୫ବର୍ଷର ହିସାବ ନିକାଶ: ୱାର୍ଡ ୩ ଅଳିଆଗଦାରେ ଅଞ୍ଚଳବାସୀ

ଚନ୍ଦ୍ରଶେଖରପୁର: ବିଏମ୍‌ସିର ୩ ନମ୍ବର ୱାର୍ଡରେ ବିରୋଧୀଙ୍କୁ ବହୁ ପଛରେ ପକାଇଥିଲେ ବି‌ଜେଡି ପ୍ରାର୍ଥୀ ଜୟନ୍ତୀ ଜେନା। ଲୋକଙ୍କ ମୌଳିକ ସମସ୍ୟାର ସମାଧାନ, ୱାର୍ଡକୁ ବିକାଶକୁ ନିର୍ବାଚନୀ ପ୍ରସଙ୍ଗ କରି ୨୦୧୪ରେ ନିର୍ବାଚନୀ ମଇଦାନକୁ ଓହ୍ଲାଇ ଲୋକଙ୍କ ଆସ୍ଥାଭାଜନ ହୋଇଥିଲେ। ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ ବିଗତ ୫ ବର୍ଷ ମଧ୍ୟରେ ୱାର୍ଡର ବିକାଶ କରିଛନ୍ତି। ତଥାପି ଆହୁରି କିଛି କାମ ବାକି ରହିଯାଇଛି। ସେଗୁଡ଼ିକୁ ପୂରଣ କରିବା ଦିଗରେ ପଦକ୍ଷେପ ନିଆଯାଉଛି ବୋଲି କର୍ପୋରେଟର ଶ୍ରୀମତୀ ଜେନା କହିଛନ୍ତି।
ସ୍ବଚ୍ଛତା, ପରିମଳ ଓ ଡ୍ରେନେଜ୍‌ ସମସ୍ୟା ଦୀର୍ଘବର୍ଷ ଧରି ଏହି ଅଞ୍ଚଳରେ ଲାଗିରହିଛି। ସମସ୍ୟାର ସମାଧାନ ପାଇଁ ଲୋକେ ବାରମ୍ବାର ଦାବି କରିବା ସହ ଆନ୍ଦୋଳନକୁ ବି ଓହ୍ଲାଇଛନ୍ତି। ଶ୍ରୀବିହାରକୁ ପ୍ରବେଶ କରିବା ରାସ୍ତାର ଡାହାଣ ପାର୍ଶ୍ବରେ ବିଏମ୍‌ସି ପକ୍ଷରୁ ଡମ୍ପିଂୟାର୍ଡ କରାଯାଇଥିବାରୁ ତାହାକୁ ଲୋକେ ବିରୋଧ କରିଥିଲେ। ବରିଷ୍ଠ ନାଗରିକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କର୍ପୋରେଟର ମଧ୍ୟ ସେମାନଙ୍କ ସହ ସାମିଲ ହୋଇଥିଲେ। ଇତି ମଧ୍ୟରେ ସମସ୍ୟାର କିଛିଟା ସମାଧାନ ହୋଇଥିଲେ ମଧ୍ୟ ଆମ୍ବ ତୋଟା ନିକଟରେ ପୁଣି ଅଳିଆ ପକାଯାଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋ‌ଷ ବଢ଼ିବାରେ ଲାଗିଛି। ଏଠାକାର ଲୋକଙ୍କ କହିବା କଥା ହେଉଛି ଯେ ଆବର୍ଜନା ପାହାଡ଼ ଯୋଗୁଁ ରୋଗ ବ୍ୟାପୁଛି। ଦୁର୍ଗନ୍ଧରେ ଅଞ୍ଚଳ ଫାଟିପଡ଼ୁଛି। ରାସ୍ତାପାର୍ଶ୍ବରେ ଥିବା ଡଷ୍ଟବିନ୍‌ରେ ଦୀର୍ଘଦିନ ଧରି ଅଳିଆ ଆବର୍ଜନା ଜମା ହେଉଥିଲେ ମଧ୍ୟ ଉଠାଯାଉନି। ଦୁଇ ବର୍ଷ ହେଲା ଜାଇକା ପ୍ରକଳ୍ପ ପାଇଁ ରାସ୍ତା ଖୋଳାଯାଇଥିଲେ ମଧ୍ୟ ମରାମତି ହୋଇନି। ମାଟି ରାସ୍ତାରେ ଉଡ଼ୁଥିବା ଧୂଳିକଣା ଯୋଗୁଁ ସମ୍ପୂର୍ଣ୍ଣ ପରିବେଶ ବିଗିଡ଼ି ଯାଉଛି। ବରିଷ୍ଠ ନାଗରିକମାନେ ଶ୍ବାସ ରୋଗରେ ଆକ୍ରାନ୍ତ ହେଉଛନ୍ତି। ମାଟି ରାସ୍ତା ହୋଇଥିବାରୁ ବର୍ଷାଦିନେ ଅବସ୍ଥା ଖରାପ ହେଉଛି। ଗାଡ଼ିରେ ଯିବା ଦୂରର କଥା ଚାଲିଚାଲି ଯାଇ ହେଉନି। ଦୀର୍ଘଦିନ ଧରି ଜମା ହେଉଛି। ପଟିଆ ଗ୍ରାମ ରାସ୍ତାର ବି ସମାଧାନ ହୋଇପାରିନି। ଏନେଇ ବାରମ୍ବାର ଅଭିଯୋଗ ପରେ ବି କିଛି ସୁଧାର ଆସୁନି। ପଟିଆ ଗ୍ରାମ ରାସ୍ତା ଖରାପ ହୋଇଥିଲେ ମଧ୍ୟ ମରାମତି କରାଯାଉ ନାହିଁ। ଏଦିଗଗୁଡ଼ିକ ପ୍ରତି ଧ୍ୟାନ ଦେବାକୁ ୱାର୍ଡବାସୀ ଦାବି କରିଛନ୍ତି।

ଜାଇକା ବଢ଼ାଉଛି ଦୁଃଖ
୨୦୧୪ରେ ଜିତିବା ପରେ ୩ ନମ୍ବର ୱାର୍ଡରେ ଅନେକ ସମସ୍ୟା ରହିଥିଲା। ଅଞ୍ଚଳର ଗୋଟିଏ ପାର୍ଶ୍ବରେ ଭିଆଇପି‌ ଲୋକଙ୍କ ଆପାର୍ଟମେଣ୍ଟ୍ ରହିଥିବା ବେଳେ ଅନ୍ୟପଟେ ଗ୍ରାମାଞ୍ଚଳ ରହିଛି। ତେଣୁ ସମସ୍ତଙ୍କୁ ସେମାନଙ୍କ ମୌଳିକ ଆବଶ୍ୟକତା ପୂରଣ କରିବା ଦିଗରେ ପଦକ୍ଷେପ ନେଇଛି। ଗତ ୫ବର୍ଷ ମଧ୍ୟରେ କଲୋନି ଓ ବିହାରଗୁଡ଼ିକୁ ପିଚୁ ରାସ୍ତା ହୋଇଛି। ଭୂତଳ ଡ୍ରେନ୍ ଓ ନିର୍ଦ୍ଧାରିତ ସମୟରେ ପରିସ୍କାର ପରିଚ୍ଛନତା ବ୍ୟବସ୍ଥା ହୋଇଛି। ମନ୍ଦିର, ପୋଖରୀ, ଶିଶୁ ଉଦ୍ୟାନ, ବରିଷ୍ଠ ନାଗରିକ, ମହିଳା ଗୋଷ୍ଠୀଙ୍କ ସୁବିଧା ଓ ସରକାରୀ ଶିକ୍ଷାନୁଷ୍ଠାନର ପାଚେରି ଓ ଶ୍ରେଣୀଗୃହ ନିର୍ମାଣ ଦିଗରେ ପଦକ୍ଷେପ ନିଆଯାଇଛି। ପଟିଆ ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ରରେ ଶହେ ଶଯ୍ୟା ବିଶିଷ୍ଟ ୨୪ ଘଣ୍ଟିଆ ସ୍ବାସ୍ଥ୍ୟ ସେବା କାର୍ଯ୍ୟକ୍ଷମ ହୋଇଛି। ସ୍ବରେଜ୍ କାର୍ଯ୍ୟ ପାଇଁ ଜାଇକା ପକ୍ଷରୁ ଗାତ ଖୋଳାଯାଇଥିଲେ ମଧ୍ୟ ତାହାର ମରାମତି ହୋଇନି। ଫଳରେ‌ ଗୋଟିଏ ପାଖ ରାସ୍ତା ଦବି ଯାଇଛି। ଏଥିସହ ଶ୍ରୀବିହାର ମୁଖ୍ୟ ରାସ୍ତାର ଆମ୍ବ ତୋଟା ନିକଟରେ ପୁଣି ଅଳିଆ ପଡ଼ୁଥିବା ନଜରକୁ ଆସିଛି। ଏଦିଗରେ ପଦକ୍ଷେପ ନିଆଯିବ।
ଜୟନ୍ତୀ ଜେନା, କର୍ପୋରେଟର୍
୨୦୧୪ର ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କ ମତାମତ ଆଣିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇନି।

ୱାର୍ଡ ୫ଡ୍ରେନ୍‌, ରାସ୍ତା ଓ ସ୍ବାସ୍ଥ୍ୟସେବା ସବୁ ଅଧା ଅଧା
ଭୁବନେଶ୍ବର: ବର୍ଷା ହେଲେ ଘରୁ ବାହାରିବା ମୁସ୍‌କିଲ୍‌। ଅସରାଏ ବର୍ଷାରେ ଘର ବୁଡ଼ି ପାଣି ଆଣ୍ଠୁଏ। ଦି’ ତିନି ଅସରା ଯଦି ବର୍ଷା ହେଲା ତେବେ ପୂରା ଅଞ୍ଚଳ ବିଚ୍ଛିନାଞ୍ଚଳ ପାଲଟିଯାଏ। ଏହା କୌଣସି ମଫସଲ ଗାଁର କଥା ନୁହେଁ। ଭୁବନେଶ୍ବର ମହାନଗର ନିଗମର ୱାର୍ଡ ନଂ ୫ର ଅବସ୍ଥା। ଡ୍ରେନ୍‌ଠାରୁ ଆରମ୍ଭ କରି ରାସ୍ତା ପର୍ଯ୍ୟନ୍ତ ସବୁଠି ସମସ୍ୟା। ପ୍ରାୟ ୧୮ ହଜାର ଭୋଟର, ପ୍ରାୟ ୬୦ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ୱାର୍ଡରେ ପ୍ରାଥମିକ ଚିକିତ୍ସା ପାଇଁ କମ୍ୟୁନିଟି ସେଣ୍ଟରଟିଏ ନଥିବାରୁ ୱାର୍ଡ ବାସିନ୍ଦା ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହିଭଳି ଏକ ସମସ୍ୟା ଜର୍ଜରିତ ୱାର୍ଡରେ ଗତ ବିଏମ୍‌ସି ନିର୍ବାଚନ ସମୟରେ ବିଜେଡି ପ୍ରାର୍ଥୀ ନିର୍ମଳ ଚନ୍ଦ୍ର ରାଉତ ଭୋଟରଙ୍କୁ ବହୁ ଆଶା ଦେଖାଇ, ପ୍ରତିଶ୍ରୁତି