ଭୁବନେଶ୍ବର: ରାଜଧାନୀର ପ୍ରମୁଖ ଅଞ୍ଚଳରେ ରହିଛି ୨୯ନଂ ୱାର୍ଡ। ଗତ ନିର୍ବାଚନ ସମୟରେ ଯେଉଁସବୁ ପ୍ରତିଶ୍ରୁତି ଲୋକମାନଙ୍କୁ ମିଳିଥିଲା କିଛି କାର୍ଯ୍ୟକୁ ବାଦ୍ ଦେଲେ ଅନ୍ୟ ସମସ୍ତ କାର୍ଯ୍ୟ ଶେଷ ହୋଇଛି। ନିକଟରେ ଆରମ୍ଭ ହୋଇଥିବା କାର୍ଯ୍ୟ ଖୁବଶୀଘ୍ର ଶେଷ ହେବ ବୋଲି କର୍ପୋରେଟର ଦାବି କରୁଛନ୍ତି। ହେଲେ ବିରୋଧୀମାନେ ୱାର୍ଡରେ ଯେଉଁସବୁ ସମସ୍ୟା ରହିଥିଲା ତାହା ୫ବର୍ଷ ପରେ ମଧ୍ୟ ସେୟା ରହିଥିବା କହିଛନ୍ତି। ବିକାଶମୂଳକ କାର୍ଯ୍ୟ ଅଧାପନ୍ତରିଆ, ୱାର୍ଡରେ ଅପରାଧୀଙ୍କ ସଂଖ୍ୟା ବଢ଼ିଛି। ଅଧିକାଂଶ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ ଜଳୁ ନ ଥିବାରୁ ଛିନତାଇ ବଢ଼ିବାରେ ଲାଗିଛି। ଅପରପକ୍ଷରେ ୱାର୍ଡରେ ରାଜନୈତିକ ପରିବେଶ ଶାନ୍ତ ରହିଛି। ୱାର୍ଡର ସିଟ୍ ପରିବର୍ତନ ନେଇ ଛକାପଞ୍ଝା ଲାଗି ରହିଥିବାରୁ ଆଶାୟୀମାନେ ଏହି ୱାର୍ଡରୁ ଲଢ଼ିବେ କି ଅନ୍ୟ ୱାର୍ଡକୁ ଯିବେ ତାହାକୁ ନେଇ ଦ୍ବନ୍ଦ୍ବରେ ରହିଛନ୍ତି। ବିରୋଧୀଙ୍କ କହିବା ଅନୁସାରେ, ଓପିଟିସିଏଲ କଲୋନି ନିକଟରେ ଏକ ସ୍କୁଲ ଓ ଡିସପେନସାରି ରହିଛି। ମାତ୍ର ପାଚେରି ଥିବାରୁ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ଯିବାକୁ ସମସ୍ୟା ଦେଖାଦେଉଛି ଓ ଡାକ୍ତରଖାନାକୁ ଯିବା ପାଇଁ ଲୋକମାନଙ୍କୁ ୨ କି.ମି ବାଟ ଯିବାକୁ ପଡ଼ୁଛି। ଓପିଟିସିଏଲ କର୍ତୃପକ୍ଷ ଗେଟ୍ ଖୋଲିବା ପାଇଁ ଅନୁମତି ଦେଉ ନ ଥିବାରୁ ସମସ୍ୟାର ସମାଧାନ ହୋଇପାରୁନି। ସାଇନ୍ସ ପାର୍କ ଦେଇ ଆସିଥିବା ନାଳ ମହାରାଜା ହଲ ବସ୍ତି, ବେହେରା ସାହି ଓ ଭୋଇନଗର ବସ୍ତିକୁ ଏହା ସଂଯୋଗ କରୁଥିବା ବେଳେ ଜବରଦଖଲ ଯୋଗୁଁ ବର୍ଷା ଦିନେ ଘରେ ପାଣି ପଶୁଛି। ଅପରପକ୍ଷରେ ଯେଉଁ ଡ୍ରେନ୍ର ଆବଶ୍ୟକତା ନାହିଁ ସେସବୁର ନିର୍ମାଣ କାର୍ଯ୍ୟ ହେଉଥିବା ବେଳେ ଦରକାର ଥିବା ଡ୍ରେନ୍ର