା ନିର୍ମାଣ ହୋଇଛି। ଆଲୋକୀକରଣ ହୋଇଛି। ଘରକୁ ପିଇବା ପାଣି ଯୋଗାଇ ଦିଆଯାଇଛି। ତେବେ୧୯୮୫ ମସିହାରେ ଜିଜିପି କଲୋନି ହେବା ସମୟରେ ୫ ହଜାର ଜନସଂଖ୍ୟାକୁ ନଜରରେ ରଖି ୬ ଇଞ୍ଚିଆ ସ୍ବେରେଜ୍‌ ପାଇପ ବସିଥିଲା। କିନ୍ତୁ ଏବେ ୫୦,୦୦୦ ଜନସଂଖ୍ୟାରେ ପହଞ୍ଚିଥିଲେ ମଧ୍ୟ ସେହି ପାଇପ୍‌ ବଦଳାଯାଉନି। ବାରମ୍ବାର ଜାମ୍‌ ନେଇ ଅଭିଯୋଗ କରାଗଲେ ମଧ୍ୟ ପଦକ୍ଷେପ ନିଆଯାଉ ନଥିବାରୁ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି।

କେଉଁ କେଉଁ ଅଞ୍ଚଳ ଯାଏ
ଜିଜିପି କଲୋନି, ରସୁଲଗଡ଼ ଗ୍ରାମ, ଜଗନ୍ନାଥ ନଗର, ବାସୁଦେବ ନଗର ପୋତା ପୋଖରୀ, ବସୁନ୍ଧରା ଆପାର୍ଟମେଣ୍ଟ, କିମ୍ଭିରିଆ ବସ୍ତି, ଶ୍ରୀରାମ ସିଟି, ଭାଗବତ ସନ୍ଧାନ, ଚମ୍ପତି ବିହାର, ସୃଷ୍ଟି ଭିଲ୍ଲା, ପୁରୁଣା ବ୍ୟାଙ୍କ କଲୋନି, ଫ୍ରେଣ୍ଡ୍‌ସ୍‌ କଲୋନି, ହନୁମାନ ସାହି ଓ ମୁଣ୍ଡା ସାହି

ଲୋକଙ୍କ ସର୍ବନିମ୍ନ ଆ‌ବଶ୍ୟକତା ପୂରଣ ହୋଇପାରିନି
ମୁଁ କର୍ପୋରେଟର ଥିବା ସମୟରେ ଯାହା ଯେମିତି କାମ ଅଧାରେ ଛାଡ଼ିଥିଲି ତାହା ସେମିତି ପଡ଼ିରହିଛି। ରସୁଲଗଡ଼ ଗ୍ରାମର ସମସ୍ତ ଡ୍ରେନ୍‌ରେ ଏବେ ବି ସ୍ଲାବ୍‌ ପଡ଼ିନି। ସଫେଇ କାମ ଠିକ୍‌ରେ ହେଉ ନଥିବାରୁ ଡ୍ରେନ୍‌ ଜାମ୍‌ ହେଉଛି। ୧୯୮୦ ମସିହାରୁ ହୋଇଥିବା ରସୁଲଗଡ଼ ଗ୍ରାମ ଅଙ୍ଗନବାଡ଼ି ଗୃହ ନିର୍ମାଣ ହୋଇପାରୁନି। ବାଲିଆପଟା ଓ କିମ୍ଭିରିଆ ବସ୍ତି ଅଙ୍ଗନବାଡ଼ି ପାଇଁ ଘର ନାହିଁ। ରସୁଲଗଡ଼ ଏସ୍‌ପ୍ଲାନେଡ୍‌ ପାଖ ରାସ୍ତା ବର୍ଷା ଦିନେ ସବୁ ବେଳେ ପାଣିରେ ବୁଡ଼ି ରହୁଛି। ପୁରୀ- ଦୟାୱେଷ୍ଟ କେନାଲ କେବେ ଯେ ସଫା ହେବ ତାହା କେହି କହିପାରିବେନି। ଆଉ ବର୍ଷା ଦିନର ମଳୟ ବିହାର, ଭାଗବତ ସନ୍ଧାନ, ଶ୍ରୀରାମ ସିଟି, ପୋଷ୍ଟାଲ କଲୋନିର ଶୋଚନୀୟ ସ୍ଥିତି ବି କାହାକୁ ଅଛପା ନାହିଁ। କେନାଲବନ୍ଧ ପାଖରେ ଠିଆ ହେଉଥିବା ହଜାରେରୁ ଊର୍ଧ୍ବ ଶ୍ରମିକ ଯେଉଁମାନେ କି ପାଖ ବାଲିଆପଟା ବସ୍ତିରେ ବାସ କରନ୍ତି, ସେମାନଙ୍କ ପାଇଁ ଏଯାଏ ରାସନକାର୍ଡ କିମ୍ବା ଶ୍ରମିକ ନିର୍ମାଣ କାର୍ଡ ହୋଇପାରିଲା ନାହିଁ। ଲୋକଙ୍କ ସର୍ବନିମ୍ନ ଆବଶ୍ୟକତା ଯଦି ପୂରଣ ହୋଇପାରିନି ତେବେ ଗତ ୫ ବର୍ଷରେ କ’ଣ କାମ ହୋଇଛି ତାହା ସ୍ପଷ୍ଟ ଅନୁମେୟ।
ଚିତ୍ରାଞ୍ଜଳି ବଳିୟାରସିଂହ, ପରାଜିତ ବିଜେଡି ପ୍ରାର୍ଥୀ

