ଶିଖରଚଣ୍ଡୀର ହେବ ସୌନ୍ଦର୍ଯ୍ୟୀକରଣ, ୫୩ ଏକରରେ ଖର୍ଚ୍ଚ ହେବ ୫୦ କୋଟି

ଚନ୍ଦ୍ରଶେଖରପୁର: ଶିଖରଚଣ୍ଡୀର ବିକାଶ ହେବ। ପାହାଡ଼ର ସୌନ୍ଦର୍ଯ୍ୟୀକରଣ ସହ ଏହା ଉପରେ ଥିବା ମନ୍ଦିରର ବିକାଶ ମଧ୍ୟ କରାଯିବ। ପର୍ଯ୍ୟଟକଙ୍କ ଲାଗି ପାହାଡ଼ ପାଦଦେଶରେ ରିକ୍ରିଏସନାଲ ହବ୍‌ ତଥା ଚିତ୍ତ ବିନୋଦନ କେନ୍ଦ୍ର ନିର୍ମାଣ ହେବ। ପ୍ରାକୃତିକ ପରିବେଶର ଆଲୋକୀକରଣ ସହ ପର୍ଯ୍ୟଟକଙ୍କ ବସିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ଜୈବ ବିବିଧତାକୁ ଦୃଷ୍ଟିରେ ରଖି ଏହା ପରିସରରେ ଥିବା ବିରଳ ପ୍ରଜାତିର ବୃକ୍ଷଗୁଡ଼ିକର ସଂରକ୍ଷଣ କରାଯିବ। ପାହାଡ଼ ପାଦଦେଶରେ ସାଇକେଲ୍‌ ଟ୍ରାକ୍‌ ମଧ୍ୟ ରହିବ। ହିଲ୍‌ ଟପ୍‌ରେ ୱାଚ୍‌ ଟାୱାର ମଧ୍ୟ ନିର୍ମାଣ ହେବ, ପର୍ଯ୍ୟଟକମାନେ ସେଠାରୁ ସିଧାସଳଖ ସହରର ପ୍ରାକୃତିକ ଶୋଭାକୁ ଉପଭୋଗ କରିପାରିବେ। ଆହୁରି ଆକର୍ଷଣ କରିବାକୁ ଶିଖରଚଣ୍ଡୀ ପାହାଡ଼କୁ ଲାଗିଥିବା ହନୁମାନ ପାହାଡ଼ର ବି ବିକାଶ କରାଯିବ। ଉଭୟ ପାହାଡ଼ ମଧ୍ୟରେ ରୋପ୍‌ ୱେର ବ୍ୟବସ୍ଥା ହେବ। ଏକ ଦଶନ୍ଧି ପରେ ରାଜଧାନୀର ଏହି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀକୁ ନୂଆ ରୂପ ଦେବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫ଟି) ଭି କେ ପାଣ୍ଡିଆନ୍‌ ଆଜି ସେହି ସ୍ଥାନ ପରିଦର୍ଶନ କରିଥିଲେ। ଏହା ପରେ ୨୦୧୩ର ଯୋଜନା କାର୍ଯ୍ୟକାରୀ ହେବା ନେଇ ଆଶା ସଞ୍ଚାର ହୋଇଛି।

ଭୋର୍‌ ୫ଟା ୩୦ରେ ଶ୍ରୀ ପାଣ୍ଡିଆନ୍ ଶିଖରଚଣ୍ଡୀ ମନ୍ଦିରରେ ପହଞ୍ଚିଥିଲେ। ପାହାଡ଼ରେ ପହଞ୍ଚିବା ପରେ ମନ୍ଦିରକୁ ଯାଇ ମା’ଙ୍କ ଦର୍ଶନ କରିଥିଲେ ଏବଂ ଆଖପାଖରେ ଥିବା ଛୋଟ ମନ୍ଦିରଗୁଡ଼ିକୁ ମଧ୍ୟ ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ଏହାପରେ ମନ୍ଦିରଗୁଡ଼ିକର ବିକାଶ ନେଇ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ମନ୍ଦିର ପାରିପାର୍ଶ୍ୱିକ ବିକାଶ କିଭଳି ହୋଇପାରିବ ସେନେଇ ଆଲୋଚନା କରିବା ସହ ପୂର୍ବ ପ୍ରସ୍ତୁତ ଯୋଜନାର ସମୀକ୍ଷା କରିଥିଲେ। ପର୍ଯ୍ୟଟକ ତଥା ତୀର୍ଥଯାତ୍ରୀଙ୍କ ପାଇଁ ସୁବିଧା ଓ ଶିଖରଚଣ୍ଡୀ ପାହାଡ଼ ଅଞ୍ଚଳର ସୌନ୍ଦର୍ଯ୍ୟୀକରଣ ସହିତ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଦ୍ବାରା ବିକଶିତ ହୋଇଥିବା ଯୋଜନା ସମ୍ପର୍କରେ ପଚାରି ବୁଝିଥିଲେ। ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଏଠାରେ ଏକାଧିକ ସୁବିଧା କରାଯିବ। ବଣଭୋଜି ଲାଗି ଥିବା ପିଣ୍ଡିଗୁଡ଼ିକର ବିକାଶ ହେବ। ପିଣ୍ଡି ସ୍ଥାନରେ ମେଡିଟେସନ୍‌ ଲାଗି ବ୍ୟବସ୍ଥା ଉପଲବ୍ଧ ହେବ। ପିଲାଙ୍କ ଖେଳିବା ଲାଗି ପାର୍କ କରାଯିବ। ହନୁମାନ ପାହାଡ଼ରେ ବଣଭୋଜି ଲାଗି ଓଭରସେଡ୍‌ ପିଣ୍ଡି କରାଯିବ।

