ପୁରୁଣା ଭୁବନେଶ୍ବର: ଆଉ ଦିନ କେଇଟା ପରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ। ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବା ପାଇଁ ସେହି ଦିନ ବିଭିନ୍ନ ଜଳାଶୟରେ ଡଙ୍ଗା ଭସା ଯାଇଥାଏ। ଏଥିପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର। ପୁରୁଣା ଭୁବନେଶ୍ବରର ୫୦ରୁ ଊର୍ଦ୍ଧ୍ବ ପରିବାର ଏବେ ଡଙ୍ଗା ତିଆରିରେ ଲାଗିପଡ଼ିଛନ୍ତି। ନାଗେଶ୍ବର ଟାଙ୍ଗି ନଳାମୁହଁସାହି, ଜୟଦେବନଗର ଦଳିତସାହି, ପୁନାମା ଗେଟ୍ ଭୋଇସାହି, ମାଟିସାହି, ରାମେଶ୍ବରପାଟଣାସାହି, ମଠସାହି ଓ ବିଭିନ୍ନ ବସ୍ତିର କେତେକ ପରିବାର ଡଙ୍ଗା ତିଆରିରେ ଲାଗିଛନ୍ତି। ବିଭିନ୍ନ ଡିଜାଇନ୍ର ଆର୍ଷଣୀୟ ବୋଇତ ସବୁ ତିଆରି ହେଉଛି। ସେମାନେ ସୋଲରେ ବୋଇତ ତିଆରି କରି ସେଥିରେ ବିଭିନ୍ନ ରଙ୍ଗର ଜିଙ୍କ୍ ଦେଇ ଏହାକୁ ଅଧିକ ଆକର୍ଷଣୀୟ କରିଥାନ୍ତି। ତିଆରି କରୁଥିବା ଡଙ୍ଗାର ମୂଲ୍ୟ ୩୦ ଟଙ୍କାରୁ ଆରମ୍ଭ ହୋଇ ୩ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। କାର୍ତ୍ତିକ ପୂର୍ଣ୍ଣମୀ ଆସିଲେ ଏହି ପରିବାର ସଦସ୍ୟମାନେ କାମରେ ଲାଗି ଯାଆନ୍ତି। କେତେବେଳେ ଅର୍ଡର ମିଳେ ତ ଆଉ କେତେବେଳେ ଲୋକେ ଘରୁ ଆସି ବୋଇତ କିଣି ନିଅନ୍ତି।
ପୁରୁଣା ଭୁବନେଶ୍ୱରର ନଳାମୁହଁ ସାହିର ବିଜୟ ବେହେରାଙ୍କ ବେଉସା ହେଉଛି ଏଭଳି ଡଙ୍ଗା ତିଆରି କରିବା। ସାହିରେ ନିଜ ଘରେ ସେ ଏହି କାମ କରନ୍ତି। ଅନ୍ୟ ଦିନେ ମୂଲ ଲାଗି ପରିବାର ଚଳାନ୍ତି। ସରକାରୀ ସହାୟତାରେ ଶିଙ୍ଗ କାମରେ ତିନି ବର୍ଷ ତାଲିମ ନେଇଛନ୍ତି। ହେଲେ ତାଲିମ ନେବା ପରେ କାମ ମିଳିଲାନି କି ଏଥିପାଇଁ ଦରକାର ହେଉଥିବା ଯନ୍ତ୍ରପାତି କିଣିବାକୁ ଆର୍ଥିକ ସମ୍ବଳ ଯୋଗାଡ଼ କରିପାରିଲେ ନାହିଁ। ତେଣୁ ବାଧ୍ୟ ହୋଇ ମୂଲ ଲାଗିଲେ। ଯାହା ଶିଖିଥିଲେ ତାହା ମଧ୍ୟ କାମରେ ଆସିଲା ନାହିଁ ବୋଲି ବିଜୟ କୁହନ୍ତି। ବୋଇତ ବନ୍ଦାଣ ପାଇଁ ନଳାମୁହଁସାହିର ହୃଷୀକେଶ ବେହେରା ଚଳିତ ବର୍ଷ ନାଲି ହଂସ ଆକୃତିର ୧୪ଫୁଟ୍ ଲମ୍ବା ୮ଫୁଟ୍ ଉଚ୍ଚାର ଡଙ୍ଗା ତିଆରି କରିଛନ୍ତି। ୭ଟି କଣ୍ଢେଇ ସାଧବ ପୁଅ ବେଶରେ ଡଙ୍ଗାରେ ରହିବେ। ଚଳିତ ବର୍ଷ ବିନ୍ଦୁସାଗରରେ ହେବାକୁ ଥିବା ବୋଇତ ବନ୍ଦାଣ ଉତ୍ସବରେ ଏହି ଡଙ୍ଗା ଭସାଯିବ ବୋଲି ସେ କହିଛନ୍ତି। ସେହିପରି ଚନ୍ଦ୍ରଶେଖପୁରର ସୁରକ୍ଷା କମିଟି ପକ୍ଷରୁ ବୋଇତ ବନ୍ଦାଣ ପାଇଁ ୮ଫୁଟିଆ ଡଙ୍ଗା ସେ କରୁଛନ୍ତି। ଅଧିକାଂଶ ଡଙ୍ଗାରେ ସୋଲ ବ୍ୟବହାର ହୋଇ ଆକର୍ଷଣୀୟ ରଙ୍ଗ ଦିଆଯାଇଛି। ତାଙ୍କୁ ଏଥିରେ ସହଯୋଗ କରୁଛନ୍ତି ସୌଦାମିନୀ ସାମଲ।