ଅବସ୍ଥା କହିଲେ ନ ସରେ। ଡିସିପି କାର୍ଯ୍ୟାଳୟରୁ ସାଇନ୍ସ ପାର୍କକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା କଦର୍ଯ୍ୟ ହୋଇଯାଇଛି। ହେଲେ କର୍ପୋରେଟର୍ ଏହାକୁ ଧ୍ୟାନ ଦେଉ ନାହାନ୍ତି। ଆନନ୍ଦ ବଜାର ଛକ ନିକଟରେ ନିମ୍ନମାନର ରାସ୍ତା କାମ ଯୋଗୁଁ ୬ମାସ ଭିତରେ ଖରାପ ହୋଇଗଲାଣି। ଅପରପକ୍ଷରେ ଏହି ୱାର୍ଡରେ ୟୁନିଟ-୯ ବାଳକ ଉଚ୍ଚ ବିଦ୍ୟାଳୟ ରହିଛି। ଯାହାକି ରାଜଧାନୀର ପୁରାତନ ବିଦ୍ୟାଳୟ। ଗତ ନିର୍ବାଚନରେ ବିଦ୍ୟାଳୟରେ ଏକ ମିନି ଷ୍ଟାଡିୟମ ନିର୍ମାଣ କରିବା ପାଇଁ କର୍ପୋରେଟର୍ ଜନସାଧାରଣଙ୍କୁ କହିଥିଲେ। ହେଲେ ୫ବର୍ଷ ବିତିଗଲା ମିନି ଷ୍ଟାଡିୟମ୍ ପାଇଁ ଇଟା ଖଣ୍ଡେ ମଧ୍ୟ ପଡ଼ି ପାରିଲା ନାହିଁ। ତେଣୁ ୱାର୍ଡରେ ସମସ୍ୟାର ସମାଧାନ ପରିବର୍ତେ ଆହୁରି ବଢ଼ିଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।
ପ୍ରକୃତ ହିତାଧିକାରୀ ପାଇନାହାନ୍ତି ରାସନ କାର୍ଡ
ୱାର୍ଡରେ କ୍ଲବ୍, ଲାଇବ୍ରେରି ନାହିଁ। ୱାର୍ଡରେ ୨ଟି ଡିସପେନ୍ସାରି ରହିଛି ହେଲେ ୟୁନିଟ-୯ ଫ୍ଲାଟରେ ଥିବା ଡିସପେନ୍ସାରି ଅଧିକାଂଶ ସମୟ ବନ୍ଦ ରହୁଛି। ଡାକ୍ତର ରହୁନାହାନ୍ତି, କମ୍ପାଉଣ୍ଡର ହିଁ ଚିକିତ୍ସା କରୁଛନ୍ତି। ପ୍ରକୃତ ହିତାଧିକାରୀଙ୍କ ବଦଳରେ ଅନ୍ୟମାନେ ରାସନ କାର୍ଡ ହାତେଇଛନ୍ତି। ୩୦ଜଣ ହିତାଧିକାରୀଙ୍କୁ ରାସନ କାର୍ଡ ମିଳିବା ପରିବର୍ତେ ଗାଡ଼ି ଧରି ବୁଲୁଥିବା ଲୋକମାନଙ୍କୁ କାର୍ଡ ଦିଆଯାଇଛି। ପାର୍କ ଓ ମୁକ୍ତାକାଶ ଜିମର ଅବସ୍ଥା ଶୋଚନୀୟ ହୋଇ ପଡ଼ିଲାଣି। ଗତ ନିର୍ବାଚନ ଇସ୍ତାହାରରେ ଯେଉଁ କାମ କରିବାକୁ କୁହାଯାଇଥିଲା ତାହା ହୋଇନାହିଁ। ଆଚାର୍ଯ୍ୟ ବିହାର, ଭୋଇ ସାହି ଦେଇ ଯାଇଥିବା ଡ୍ରେନ୍ ପାଇଁ ଆସିଥିବା ଟଙ୍କା ଠିକ୍ରେ କାମ ହୋଇପାରିଲା ନାହିଁ। ୱାର୍ଡରେ ମଶା ଦାଉରେ ଅତିଷ୍ଠ ହୋଇ ପଡ଼ିଥିଲେ ହେଁ ଟିଫା ମେସିନ୍ ଆସୁନାହିଁ। ୱାର୍ଡର ଅପରାଧମୂଳକ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍ ଖରାପ ରହିଛି। ଏଥିପାଇଁ ବହୁବାର ଅଭିଯୋଗ କରାଯାଇଥିଲେ ହେଁ, ଏହି ସମସ୍ୟାର ସମାଧାନ ହୋଇନାହିଁ।
