ହୋଇପାରୁନି କଠିନ ବର୍ଜ୍ୟବସ୍ତୁ ବିଶୋଧନ ପ୍ଲାଣ୍ଟ, ଏନ୍‌ଜିଟିକୁ ଆଳ କରି ୫ବର୍ଷ ଗଡ଼ାଇଲେଣି

ବର୍ଷେ ହେଲା ଏନ୍‌ଜିଟିରେ ଶୁଣାଣି ହୋଇପାରୁନି

ଭୁବନେଶ୍ବର: ଭୁଆସୁଣୀରେ କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ହେବ ହେବ ବୋଲି ୭ବର୍ଷ ବିତିଗଲାଣି। ହେଲେ ଇଟା ଖଣ୍ଡେ ଯୋଡ଼ା ହୋଇପାରୁନି। ଦାରୁଠେଙ୍ଗ ଗ୍ରାମବାସୀଙ୍କ ବିରୋଧ, ଏନ୍‌ଜିଟିରେ ମାମଲା ବିଚରାଧୀନ ଥିବାରୁ ଦୀର୍ଘ ବର୍ଷ ହେଲା ପ୍ଲାଣ୍ଟ ହୋଇପାରୁନି ବୋଲି ବିଏମ୍‌ସି କର୍ତ୍ତୃପକ୍ଷ ଯୁକ୍ତି ବାଢ଼ୁଛନ୍ତି। ହେଲେ ଏହାର ବିକଳ୍ପ ଚିନ୍ତା କରୁନାହାନ୍ତି। ଏପରିକି ୫ବର୍ଷ ହେଲା ନ୍ୟାସନାଲ ଗ୍ରିନ୍ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ମାମଲା ଶୁଣାଣି ଚାଲିଥିଲେ ହେଁ ବିଏମ୍‌ସି କର୍ତ୍ତୃପକ୍ଷ ଏହାର କିଛି ବିକଳ୍ପ ଚିନ୍ତା କରୁନାହାନ୍ତି କି କିପରି ଏନ୍‌ଜିଟିରେ ମାମଲାର ତୁରନ୍ତ ଶୁଣାଣି ହେବ ସେନେଇ ପଦକ୍ଷେପ ବି ନେଉନାହାନ୍ତି। ଯାହାର ପରିମାଣ ଭୁଆସୁଣୀ ନିକଟବର୍ତ୍ତୀ ଅଞ୍ଚଳବାସୀ ଭୋଗୁଛନ୍ତି ଆଉ ସ୍ବଚ୍ଛ ସର୍ବେକ୍ଷଣରେ ଭୁବନେଶ୍ବର ରୢାଙ୍କ କମି କମି ଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଭୁଆସୁଣୀରେ କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନିର୍ମାଣ କରିବା ପାଇଁ ୨୦୦୯ରୁ ବିଏମ୍‌ସି ଯୋଜନା କଲାଣି। ଏପରିକି ୨୦୧୪ରୁ ଏନେଇ ଏମ୍‌ଓୟୁ ସ୍ବାକ୍ଷର କରିଛି। କିନ୍ତୁ ପ୍ଲାଣ୍ଟ ନିର୍ମାଣ ପାଇଁ ଯେପରି ଉଦ୍ୟମ କରିବା କଥା ସେପରି କରିପାରିନି। ଦାରୁଠେଙ୍ଗ ଗ୍ରାମବାସୀଙ୍କ କଡ଼ା ବିରୋଧ ଏବଂ ଏନ୍‌ଜିଟିରେ ମାମଲା ବିଚରାଧୀନ ଥିବାରୁ ପ୍ଲାଣ୍ଟ ନିର୍ମାଣ ହୋଇପାରୁନି। ହାଇକୋର୍ଟ ପ୍ଲାଣ୍ଟ ନିର୍ମାଣ ପାଇଁ ସବୁଜ ସଂକେତ ଦେଇଛନ୍ତି। ଏନ୍‌ଜିଟି ବି ପ୍ଲାଣ୍ଟ ନିର୍ମାଣ ଉପରେ ରୋକ୍‌ ଲଗାଇନାହାନ୍ତି। କିନ୍ତୁ ଏନ୍‌ଜିଟିକୁ ଆଳ କରି ବିଏମ୍‌ସି କର୍ତ୍ତୃପକ୍ଷ ଚୁପ୍ ବସିଯାଇଛନ୍ତି। ଏହା ମଧ୍ୟରେ ଜଣେ ମେୟର, ତିନି ଜଣ କମିସନର୍‌ ବଦଳିଲେଣି। କିନ୍ତୁ କେହି ପ୍ଲାଣ୍ଟ ନିର୍ମାଣ କରିପାରିନାହାନ୍ତି। ସତେ ଯେମିତି କାହାର ଆନ୍ତରିକତା ନାହିଁ। ବିଏମ୍‌ସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ବ‌େର୍ଷ ହେଲା ଏନ୍‌ଜିଟିରେ ଏହି ମାମଲାର ଶୁଣାଣି ହୋଇପାରୁନି। କାରଣ ହେଲା ଏହି ମାମଲାର ଚୂଡ଼ାନ୍ତ ରାୟ ଦେବା ପାଇଁ ଦୁଇ ଜଣିଆ ବିଚାରପତି ବେଞ୍ଚର ଆବଶ୍ୟକ ଥିବାବେଳେ ଯେଉଁ ଦିନଠାରୁ ଏହି ବେଞ୍ଚର ଜଣେ ବିଚାରପତି ଅବସର ନେଲେଣି ସେବେଠାରୁ ମାମଲାର ଶୁଣାଣି ଘୁଞ୍ଚିଘୁଞ୍ଚି ଯାଉଛି। ଦୁଇ ଜଣିଆ ବେଞ୍ଚ ଗଠନ ହୋଇପାରୁନଥିବାରୁ ପ୍ରତି ମାସରେ ତାରିଖ ପଡ଼ୁଛି ଆଉ ଶେଷ ମୁହୂର୍ତ୍ତରେ ଏହା ଘୁଞ୍ଚି ଯାଉଛି। ଏପରିକି ଗତ ବର୍ଷକ ମଧ୍ୟରେ ୯ଥର ଶୁଣାଣି ଘୁଞ୍ଚିଲାଣି। ମାର୍ଚ୍ଚ ୮ରେ ଏନ୍‌ଜିଟି‌େର ଶୁଣାଣି ଥିବାବେଳେ ଏହା ଏପ୍ରିଲ ୨୨ତାରିଖକୁ ଘୁଞ୍ଚି ଯାଇଛି। ବାରମ୍ବାର ତାରିଖ ଘୁଞ୍ଚୁଥିଲେ ହେଁ ବିଏମ୍‌ସି କର୍ତ୍ତୃପକ୍ଷ ଏହାର ଶୀଘ୍ର ଶୁଣାଣି ପାଇଁ କିଛି ପଦକ୍ଷେପ ନେଉନାହାନ୍ତି। ପରିବେଶ ମନ୍ତ୍ରଣାଳୟ ସହ ଏନେଇ ଆଲୋଚନା କରୁନାହାନ୍ତି କି ରାଜଧାନୀରେ କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟର ଆବଶ୍ୟକତା ନେଇ ଏନ୍‌ଜିଟିରେ ବି ଜୋର୍‌ ଦେଇ କହିପାରୁନାହାନ୍ତି। କେବଳ ଏତିକି ନୁହେଁ ଯଦି ଭୁଆସୁଣୀରେ କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ହୋଇପାରୁନି ତେବେ ରାଜଧାନୀର ଆଉ କେଉଁଠି ବି ପ୍ଲାଣ୍ଟ କରିବାକୁ ବିଏମ୍‌ସି କର୍ତ୍ତୃପକ୍ଷ ଯୋଜନା କରୁନାହାନ୍ତି। ପୂର୍ବରୁ ରାଜଧାନୀରେ ୫ଟି ୫ ମେଟ୍ରିକ୍‌ ଟନ୍‌ର କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ କରିବାକୁ ଯୋଜନା କରିଥିଲେ ବି ଗୋଟିଏ ସ୍ଥାନରେ ଏହାକୁ ନିର୍ମାଣ କରିପାରିଲେନି। ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟି ଅଭାବରୁ ଏବେ ଭୁବନେଶ୍ବର ସାରା ଦେଶରେ ଅପଦସ୍ଥ ହେଉଥିବାବେଳେ ରାଜଧାନୀ ପରିବେଶ ଉପରେ ବି ଏହାର କୁପ୍ରଭାବ ପଡ଼ୁଛି।

