ଭୁବନେଶ୍ବର: କ୍ୟାପିଟାଲ୍ ହସ୍ପିଟାଲ୍ରେ ଡାକ୍ତର ମରୁଡ଼ି। ୧୮୦ ପଦବିରୁ ୧୩୦ ପଦବିରେ ଡାକ୍ତର ଥିବା ବେଳେ ୫୦ ପଦବି ଖାଲି ପଡ଼ିଛି। ପ୍ରାୟ ସବୁ ବିଭାଗରେ ଡାକ୍ତର ମରୁଡ଼ି ରହିଛି। ଏପରିକି ଏଫ୍ଏମ୍ଟି ବିଭାଗର ଦୁଇ ଡାକ୍ତର ପିଜିଆଇକୁ ଯିବା ପରେ କ୍ୟାପିଟାଲ୍ ହସ୍ପିଟାଲ୍ର ଏହି ବିଭାଗରେ ଡାକ୍ତର ସଂଖ୍ୟା ଶୂନ ହୋଇଯାଇଛି। ସୂଚନା ଅନୁସାରେ କ୍ୟାପିଟାଲ୍ ହସ୍ପିଟାଲ୍ର ବିଭିନ୍ନ ବିଭାଗରେ ଡାକ୍ତର ଅଭାବ ପରିଲକ୍ଷିତ ହେଉଛି। ଯେଉଁ ଡାକ୍ତରମାନେ ପଦୋନ୍ନତି ପାଇ ଅନ୍ୟତ୍ର ଚାଲି ଯାଉଛନ୍ତି କିମ୍ବା ଅବସରଗ୍ରହଣ କରୁଛନ୍ତି, ସେମାନଙ୍କ ସ୍ଥାନରେ ଆଉ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଉନାହିଁ। କେବଳ ଠିକାଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇ ଡାକ୍ତର ପଦବି ପୂରଣ କରାଯାଉଛି। ଠିକାଡାକ୍ତର ମଧ୍ୟ ଉଚ୍ଚଶିକ୍ଷା ପାଇଁ କିଛି ଦିନ ପରେ ଚାକିରି ଛାଡ଼ି ଦେଉଛନ୍ତି। ହସ୍ପିଟାଲ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଗତ ଦୁଇ ବର୍ଷ ମଧ୍ୟରେ ସର୍ଜରି ବିଭାଗରୁ ୪ ଜଣ, ଭେଷଜ ବିଭାଗରୁ ଜଣେ, ମାନସିକ ରୋଗ ବିଭାଗରୁ ଜଣେ, ଚର୍ମ ଓ ଯୌନ ରୋଗ ବିଭାଗରୁ ଜଣେ, ଶିଶୁ ରୋଗ ବିଭାଗରୁ ଜଣେ, ସ୍ତ୍ରୀ ଓ ପ୍ରସୂତି ବିଭାଗରୁ ୨ ଜଣ, ଚକ୍ଷୁ ବିଭାଗରୁ ୨ ଜଣ, ଥାଲାସେମିଆ ବିଭାଗରୁ ଜଣେ, ଆଇସିୟୁରୁ ଜଣେ ଡାକ୍ତର ଅବସର କିମ୍ବା ପଦୋନ୍ନତି ପାଇ ହସ୍ପିଟାଲ ଛାଡ଼ି ଚାଲିଯାଇଛନ୍ତି। ପୋଷ୍ଟମର୍ଟମ କରୁଥିବା ଦୁଇଜଣ ଡାକ୍ତର ପିଜିଆଇ ଅଧୀନକୁ ଯିବା ପରେ ଏହି ବିଭାଗରେ ଡାକ୍ତର ଆଉ ନାହାନ୍ତି। ନୂଆ ଡାକ୍ତର ମଧ୍ୟ ନିଯୁକ୍ତି ହେଉ ନାହାନ୍ତି।
ଅନ୍ୟ ପକ୍ଷରେ ଡାକ୍ତର ଅଭାବ କାରଣରୁ କ୍ୟାପିଟାଲ୍ ହସ୍ପିଟାଲ୍ର ଜରୁରୀକାଳୀନ ସେବା ପ୍ରଭାବିତ ହେଉଛି। ଜରୁରୀକାଳୀନ ବିଭାଗରେ ବିଶେଷଜ୍ଞ ଡାକ୍ତର ରହୁ ନଥିବାରୁ ରୋଗୀ ହଇରାଣ ହେଉଛନ୍ତି। ଜଣେ ଜଣେ ରୋଗୀ ଘଣ୍ଟା ଘଣ୍ଟା ଡାକ୍ତର ଆସିବାକୁ ଅପେକ୍ଷା କରି ରହୁଛନ୍ତି। ଏକାଥରେ ରୋଗୀ ହେଲେ ଡାକ୍ତର ଆସି ଚିକିତ୍ସା କରୁଛନ୍ତି। ନଚେତ୍ ପର ଦିନ ସକାଳେ ଓପିଡିରେ ଦେଖାଇବାକୁ ପରାମର୍ଶ ଦେଉଛନ୍ତି। ଏପରିକି ହାଡ଼ଭଙ୍ଗା ରୋଗୀ ମଧ୍ୟ ଏକ୍ସରେ ପରେ ଯଦି ହାଡ଼ ଭାଙ୍ଗିଥାଏ କିମ୍ବା କିଛି ଅସୁବିଧା ଦେଖା ଦିଏ ତେବେ ସେମାନଙ୍କୁ ମଧ୍ୟ ଡାକ୍ତର ଆସିବାକୁ ଅପେକ୍ଷା କରିବାକୁ ପଡ଼ୁଛି କିମ୍ବା ପରଦିନ ସକାଳ ପର୍ଯ୍ୟନ୍ତ ଓପିଡି ଖୋଲା ହେବାକୁ ଅପେକ୍ଷା କରିବାକୁ ପଡ଼ୁଛି। ଏହାକୁ ନେଇ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।
ଏନେଇ କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକ ରୁପଭାନୁ ମିଶ୍ର କହିଛନ୍ତି ଯେ ଡାକ୍ତର ପଦୋନ୍ନତି ପାଇବା ପରେ ଅନ୍ୟସ୍ଥାନକୁ ଯାଉଛନ୍ତି। କିନ୍ତୁ ତାଙ୍କ ସ୍ଥାନରେ ଡାକ୍ତର ନିଯୁକ୍ତି ହେଉ ନାହିଁ। ଅନ୍ୟପକ୍ଷେ, ୮ ଜଣ ଡାକ୍ତରଙ୍କୁ ଠିକା ନିଯୁକ୍ତି ଦିଆଯାଇଛି। ଡାକ୍ତର ପଦବି ଖାଲି ଥିବା ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି। କିଛି ଦିନ ମଧ୍ୟରେ ନୂଆ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇ କ୍ୟାପିଟାଲ୍ ହସ୍ପିଟାଲ୍କୁ ଆସିବେ।