ଦୁର୍ଗା ମାଧବ ମହଲା, ନିକଟତମ ପ୍ରତିଦ୍ବନ୍ଦ୍ବୀ
ଡ୍ରେନ୍ ଓ ରାସ୍ତା କାମ ସଂପୂର୍ଣ୍ଣ ହୋଇଛି
ବିଡିଏ ପକ୍ଷରୁ ମୁକ୍ତାକାଶ ଜିମ୍ ଖୋଲାଯାଇଛି। ବିଏସ୍ଏନ୍ଏଲ କାର୍ଯ୍ୟାଳୟ ନିକଟରେ ୨୫ଲକ୍ଷ ଟଙ୍କା ବ୍ୟୟରେ ଶିଶୁମାନଙ୍କ ପାଇଁ ପାର୍କ ଖୋଲାଯାଇଛି। ୱାର୍ଡରେ ଯେଉଁ ସ୍ଥାନରେ ଇଣ୍ଟରନାଲ ଡ୍ରେନ୍ର ଆବଶ୍ୟକତା ଥିଲା ସେଠାରେ ଡ୍ରେନ୍ ନିର୍ମାଣ କରାଯାଇଛି ଓ ନବୀକରଣ ମଧ୍ୟ କରାଯାଇଛି। ୱାର୍ଡରେ ସଂପୂର୍ଣ୍ଣଭାବେ ରାସ୍ତା ନିର୍ମାଣ ହୋଇଛି। ଭୋଇ ନଗର ଡିସିପି କାର୍ଯ୍ୟାଳୟରୁ ସାଇନ୍ସ ପାର୍କ ରାସ୍ତାରେ ଭାରୀଯାନ ଯିବା ଆସିବା କରୁଥିବାରୁ ଏହାକୁ ବନ୍ଦ ରଖାଯାଇଥିଲା। ଏବେ ରାସ୍ତା କାମ କରାଯାଉଛି। ୟୁନିଟ-୯ ସ୍କୁଲରେ ‘ମୋ ସ୍କୁଲ’ ଯୋଜନାରେ ପୁରାତନ ଛାତ୍ରମାନଙ୍କ ପକ୍ଷରୁ ୧୮ଲକ୍ଷ ଟଙ୍କା ଦିଆଯିବା ପରେ ସରକାରଙ୍କ ପକ୍ଷରୁ ୩୬ଲକ୍ଷ ଟଙ୍କା ଦିଆଯାଇଛି। ବିଧାୟକ ପାଣ୍ଠିରୁ ମଧ୍ୟ କିଛି ଅର୍ଥ ସହଯୋଗରେ ମିନି ଷ୍ଟାଡିୟମ୍ ନିର୍ମାଣ କରାଯିବ। ତେବେ ୱାର୍ଡରେ ୪ନଂ ଡ୍ରେନ୍ ହିଁ ମୁଖ୍ୟ ସମସ୍ୟା। ଯଦିଓ ଏଥିପାଇଁ ଉଚ୍ଛେଦ କରାଯାଇଛି ତେବେ ଡ୍ରେନ୍ଟି ବେସରକାରୀ ଜାଗା ଦେଇ ଯାଇଥିବାରୁ କୋର୍ଟରେ ଏଥିପାଇଁ ମାମଲା ଚାଲିଛି। ଜମି ବଦଳରେ ଜମି ପ୍ରଦାନ କରିବା ପାଇଁ ସ୍ଥାନୀୟ ଲୋକମାନେ ଦାବି କରୁଛନ୍ତି। ବର୍ଷାଦିନେ ଏହି ଡ୍ରେନ୍ ଦେଇ ପାଣି ନିଷ୍କାସନ ପାଇଁ ସମସ୍ୟା ଦେଖାଦେଉଛି। ସରକାରଙ୍କ ପକ୍ଷରୁ ଯଦି ବିକଳ୍ପ ପନ୍ଥା ଗ୍ରହଣ କରାଯାଆନ୍ତା ତେବେ ଏହି ସମସ୍ୟାର ସମାଧାନ ହୋଇପାରିବ।
ଏସ୍.କେ ନିଜାମୁଦ୍ଦିନ୍, କର୍ପୋରେଟର