ପର୍ଯ୍ୟଟନ କ୍ଷେତ୍ରକୁ ‘କରୋନା’ ଚଡ଼କ : ପୁରୀ, ଭୁବନେଶ୍ବର, କଟକରେ ୫୦ କୋଟି ଟଙ୍କାର ରୁମ୍‌ ବୁକିଂ ବାତିଲ

୧୫କୋଟିର ସମ୍ମିଳନୀ ଓ ବିବାହ ଉତ୍ସବ ବାତିଲ, ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ୩୦% ନିଯୁକ୍ତି ପ୍ରଭାବିତ ହେବ

ଭୁବନେଶ୍ବର,: ‘ଫନି’ ପାହାରରେ ଦୋହଲି ଯାଇଥିବା ହୋଟେଲ ଶିଳ୍ପ ଅଣ୍ଟା ସଳଖି ଛିଡ଼ା ହେବାକୁ ଚେଷ୍ଟା କରୁଥିବା ବେଳେ ‘କରୋନା’ ପୁଣି ଏକ ଶକ୍ତ ଧକ୍କା ଦେଇଛି। ତାରକା ହୋଟେଲରେ ଆଉ ରୁମ୍‌ ବୁକିଂ ହେଉନାହିଁ। ସମ୍ମିଳନୀ ବାତିଲ ହେଇଯାଇଛି। ବାହାଘର ଉତ୍ସବ ମଧ୍ୟ ବାତିଲ ଚାଲିଛି। ତାରକା ହୋଟେଲ ସବୁ ହାତ ବାନ୍ଧି ବସିଲେଣି। ପର୍ଯ୍ୟଟନ, ସମ୍ମିଳନୀ, ବିବାହ କିମ୍ବା ଅନ୍ୟ ଉତ୍ସବ ହୋଟେଲ୍‌ ଶିଳ୍ପ ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ। ହୋଟେଲ୍‌ ଶିଳ୍ପର ପ୍ରାୟ ୯୯ ପ୍ରତିଶତ ଆୟ ଏହି କ୍ଷେତ୍ରରୁ ଆସିଥାଏ। ଅଥଚ କରୋନା ପାଇଁ ସରକାର ଏସବୁ ବାତିଲ କରିଦେଇଥିବାରୁ ହୋଟେଲ୍‌ ବ୍ୟବସାୟୀଙ୍କ ମୁଣ୍ଡ ଘୂରାଇ ଦେଇଛି। କେବଳ ପୁରୀ, ଭୁବନେଶ୍ବର ଓ କଟକରୁ ମିଳିଥିବା ତଥ୍ୟ ମୁତାବକ, ହୋଟେଲମାନଙ୍କରେ ମେ’ ମାସ ପର୍ଯ୍ୟନ୍ତ ୫୦ କୋଟି ଟଙ୍କାର ରୁମ୍‌ ବୁକିଂ ଏବଂ ୧୫ କୋଟି ଟଙ୍କାର ସମ୍ମିଳନୀ ଓ ବାହାଘର ଉତ୍ସବ ବାତିଲ କରାଯାଇଛି ବୋଲି ହୋଟେଲ ଆଣ୍ଡ ରେ‌ଷ୍ଟୁରାଣ୍ଟ ଆସୋସିଏସନ ଅଫ ଓଡ଼ିଶା (ହାରୋ)ର ଅଧ୍ୟକ୍ଷ ତଥା ସ୍ବସ୍ତି ଗ୍ରୁପ୍‌ର ମୁଖ୍ୟ ଜେ.କେ ମହାନ୍ତି କହିଛନ୍ତି। ତେଣୁ ସେଇ ଅନୁପାତରେ ‌ଯଦି ରାଜ୍ୟର ୩୦ଟି ଜିଲ୍ଲାକୁ ସେମାନଙ୍କର ମେ’ ମାସ ମଧ୍ୟରେ ଆୟକୁ ସେଠାକାର ବ୍ୟବସାୟ ହିସାବରେ ଆକଳନ କରାଯାଏ ତେବେ ସମଗ୍ର ରାଜ୍ୟରେ ଥିବା ହୋଟେଲ ଶିଳ୍ପ ଏହି ଗୋଟିଏ ମାସ ମଧ୍ୟରେ କେବଳ ବାତିଲ ପ୍ରକ୍ରିୟା ଯୋଗୁଁ ୨ଶହରୁ ୨୫୦ କୋଟି ଟଙ୍କାର କ୍ଷତି ସହିବ। ଫଳରେ ହୋଟେଲ ଶିଳ୍ପକୁ ଏକ ଶକ୍ତ ଧକ୍କା ଲାଗିବ।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ‌ପର୍ଯ୍ୟଟନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ‌ଜଡ଼ିତ ୩୦ ପ୍ରତିଶତରୁ ଅଧିକ ନିଯୁକ୍ତି ବିଶେଷ ଭାବେ ପ୍ରଭାବିତ ହେବ। ଏହାଦ୍ବାରା ‌ହୋଟେଲ ଶିଳ୍ପଠୁ ନେଇ ଟୁର ଅପରେଟର, ଟ୍ରାଭେଲ ସଂସ୍ଥା ଓ ଅନ୍ୟ ଜଡ଼ିତ ଛୋଟବଡ଼ ସଂସ୍ଥା ବିରାଟ କ୍ଷତି ଆଡ଼କୁ ମୁହାଁଇବେ ବୋଲି କହିଛନ୍ତି ‌ଓଡ଼ିଶା ପର୍ଯ୍ୟଟନ ବିଭାଗର ଉପଦେଷ୍ଟା କମିଟି ବୋର୍ଡ ସଦସ୍ୟ ତଥା ଟ୍ରାଭେଲ ଲିଙ୍କ ପ୍ରାଇଭେଟ ଲିମିଟେଡର ମୁଖ୍ୟ ବେଞ୍ଜାମିନ ସାଇମନ। ତାଙ୍କ କହିବା ମୁତାବକ, ପର୍ଯ୍ୟଟନ ଶିଳ୍ପର ଦ୍ରୁତ ଅଭିବୃଦ୍ଧି ଘଟୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଅନେକ ଷ୍ଟାର୍ଟଅପ ସଂସ୍ଥା ଗଢ଼ି ଉଠିଛି। ସେଥିରେ ଯୁବବର୍ଗ ବହୁ ସଂଖ୍ୟାରେ ନିୟୋଜିତ ହୋଇଛନ୍ତି। ମାତ୍ର କରୋନା ଯୋଗୁଁ ସବୁ ବାତିଲ ହୋଇଯାଉଥିବାରୁ ଅନେକ ହୁଏତ ନିଜର ଷ୍ଟାର୍ଟଅପ ବ୍ୟବସାୟ ବନ୍ଦ କରି ଦେଇ ପାରନ୍ତି। ଏମିତିକି ଅନେକ ସଂସ୍ଥା ଦେବାଳିଆ ପରିସ୍ଥିତିର ସାମ୍ନା କରିପାରନ୍ତି। ବିଶେଷକରି ଋଣ ନେଇ ନିଜର ବ୍ୟବସାୟ କରୁଥିବା ବ୍ୟକ୍ତି ଏନେଇ ବହୁତ ସମସ୍ୟାରେ ପଡ଼ିବାର ଆଶଙ୍କା ଦେଖାଦେଇଛି। ତେଣୁ ‘କରୋନା’କୁ କିଭଳି ଶୀଘ୍ର ପ୍ରତିହତ କରାଯାଇପାରିବ ଏବଂ ଏହାପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପର୍ଯ୍ୟଟନ ଶିଳ୍ପ ସହ ସଂଶ୍ଳିଷ୍ଟ ସଂସ୍ଥାଗୁଡ଼ିକୁ ପୁନଃ ଅଣ୍ଟା ସଳଖି ଛିଡ଼ା ହେବା ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବେ ସେ ସମ୍ପର୍କରେ ମଧ୍ୟ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ବିଶେଷକରି ଏହିଭଳି କ୍ଷତିର ଭରଣା ପାଇଁ ଜିଏସ୍‌ଟିରେ ଗୋଟେ ବର୍ଷ ପର୍ଯ୍ୟନ୍ତ କୋହଳ କରିବା ସହ ଋଣଗ୍ରସ୍ତ ବ୍ୟବସାୟୀମାନଙ୍କ କ୍ଷେତ୍ରରେ ମଧ୍ୟ କୋହଳ ମନୋଭାବ ପୋଷଣ କରିବା ଉଚିତ ହେବ ବୋଲି ସେ କହିଛନ୍ତି।

‘ହାରୋ’ର ସେକ୍ରେଟେରି ଜେନେରାଲ ଶ୍ରୀନିବାସ ସୁବୁଦ୍ଧିଙ୍କ କହିବା ମୁତବାକ, ସରକାର ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟନ ଭ୍ରମଣ, ସଭା, ସମ୍ମିଳନୀ, ଉତ୍ସବରେ ରୋକ ଲଗାଇଥିବାରୁ ଏହାର ଆହୁରି ଅଧିକ ୧୫ ଦିନ ପର୍ଯ୍ୟନ୍ତ ହୋଟେଲ ଶିଳ୍ପ ପୂର୍ବାବସ୍ଥାକୁ ଫେରିପାରିବ ନାହିଁ। ଏବେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସରକାର ଏ ସବୁକୁ ବନ୍ଦ ଘୋଷଣା କରିଥିଲେ ହେଁ ଆଗାମୀ ଦିନରେ ଏହା ନିୟନ୍ତ୍ରଣ ନହେଲେ ସମୟ ଅବଧି ହୁଏତ ଆହୁରି ବଢ଼ିପାରେ। ତଥାପି ଯଦି ଏପ୍ରିଲ ୧ ତାରିଖରୁ ହୋଟେଲ ଖୋଲିବ, ମାତ୍ର ହଠାତ କୌଣସି ଲୋକ ସମ୍ମିଳନୀ, ବିବାହ, ଅନ୍ୟ ଉତ୍ସବ ଆୟୋଜନ କରିପାରିବେ ନାହିଁ। ତେଣୁ ପ୍ରାୟ ମାସେ ପର୍ଯ୍ୟନ୍ତ ଏହି ଶିଳ୍ପ ବହୁତ ପ୍ରଭାବିତ ହେବ। ଏପରିକି ବିନା ଆ‌ୟରେ କର ଗଣିବାକୁ ପଡ଼ିବ। ରାଜ୍ୟରେ ଥିବା ୯୦୦ ହୋଟେଲ ଓ ବାର୍‌ ବିନା ଆୟରେ ମାସକୁ ୧ ଲକ୍ଷ ଟଙ୍କା ଲେଖାଏ କର ଗଣିବେ। ଅନ୍ୟ କ୍ଷେତ୍ରରେ କର୍ମଚାରୀମାନଙ୍କ ଦରମା ଓ ଅନ୍ୟ କ୍ଷୟକ୍ଷତିକୁ ଆକଳନ କଲେ ହୋଟେଲ ଶିଳ୍ପ ବ୍ୟାପକ କ୍ଷତି ସହିବ। ଫନିରେ ଏତେ କ୍ଷୟକ୍ଷତି ପରେ ମଧ୍ୟ ସରକାରଙ୍କ ତରଫରୁ ହୋଟେଲ ଶିଳ୍ପ କ୍ଷେତ୍ରକୁ କୌଣସି ସହାୟତା ମିଳିନଥିବା ବେ‌‌ଳେ ଏହି ଆର୍ଥିକ କ୍ଷତି ଭରଣା ଦିଗରେ ସରକାର ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର