ଭୁବନେଶ୍ବର: ହୋଲ୍ଡିଂ ସଂଖ୍ୟା ୧ ଲକ୍ଷ ୨୦ ହଜାର। ହେଲେ ୬୦ ହଜାର ଘରୁ ଆଦାୟ ହେଉଛି ହୋଲ୍ଡିଂ ଟ୍ୟାକ୍ସ। ଅର୍ଥାତ୍‌ ଅଧା ଘରୁ ଟିକସ ଆସୁନାହିଁ। ହୋଲ୍ଡିଂ ଟିକସ ଆଦାୟ ବ୍ୟବସ୍ଥା କେବଳ ଅନ୍‌ଲାଇନ୍‌ ହୋଇଛି। କିନ୍ତୁ ଲୋକ ଅଭ୍ୟସ୍ତ ନଥିବାରୁ ମେସିନ୍‌ ଧରି କର୍ମଚାରୀ ଘରକୁ ଘର ବୁଲୁଛନ୍ତି। ପ୍ରତ୍ୟେକ ଦିନ ଫିଲ୍ଡକୁ ଯାଉଛନ୍ତି ବୋଲି ସେଲ୍ଫି ପଠାଇ ନିଶ୍ଚିତ କରୁଛନ୍ତି। ହେଲେ କ’ଣ ଏମିତି ସମସ୍ୟା ହେଉଛି ଯେ ଅଧା ଘରୁ ହୋଲ୍ଡିଂ ଆଦାୟ ହୋଇ ପାରୁ ନାହିଁ, ଏହାକୁ ନେଇ ଏବେ ତନାଘନା ହେଉଛି। ଗତ ମାସରେ ବସିଥିବା ଲାଇସେନ୍ସ ଓ ଅପିଲ୍ସ ଷ୍ଟାଣ୍ଡିଂ କମିଟି ବୈଠକରେ ଏ ନେଇ ଉଦ୍‌ବେଗ ପ୍ରକାଶ ପାଇବା ସହ ଟିକସ ଅର୍ଥ ବାଟମାରଣା ହେଉଥିବା ଆଶଙ୍କା କରି ଏକ ତୃତୀୟ ପକ୍ଷ ସଂସ୍ଥା ଜରିଆରେ ଟିକସ ସଂଗ୍ରହ କରାଯାଉ ବୋଲି କମିଟି ପରାମର୍ଶ ଦେଇଛି।

Advertisment

୧ ଲକ୍ଷ ୨୦ ହଜାର ହୋଲ୍ଡିଂ, ଟିକସ ଦେଉଛନ୍ତି ୬୦ ହଜାର
କାହା ସ୍ବାର୍ଥରେ ଅଧାଙ୍କୁ ଛାଡ଼ି ଦେଇଛନ୍ତି?

ବିଭିନ୍ନ ସମୟରେ ହୋଲ୍ଡିଂ ଟିକସ ବାଟମାରଣା ହେଉଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ଏହାର ପ୍ରମାଣ ମିଳିବା ପରେ କେତେକ ଟ୍ୟାକ୍ସ କଲେକ୍ଟରଙ୍କୁ ଏଠାରୁ ବଦଳି ମଧ୍ୟ କରାଯାଇଥିଲା। କେତେକ ହୋଲ୍ଡିଂ ଟିକସ କମାଇ ଦେବା ପାଇଁ ଲାଞ୍ଚ ନେବା ବେଳେ ଧରା ପଡ଼ୁଥିଲେ। ଏଭଳି ଘଟଣାର ନିୟମିତ ପୁନରାବୃତ୍ତି ହେବା ପରେ ଏହି ବ୍ୟବସ୍ଥାକୁ ଅନ୍‌ଲାଇନ୍‌ କରାଯାଇଥିଲା। କୌଣସି ପରିସ୍ଥିତିରେ ହୋଲ୍ଡିଂ ଟିକସ ନଗଦ ଗ୍ରହଣ କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ନଗଦ ଆଦାୟ କରାଯାଉନାହିଁ। କିନ୍ତୁ ଅନ୍‌ଲାଇନ୍‌ ବ୍ୟବସ୍ଥାରେ ଶତପ୍ରତିଶତ ନାଗରିକ ଅଭ୍ୟସ୍ତ ହୋଇପାରିନଥିଲେ। ଅଧିକାରୀ ଘରେ ପହଞ୍ଚି ବାଧ୍ୟ କରୁ ନଥିବାରୁ ଓ ହୋଲ୍ଡିଂ ଟିକସ ନ ଦେଲେ କୌଣସି କ୍ଷତି ହେଉନଥିବାରୁ କେତେକ ଜାଣି ଜାଣି ଦେଇନଥିଲେ। ୱାର୍ଡ ଅଫିସର୍‌ ଘରକୁ ଘର ବୁଲି ନୂଆ ହୋଲ୍ଡିଂ ଓ ହୋଲ୍ଡିଂକୁ ସଂଶୋଧନ କରୁନଥିଲେ। ଏଣୁ ରାଜସ୍ବ କମିଥିଲା। ସେଥିପାଇଁ ପୁଣିଥରେ ୱାର୍ଡ ଅଫିସରମା‌ନଙ୍କୁ କାମରେ ଲଗା ଯାଇଥିଲା। ଯେଉଁମାନେ ଟିକସ ଦେଉନଥିଲେ, ପିଓଏସ୍‌ ମେସିନ୍‌ ଧରି ସେମାନେ ଘରକୁ ଘର ବୁଲି ସଂଗ୍ରହ ଆରମ୍ଭ କରିଥିଲେ। ଏସବୁ ସତ୍ତ୍ବେ ଅଧା ଟିକସ କାହିଁକି ଆଦାୟ ହୋଇ ପାରିଲା ନାହିଁ ସେ ନେଇ ପ୍ରଶ୍ନ ଉଠିଛି।

ବାସ୍ତବରେ ଅନେକ ବଡ଼ବଡ଼ିଆଙ୍କୁ କର୍ମଚାରୀମାନେ ହାତଗୁଞ୍ଜା ନେଇ ଛାଡ଼ି ଦେଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବିଏମ୍‌ସି ଏହି ବଡ଼ବଡ଼ିଆ ଖିଲାପକାରୀଙ୍କୁ ଖୋଜିବାକୁ ଯୋଜନା କରିଥିଲା। ମୋଟା ଅଙ୍କର ହୋଲ୍ଡିଂ ଟ୍ୟାକ୍ସ ବାକି ରଖିଥିବା ‘ବଡ଼ ଖିଲାପକାରୀ’ଙ୍କ ତାଲିକା ପ୍ରସ୍ତୁତ ଆରମ୍ଭ କରିଥିଲା। ପ୍ରତ୍ୟେକ ଜୋନ୍‌ରେ ୱାର୍ଡ ଅଫିସର ଘର ଘର ବୁଲି ତାଲିକା କରିଥିଲେ। ପ୍ରଥମ ତାଲିକାରେ କୋଟିଏରୁ ଊର୍ଦ୍ଧ୍ବ ବାକି ରଖିଥିବା ଖିଲାପକାରୀଙ୍କ ତାଲିକା ହେଲା। ଏଥିରେ ଶହ ଶହ ଖିଲାପକାରୀଙ୍କ ନାମ ପଦାକୁ ଆସିଥିଲା। ସେମାନଙ୍କ ନାମରେ ଓପିଡିଆର୍‌ ମାମଲା ରୁଜୁ କରି ଆଦାୟ କରିବାକୁ ସ୍ଥିର କରାଯାଇଥିଲା। ଓପିଡିଆର ମାମଲା ଭୟରେ ମାତ୍ର କେତୋଟି ହାତଗଣତି ଖିଲାପକାରୀ ଟିକସ ଦେଇଥିଲେ। ହେଲେ ଶହ ଶହ ଖିଲାପକାରୀ ଏହି ଟିକସ ଦେଇ ନଥିଲେ। ବିଏମ୍‌ସି କେବଳ ମାମଲା ରୁଜୁ କରି ବସିଗଲା। ଏବେ ଯେଉଁ ଅଧା ଖିଲାପକାରୀ ରହିଛନ୍ତି ସେଥିରେ ଏହି ବଡ଼ ଖିଲାପକାରୀଙ୍କ ସଂଖ୍ୟା ଅର୍ଦ୍ଧାଧିକ ରହିଛି।

ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ହୋଲ୍ଡିଂ ଟ୍ୟାକ୍ସକୁ ନେଇ ତନାଘନା ହେବା ପରେ ଟିକସ ଆଦାୟ ବଢ଼ିଛି। କିନ୍ତୁ ୫୦ ପ୍ରତିଶତ ଆଦାୟ ହୋଇ ପାରୁନି। ପାଖାପାଖି ୬୫ ଗାଁ ଅଛି ଯେଉଁଠୁ ହୋଲ୍ଡିଂ ପ୍ରାୟ ଆଦାୟ ହୋଇପାରୁନି। ଯେଉଁ ଡିଡିଏନ୍‌(ଡିଜିଟାଲ ଡୁଅର ନମ୍ବରିଂ) ଆଧାରରେ ଏହି ୧ ଲକ୍ଷ ୨୦ ହଜାର ହୋଲ୍ଡିଂ ବୋଲି ହିସାବ ହୋଇଛି, ସେଥିରେ ତ୍ରୁଟି ରହିଛି। ଏଣୁ କେତେକ ସରକାରୀ ଜାଗାରେ ହୋଇଥିବା ଘରର ଡିଡିଏନ୍‌ କରାଯାଇଥିବା ବେଳେ କେଉଁଠି ଗୋଟିଏ ପ୍ଲଟ୍‌ ବା ଗୋଟିଏ ହୋଲ୍ଡିଂ ନମ୍ବରରେ ଦୁଇଟି ଡିଡିଏନ୍‌ ହୋଇଯାଇଛି। ଏଣୁ ସମସ୍ୟା ହୋଇଛି।