ବହୁତ ବଡ଼ ବଡ଼ କାମ ଶେଷ କରିଛି
ଏହି ୫ ବର୍ଷ କାର୍ଯ୍ୟକାଳରେ ମୁଁ ବହୁ ବଡ଼ ବଡ଼ ପ୍ରକଳ୍ପ ହାତକୁ ନେଇଛି। ଜିଜିପି କଲୋନି ମଶାଣି ଓ ପାର୍କ ନିର୍ମାଣ ହୋଇଛି। ଚାରିଆଡ଼େ ଆଲୋକୀକରଣ ସମ୍ଭବ ହୋଇଛି। ମଳୟ ବିହାର, ଭାଗବତ ସନ୍ଧାନ ଓ ଶ୍ରୀରାମ ସିଟିରେ ବର୍ଷା ଦିନେ ଉପୁଜୁଥିବା ଜଳ ନିଷ୍କାସନ ସମସ୍ୟାକୁ ଦୂର କରିବାକୁ ସ୍ପେସାଲ ପ୍ରୋବ୍ଲେମ୍‌ ଫଣ୍ଡ୍‌ରୁ ୨ କୋଟି ୨୦ ଲକ୍ଷ ଟଙ୍କାର ଏକ ପ୍ରକଳ୍ପ କରାଯାଇଛି। ଏଥିସହ ବାସୁଦେବନଗର ମଠ ପୋଖରୀ ପୁନରୁଦ୍ଧାର ପାଇଁ ୩ କୋଟି ୧୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଛି। ପୁରୀ-ଦୟାୱେଷ୍ଟ କେନାଲ ସଫେଇ କରି ସେଠାରେ ନୌକାବିହାର କରିବା ପାଇଁ ଏକ ପ୍ରସ୍ତାବ ଦିଆଯାଇଛି। ବାଲିଆପଟାରୁ କିମ୍ଭିରିଆ ବସ୍ତିକୁ ପିଇବା ପାଣି ଯୋଗାଇ ଦେବାକୁ ୮ କୋଟି ୫୦ ଲକ୍ଷ ଟଙ୍କାର ଏକ ପ୍ରକଳ୍ପ ପ୍ରସ୍ତୁତ ହେଉଛି। ଭିଡ଼ କମାଇବା ତଥା ଗମନାଗମନ ସୁବିଧା ପାଇଁ ଜିଜିପି କନୋଲିରୁ ଜଗନ୍ନାଥ ନଗର ଅଞ୍ଚଳ ପର୍ଯ୍ୟନ୍ତ ଏକ ବ୍ରିଜ୍‌ ନିର୍ମାଣ ଓ ଜଗନ୍ନାଥ ଆଭିନ୍ୟୁଠାରୁ ଜିଜିପି କଲୋନି ବ୍ରିଜ୍‌ ପର୍ଯ୍ୟନ୍ତ ୨ କିଲୋମିଟିରର ଓସାରିଆ ରାସ୍ତା ନିର୍ମାଣ ପାଇଁ ବି ଶୁକ୍ରବାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
ଜ୍ୟୋତ୍ସ୍ନାରାଣୀ ରାଉତରାୟ, କର୍ପୋରେଟର

ସମ୍ବନ୍ଧିତ ଖବର