ଦେଇ ନିକଟତମ ପ୍ରତିଦ୍ବନ୍ଦ୍ବୀ ଅନୁପ କୁମାର ଖୁଣ୍ଟିଆଙ୍କୁ ପରାସ୍ତ କରିଥିଲେ। ବିଜୟୀ ହେବା ପରେ ବହୁ ଉନ୍ନତିମୂଳକ କାର୍ଯ୍ୟ ବି କରିଛନ୍ତି। କିନ୍ତୁ ସମସ୍ୟାବହୁଳ ଏହି ଅଞ୍ଚଳ ପାଇଁ ଏତିକି ଯଥେଷ୍ଟ ହେଉନି। ଯାହାକୁ ନେଇ ଏବେ ସାଧାରଣ ଲୋକଙ୍କର ବହୁ ଅଭିଯୋଗ।
ସବୁ କାମ ସରିଛି, ଖାଲି କମ୍ୟୁନିଟି ସେଣ୍ଟରଟିଏ ହୋଇପାରିନି ମୋ ୱାର୍ଡର ସବୁଠାରୁ ବଡ଼ ସମସ୍ୟା ଥିଲା ରାସ୍ତା ଓ ଡ୍ରେନ୍‌। ୫ କୋଟି ଟଙ୍କା ବ୍ୟୟରେ ସବୁଆଡ଼େ ପକ୍କା ରାସ୍ତା କରିବା ସହ ଡ୍ରେନେଜ୍‌ ସମସ୍ୟା ବି ଦୂର ହୋଇଛି। ପାଣି ପାଇପ୍‌ ବିଛାଇବା ପାଇଁ ୫କୋଟି ଖର୍ଚ୍ଚ ହୋଇଛି। ଫଳରେ ଘରେ ଘରେ ପିଇବା ପାଣି ପହଞ୍ଚି ପାରିଛି। ବିଏମ୍‌ସି ପକ୍ଷରୁ ଚକେଇସିଆଣି ଗ୍ରାମ ଦେବତୀ ମା’ ଉଗାଳମଣିଙ୍କ ପାଖରେ ଥିବା ପୋଖରୀର ପୁନରୁଦ୍ଧାର କରି ଏହାକୁ ନୂଆ ରୂପ ଦିଆଯାଇଛି। ଏଥିରେ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହା ନିକଟରେ ବସିବା ପାଇଁ ଖୁବ୍‌ ସୁନ୍ଦର ମଣ୍ଡପ ମଧ୍ୟ ନିର୍ମାଣ ହୋଇଛି। ଗମନାଗମନ ବ୍ୟବସ୍ଥା ସୁଦୃଢ କରିବାକୁ ପାଇଁ ୬୦ ଲକ୍ଷ ବ୍ୟୟରେ ଚକେଇସିଆଣି ଓ ୯୦ ଲକ୍ଷରେ ସମେଇଗାଡ଼ିଆରେ ୨ଟି ବ୍ରିଜ୍‌ ନିର୍ମାଣ ହୋଇଛି। ଏତେସବୁ ଭିତରେ ବି କମ୍ୟୁନିଟି ସେଣ୍ଟର ଏବଂ ଏକ ବରିଷ୍ଠ ନାଗରିକ କ୍ଲବ ନ ହୋଇପାରିବାରୁ ଅବଶୋଷ ରହିଗଲା। ଯଥାଶୀଘ୍ର ଏସବୁ କାମ ସାରିବାକୁ ପ୍ରୟାସ କରୁଛି। ଏହାସହ ସତ୍ୟ ବିହାରରେ ବର୍ଷା ଦିନେ ଯେଉଁ ଜଳ ନିଷ୍କାସନ ସମସ୍ୟା ସୃଷ୍ଟି ହୋଇଛି ତାହାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛି।
ନିର୍ମଳ ଚନ୍ଦ୍ର ରାଉତ, କର୍ପୋରେଟର

ସମ୍ବନ୍ଧିତ ଖବର