୯ଥର ତାରିଖ ଘୁଞ୍ଚିଲାଣି
ଦୁଇ ଜଣିଆ ବେଞ୍ଚ ଗଠନ ହେଉନି କି ଶୁଣାଣି ହେଉନି
ସ୍ବଚ୍ଛ ସର୍ବେକ୍ଷଣରେ ରୢାଙ୍କ କମି କମି ଯାଉଛି

ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ, ଏବେ ବହୁ ସଂସ୍ଥା ୫ଏକର ଜମି ମିଳିଲେ କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ କରିଦେବେ‌ ବୋଲି କହୁଛନ୍ତି। ଦେଶର ବହୁ ସହର ଏବେ ଏହି ଉପାୟ ଅବଲମ୍ବନ କରି ବର୍ଜ୍ୟବସ୍ତୁ ବିଶୋଧନ କରୁଛନ୍ତି। ହେଲେ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ମୁଣ୍ଡରେ ଭୁଆସୁଣୀ ବ୍ୟତୀତ ଆଉ କିଛି ଜୁଟୁନି। ବିକଳ୍ପ ଚିନ୍ତା କରିବା ବଦଳରେ ଯାହା ହେଉଛି ତାହା ହେବାକୁ ଦେଇ ବିଏମ୍‌ସି ମୁଖିଆମାନେ ମୁଣ୍ଡରୁ ଦୋଷ ‌ଖସାଇବାରେ ଲାଗିଛନ୍ତି। ସୂଚନାଯୋଗ୍ୟ ଯେ, ବିଏମ୍‌ସି ୨୦୧୪ରେ ଏସେଲ୍‌ ଗ୍ରୁପ୍ ସହ ପିପିପି ମୋଡ଼ରେ କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନିର୍ମାଣ କରିବାକୁ ଏମ୍‌ଓୟୁ ସ୍ବାକ୍ଷର କରିଥିଲା। ଏଥିପାଇଁ ଦୁଇଟି ପର୍ଯ୍ୟାୟରେ ୭୩ଏକର ଜମି ବି ଦେଇଥିଲା। ହେଲେ ଗ୍ରାମବାସୀଙ୍କ ଭୟରେ ଏହି ସଂସ୍ଥା କାମ ଆରମ୍ଭ କଲାନି। ଏହାପରେ ସଂସ୍ଥା ନାମ ବଦଳାଇ ଏମ୍‌ଏସ୍‌ଡବ୍ଲ୍ୟୁ ଭୁବନେଶ୍ବର ଲିମିଟେଡ ନାମରେ ପୁଣି ୨୦୧୭‌େର ଏମ୍‌ଓୟୁ ସ୍ବାକ୍ଷର କରିଲା। ସଂସ୍ଥା କାମ ଆରମ୍ଭ କରିବାକୁ ଗଲା ବେଳକୁ ଗ୍ରାମବାସୀ ବିରୋଧ କଲେ। ପୁଲିସ ଉପସ୍ଥିତିରେ ଦିନେ ଦୁଇ ଦିନ କାମ ହେଲା। କିନ୍ତୁ ଗ୍ରାମବାସୀ ନିର୍ମଣାଧୀନ ପାଚେରିକୁ ଭାଙ୍ଗିଦେଲେ। ଏହାପରେ ସଂସ୍ଥା ଭୁବନେଶ୍ବର ଛାଡ଼ି ପଳାଇଲାଣି। ପ୍ଲାଣ୍ଟ ନିର୍ମାଣ ଏବେ ଅନିଶ୍ଚିତତାକୁ ଠେଲି ହୋଇଯାଇଛି।ବିଏମ୍‌ସି କର୍ତ୍ତୃପକ୍ଷ ପ୍ଲାଣ୍ଟ ନିର୍ମାଣ କରୁନାହାନ୍ତି କି ବୈଜ୍ଞାନିକ ଉପାୟରେ ବର୍ଜ୍ୟବସ୍ତୁ ବି ଗଦାଉନାହାନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳରେ ପୁତିଗନ୍ଧମୟ ପରିସ୍ଥିତି ସୃଷ୍ଟି ହେବା ସହ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର