୫ବର୍ଷର ହିସାବ ନିକାଶ: ୱାର୍ଡ ୨୦ ମୌଳିକ ସମସ୍ୟା ସୁଧୁରୁନି

ଚନ୍ଦ୍ରଶେଖରପୁର: ସାଲିଆ ସାହି ମଧ୍ୟରେ ଆସୁଥିବା ଆଉ ଏକ ୱାର୍ଡ ହେଉଛି ୨୦ ନମ୍ବର। ଚନ୍ଦ୍ରଶେଖରପୁର ଅଞ୍ଚଳକୁ ଲାଗିଥିବା ଏହି ୱାର୍ଡରେ ୨୦୧୪ରେ ବିଜେଡି ପ୍ରାର୍ଥୀଙ୍କ ଦବଦବା ଦେଖିବାକୁ ମିଳିଥିଲା। ବିଜେଡି ପ୍ରାର୍ଥୀ ବାସନ୍ତୀ ସିଂ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କୁ ୧୧୦୦ରୁ ଅଧିକ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଥିଲେ। ନିର୍ବାଚନ ମଇଦାନରେ ୮ ଜଣ ପ୍ରାର୍ଥୀ ରହିଥିବାରୁ ଭୋଟ୍‌ ବିଭାଜିତ ହୋଇଥିଲା। ଫଳରେ ବିଜେଡି ପ୍ରାର୍ଥୀ ନିର୍ବାଚନରେ ବିଜୟ ହୋଇଥିଲେ। ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ସହ ଗଳିକନ୍ଦିକୁ ରାସ୍ତା, ପିଇବା ପାଣି ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇ ବିଜୟ ମୁକୁଟ ପିନ୍ଧିଥିଲେ ଶ୍ରୀମତୀ ସିଂ। ଇତି ମଧ୍ୟରେ ୫ ବର୍ଷ ବିତି ଯାଇଛି। ଲୋକଙ୍କ କିଛି ସମସ୍ୟାର ସମାଧାନ ହୋଇଥିବା ବେଳେ ଆହୁରି ଅନେକ ବାକି ରହିଛି। ଏହି ୱାର୍ଡରେ ଜବରଦଖଲକାରୀଙ୍କ ସଂଖ୍ୟା ବହୁ ପରିମାଣରେ ବଢ଼ି ଚାଲିଛି। ଦିନ ଦିପହରରେ ବିଏମ୍‌ସି ଆଖିରେ ଆଙ୍ଗୁଠି ଗେଞ୍ଜି ସରକାରୀ ଜମି ବିକ୍ରି ହେଉଛି। କେତେଜଣ ନେତାଙ୍କ ଛତ୍ରଛାୟା ତଳେ ଏଭଳି କାମ ଚାଲିଥିଲେ ମଧ୍ୟ କେହି ମୁହଁ ଖୋଲୁ ନ ଥିବା କିମ୍ବା କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଲୋକଙ୍କ କହିବା କଥା ହେଉଛି ଯେ ମାଗଣା ‌ବିଜୁଳି ପାଇବା ପାଇଁ ଯେଉଁମାନେ ପ୍ରକୃତ ହକ୍‌ଦାର ସେମାନଙ୍କୁ ମିଳୁନି। ଏପର୍ଯ୍ୟନ୍ତ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ହୋଇପାରିନି। ସମସ୍ତଙ୍କ ନିକଟରେ ପିଇବା ପାଣି ପହଞ୍ଚିପାରିନି। ରାସ୍ତା ଅବସ୍ଥା ଯେମିତି ଥିଲା ସେମିତି ରହିଛି। ମରାମତି ହେଉ ନ ଥିବାରୁ ବର୍ଷା ଦିନେ ନାକେଦମ ହେବାକୁ ପଡ଼ୁଛି। ପାଣି ପାଇପ୍‌, ଡ୍ରେନ୍‌ ଆଦି ଯିବ କହି ରାସ୍ତାକୁ ବାରମ୍ବାର ଖୋଳା ଯାଉଛି। ୱାର୍ଡରେ ଲଗା ଯାଇଥିବା ପାଣି ଟାଙ୍କିକୁ ନିୟମିତ ସଫା କରାଯାଉ ନ ଥିବାରୁ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି।

୭୦ ପ୍ରତିଶତ କାମ ହୋଇଛି
୫୦ ବର୍ଷ ହେଲା ସାଲିଆ ସାହିରେ କିଛି ବି ଉନ୍ନତିମୂଳକ କାର୍ଯ୍ୟକ୍ରମ ହେଉ ନ ଥିଲା। ଗତ ୧୦ ବର୍ଷ ମଧ୍ୟରେ ବ୍ୟାପକ ପରିବର୍ତନ ହୋଇଛି। ୱାର୍ଡର ୭୦ ପ୍ରତିଶତ କାମ ଶେଷ ହୋଇଛି। ବାକି ଯେଉଁ ୩୦ ପ୍ରତିଶତ କାମ ବଳିପଡ଼ିଛି ତାହା ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ବିଏମ୍‌ସି ପକ୍ଷରୁ ଲିମିଟେଡ୍‌ ବଜେଟ୍‌ ମିଳୁଥିବାରୁ କିଛି କାମ ହୋଇପାରିନି। ତଥାପି କାମ ପାଇଁ ପ୍ରସ୍ତାବ ଦିଆଯାଇଛି। କମିସନରଙ୍କ ପାଖରେ ଫାଇଲ୍‌ ପଡ଼ିଛି। ବସ୍ତି ଭିତରକୁ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ପ୍ରବେଶ ପାଇଁ ରାସ୍ତା ହୋଇଛି। ୱାର୍ଡରେ ବିକାଶ ଧାରା ଜାରି ରହିଛି ଓ ଆଗକୁ ରହିବ।
ବାସନ୍ତୀ ସିଂ, କର୍ପୋରେଟର

ଲୋକଙ୍କ ସମସ୍ୟା ଲାଗି ରହିଛି
ଲୋକେ ଏବେ ବି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରଧାନସାହିର ଦୁଇଟି ରାସ୍ତା ଏ ପର୍ଯ୍ୟନ୍ତ ହୋଇପାରିନି। ପାଣିର ଅସୁବିଧା ରହୁଛି। ବସ୍ତିବାସିନ୍ଦାଙ୍କୁ ଥଇଥାନ କରାଯାଇପାରିନି। ଅଳ୍ପ ଜାଗା ମିଳୁ ପଛେ ସମସ୍ତଙ୍କୁ ଅଲଗା ଅଲଗା ଘର ଯୋଗାଇ ଦିଆଯାଉ।
ମାଳତୀ ହେମ୍ବ୍ରମ, ନିକଟତମ ପ୍ରତିଦ୍ବନ୍ଦ୍ବୀ

ୱାର୍ଡରେ ଆସୁଥିବା ଅଞ୍ଚଳ
ଶ୍ରୀରାମ ନଗର(କିଛି ଅଂଶ), ସନ୍ତୋଷୀ ନଗର, ମହାବୀର ନଗର, ନୀଳଚକ୍ର ନଗର(କିଛି ଅଂଶ), ମଙ୍ଗଳା ବସ୍ତି, ଏକାମ୍ର ବିହାର, ଜଗନ୍ନାଥ ବିହାର, ଜଗନ୍ନାଥ ନଗର(କିଛି ଅଂଶ) ଓ ତାରିଣୀ ନଗର(କିଛି ଅଂଶ)

ସମ୍ବନ୍ଧିତ ଖବର