ରୋପ୍‌ ୱେ, ପାର୍କ, ସାଇକେଲ୍‌ ଟ୍ରାକ୍‌ କରାଯିବ
ପ୍ରକଳ୍ପର ଅନୁଧ୍ୟାନ କଲେ ୫-ଟି ସଚିବ
ଟାଉନ୍ ପ୍ଲାନିଂ ସ୍କିମ୍ ମଧ୍ୟ ପରିଦର୍ଶନ କଲେ

ପାହାଡ଼ ଉପର ବୁଲି ଦେଖିବା ପରେ ତଳ ଭାଗରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ପାହାଡ଼ ପାଦଦେଶରେ ସାଇକେଲ୍‌ ଟ୍ରାକ୍‌ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏଥିସହ ପାହାଡ଼ ସମତଳ ଅଞ୍ଚଳର ଭିତ୍ତିଭୂମି ବିକାଶ ପାଇଁ ଯୋଜନା କରିବାକୁ ଇଡ୍‌କୋ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପାହାଡ଼ ପାଦଦେଶର କିଛି ଅଂଶ ଜବରଦଖଲକାରୀଙ୍କ କବ୍‌ଜାରେ ରହିଥିବାରୁ ୫-ଟି ସଚିବ ତାହାର ଅନୁଧ୍ୟାନ କରିଛନ୍ତି। ତେବେ କୌଣସି ପଦକ୍ଷେପ ନେଇନାହାନ୍ତି। ପାହାଡ଼ର ମୋଟ ୫୩ ଏକର ପରିମିତ ସ୍ଥାନରେ ପର୍ଯ୍ୟଟନର ବିକାଶ ହେବ। ଏଥିପାଇଁ ପାଖାପାଖି ୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। କେଉଁ ବାବଦରେ କେତେ ଟଙ୍କା ଖର୍ଚ୍ଚ ହେବ ତାହାର ରୂପରେଖ ପରବର୍ତୀ ସମୟରେ ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି।

ଗସ୍ତର ଦ୍ବିତୀୟ ପର୍ଯ୍ୟାୟରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍‌ ଗୋଠପାଟଣା ନିକଟରେ ବିଡିଏ ଦ୍ୱାରା କରାଯାଉଥିବା ଟାଉନ୍ ପ୍ଲାନିଂ ସ୍କିମ୍ ପରିଦର୍ଶନ କରିଥିଲେ। ଟିପି ସ୍କିମ୍ ଅନ୍ତର୍ଗତ ରିଙ୍ଗ୍‌ ରୋଡ୍‌ର ବିକାଶ ସହ ପ୍ରକଳ୍ପ ସ୍ଥିତି ସମୀକ୍ଷା କରିଥିଲେ। ଯୋଜନା ହୋଇଥିବା ମୋଟ ୪୫ ଟାଉନ୍ ଯୋଜନା ମଧ୍ୟରୁ ବିଡିଏ ରିଙ୍ଗ୍‌ ରୋଡ୍ ସହିତ ଚାରୋଟି ଟାଉନ୍ ଯୋଜନା ଶେଷ ହୋଇଛି। ସଡ଼କ, ଜଳ, ବିଦ୍ୟୁତ୍ ଭିତ୍ତିଭୂମି ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟରେ ଶୀଘ୍ର ଅଗ୍ରଗତି କରିବାକୁ ୫ଟି ସଚିବ ଆଜି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜମି ମାଲିକଙ୍କ ମତାମତ ସାହାଯ୍ୟରେ ଏହି ପ୍ରକଳ୍ପକୁ ସଫଳ କରିବାକୁ ସେ ବିଡିଏ ଅଧିକାରୀଙ୍କୁ କହିଛନ୍ତି। ଏହି ଗସ୍ତ ସମୟରେ ଗ୍ରାମ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ, କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବ ଆର୍‌ ଭିନିଲ କ୍ରିଷ୍ଣା, ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ, ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ ଓ ଖୋର୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର